ହାଇଦ୍ରାବାଦ, ୦୮/୦୫ : ନିର୍ଜନ ରାତି । ଶୂନଶାନ ରାସ୍ତା । ସମୟ ପ୍ରାୟ ସାଢେ ୧୨ଟା ହେବ । ବସଷ୍ଟପ୍ ରେ ସାଲୱାର୍ ସୁଟ୍ ପିନ୍ଧି ଠିଆ ହୋଇଥିଲେ ଜଣେ ଏକାକୀ ମହିଳା। ହାଇଦ୍ରାବାଦ ସଡ଼କରେ ସେଦିନ ଯାହା ଘଟିଲା ତାହା କୌଣସି ଫିଲ୍ମର ସସପେନ୍ସ ଥ୍ରିଲର କାହାଣୀ ଠାରୁ ବୋଧହୁଏ କମ୍ ହେବନି... ଏ ଦୃଶ୍ୟ ଥିଲା ହାଇଦ୍ରାବାଦରେ ଜଣେ ମହିଳା ଆଇପିଏସ୍ ଙ୍କ ଅଣ୍ଡରକଭର ଅପରେସନ। ସେଦିନ ସହରର ସ୍ଥିତି ପରଖିବାକୁ ଖୋଦ୍ ରାସ୍ତାକୁ ଓହ୍ଲାଇଥିଲେ ମଲକାଜଗିରି ପୁଲିସ କମିଶନର ସୁମତି। ରାତି ସାଢେ ୧୨ଟାରୁ ସାଢେ ୩ଟା ଯାଏଁ ସାଧାରଣ ପୋଷାକରେ ବିଭିନ୍ନ ସ୍ଥାନରେ ଯାଇ ଠିଆ ହୋଇଥିଲେ ମହିଳା ଆଇପିଏସ୍। ସେଦିନ ୩ ଘଣ୍ଟାର ଅପରେସନ ଭିତରେ ସୁମତିଙ୍କୁ ଆପ୍ରୋଚ୍ କରିଥିଲେ ୪୦ଜଣ ପୁରୁଷ। ଅଶ୍ଳୀଳ ଇଙ୍ଗିତ କରି ସାଇଡ୍ କୁ ଡାକୁଥିଲେ ଅସଭ୍ୟମାନେ।
ସବୁଠୁ ଦୁର୍ଭାଗ୍ୟର ବିଷୟ ଏମାନଙ୍କ ଭିତରୁ ଅଧିକ ଥିଲେ ଷ୍ଟୁଡେଣ୍ଟ। ଯେଉଁମାନେ ଆମ ଦେଶର ଆଗାମୀ ଭବିଷ୍ୟତ । ଅଧିକାଂଶ ଲୋକ ନିଶାରେ ଚୁର୍ ଥିଲେ। ମଦ ନିଶାରେ ଅଭଦ୍ର ଭଳି ବ୍ୟବହାର କରିଥିଲେ। ଖରାପ କାମ କରିବାକୁ ଡାକିଥିଲେ। ନିର୍ଜନ ରାତିରେ ଏକାକୀ ଠିଆ ହୋଇଥିବା ଏହି ମହିଳାଙ୍କୁ ସେଦିନ ମିଳିଥିଲା ଏମିତି ସାହାଯ୍ୟ। ଏକଥା ଯେତିକି ଚିନ୍ତାଜନକ ସେତିକି ଦୁଭାର୍ଗ୍ୟଜନକ। ଏଥିରୁ ଜଣାପଡ଼ୁଛି ଏ ସମାଜରେ ନାରୀ କେତେ ସୁରକ୍ଷିତ। ସୁମତିଙ୍କ ଅପରେସନ ସରିବା ପରେ ପୁଲିସ ସେହି ଲୋକମାନଙ୍କୁ ଥାନାକୁ ଡାକିଥିଲା। ଆଗକୁ ଏମିତି ଭୁଲ୍ ନକରିବାକୁ ପୁଲିସ ଚେତାବନୀ ଦେଇ ଛାଡ଼ିଥିଲା। ଏମାନଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇନାହିଁ। ମହିଳାଙ୍କ ସୁରକ୍ଷା ପାଇଁ ଏହି ଅପରେସନ କରାଯାଇଥିଲା।
ତେଲେଙ୍ଗାନା କ୍ୟାଡରର ବରିଷ୍ଠ ଆଇପିଏସ୍ ଅଧିକାରୀ ସୁମତି ମେ’ ୧ରେ ମଲକାଜଗିରି ପୁଲିସ କମିଶନର ଭାବେ ଦାୟିତ୍ଵ ନେଇଥିଲେ। ଏସି ରୁମ୍ରେ ବସି ମହିଳାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିହେବ ନାହିଁ ବୋଲି ହୃଦୟଙ୍ଗମ କରିପାରିଥିଲେ। ଏଥିପାଇଁ ସେ ରାସ୍ତାକୁ ଓହ୍ଲାଇବାକୁ ସ୍ଥିର କରିଥିଲେ। ଯେଉଁ ରାସ୍ତାରେ ପ୍ରତିଦିନ ହଜାର ହଜାର ମା’-ଭଉଣୀ ଯାତ୍ରା କରୁଛନ୍ତି ସେଠାରେ ସେମାନେ କେତେ ସୁରକ୍ଷିତ ତାହା ଜାଣିବାକୁ ଚେଷ୍ଟା କରିଥିଲେ। ଏଥିପାଇଁ ସେ ବିଳମ୍ବିତ ରାତିରେ ୩ ଘଣ୍ଟାର ଅଣ୍ଡର କଭର ଅପରେସନ ପ୍ଲାନ୍ କରିଥିଲେ। ରାତି ସାଢେ ୧୨ଟାରେ ସୁମତି ପ୍ରଥମେ ଦିଲସୁଖନଗର ବସଷ୍ଟାଣ୍ଡରେ ଠିଆ ହୋଇଥିଲେ। ତାଙ୍କ ଆଖପାଖରେ ସାଧାରଣ ପୋଷାକରେ ଅନ୍ୟ ପୁଲିସ କର୍ମୀ ନିୟୋଜିତ ଥିଲେ। ତାଙ୍କୁ ଅଶ୍ଳୀଳ ବ୍ୟବହାର କରୁଥିବା ଲୋକମାନଙ୍କୁ ଜମାବି ଜଣା ନଥିଲା ସେମାନେ କାହାକୁ କଣ କହୁଛନ୍ତି।
ଏହି ଅପରେସନ ପରେ ସୁମତି ଅନୁଭବ କରିଥିଲେ ଯେ ମହିଳାମାନଙ୍କ ପାଇଁ ନିର୍ଜନ ରାତି ସମ୍ପୂର୍ଣ୍ଣ ଅସୁରକ୍ଷିତ। ରାତିରେ ମହିଳାମାନେ କେବଳ ଅପରାଧ ନୁହେଁ, ଖରାପ ନଜର, ପିଛା କରିବା ଏବଂ ଅଶ୍ଳୀଳ ଇଙ୍ଗିତର ସମ୍ମୁଖୀନ ହୁଅନ୍ତି । ଏଥିରୁ ଜଣା ପଡ଼ୁଛି ଯେ, ସହରରେ ଯଦି ଜଣେ ମହିଳା କମିଶନରଙ୍କ ଏମିତି ଅବସ୍ଥା ତାହେଲେ ଏଠି ସାଧାରଣ ନାରୀ କେତେ ସୁରକ୍ଷିତ ? ସୁମତିଙ୍କ ଏହି ସିକ୍ରେଟ୍ ଅପରେସନ ପରେ ଏବେ ସବୁଠି ଚର୍ଚ୍ଚା। ସମସ୍ତେ ତାଙ୍କ ସାହାସକୁ ସମସ୍ତେ ଶତ ସଲାମ କରୁଛନ୍ତି।
ଏହି ଖବରଟିକୁ ପଢନ୍ତୁ- ISI ଟାର୍ଗେଟରେ ଦିଲ୍ଲୀର ଐତିହାସିକ ମନ୍ଦିର, ସୋନିପତର ଫେମସ୍ ଢାବାକୁ ଉଡ଼ାଇଦେବାକୁ ରଚିଥିଲେ ଷଡ଼ଯନ୍ତ୍ର