ଭୁବନେଶ୍ବର,୦୨/୧୦: ଜଣେ ଜାତିର ଜନକ, ଅହିଂସାର ପୂଜାରୀ ତ ଆଉ ଜଣେ ଶାନ୍ତିଦୂତ । ଭାରତବର୍ଷ ପାଇଁ ଅକ୍ଟୋବର ୨ ତାରିଖ ଅବିସ୍ମରଣୀୟ ହୋଇ ରହିଛି । ଏହି ମାଟିରେ ଜନ୍ମ ନେଇଥିଲେ ମୁକ୍ତି ସଂଗ୍ରାମର ଦୁଇ ସାରଥୀ । ସେହି ମହାପୁରୁଷ ହେଉଛନ୍ତି ସତ୍ୟର ସାଧକ ଅହିଂସାର ପଜୂରା ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ । ଗୋରା କବଳରୁ ଦେଶକୁ ମୁକୁଳେଇବା ପାଇଁ ହୋଇଥିବା ସତ୍ୟାଗ୍ରହ ସଂଗ୍ରାମର ସେନାପତି, ସତ୍ୟ ଅହିଂସାର ପଥ ପ୍ରଦର୍ଶକ ମହାତ୍ମା ଗାନ୍ଧୀଙ୍କର ଆଜି ୧୫୫ ତମ ଜନ୍ମ ଜୟନ୍ତୀ । ସେହିପରି ଆଉ ଜଣେ ମାହାନ ବ୍ୟକ୍ତିତ୍ବ ଲାଲ ବାହାଦୂର ଶାସ୍ତ୍ରୀଙ୍କର ମଧ୍ୟ ଜନ୍ମଜୟନ୍ତୀ ପାଳୁଛନ୍ତି ଦେଶବାସୀ । ଗାନ୍ଧୀଜୀ ଅହିଂସା ଆଧାରରେ ଦେଶକୁ ସ୍ବାଧୀନତାର ସ୍ବାଦ ଚଖାଇଥିବାବେଳେ ଶାସ୍ତ୍ରୀଜୀଙ୍କ ଜୀବନ ସାଧୁ ଓ ନୀତିବାନ ହେବାକୁ ପ୍ରେରଣା ଦିଏ । ଆଜି ଏହି ଦୁଇ ମହାନ ମହାପୁରୁଷଙ୍କୁ ମନେ ପକାଉଛନ୍ତି ଦେଶବାସୀ ।
ତେବେ ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଗୁଜୁରାଟର ପୋର ବନ୍ଦରଠାରେ ପିତା କରମଚାନ୍ଦ ଗାନ୍ଧୀ ଓ ମାତା ପୁତୁଲିବାଈଙ୍କ କୋଳ ମଣ୍ଡନ କରିଥିଲେ ଜାତିର ଜନକ ମହାତ୍ମା ଗାନ୍ଧୀ । ମହାତ୍ମା ଗାନ୍ଧୀଙ୍କ ପୂରା ନାମ ମୋହନ ଦାସ କରମଚାନ୍ଧ ଗାନ୍ଧୀ । ମାତ୍ର ୧୩ ବର୍ଷ ବୟସରେ ଗାନ୍ଧୀ କସ୍ତୁରବାଙ୍କୁ ବିବାହ କରିଥିଲେ । ମହାତ୍ମାଗାନ୍ଧୀ ଏବଂ କସ୍ତୁରବାଙ୍କର ଚାରି ପୁତ୍ର ହିରାଲାଲ, ମଣିଲାଲ, ରାମଦାସ ଏବଂ ଦେବଦାସ । ପରାଧିନ ଭାରତର ଆନ୍ଦୋଳନରେ ମୁଖ୍ୟ ପୁରୋଧାର କାର୍ଯ୍ୟ ନିଭାଇଥିଲେ ଗାନ୍ଧୀଜୀ । ତାଙ୍କୁ ଆଦରରେ ଜାତିର ପିତା ଓ ବାପୁଜୀ ବୋଲି କୁହାଯାଏ । ଗାନ୍ଧୀଙ୍କୁ ମହାତ୍ମାର ଆଖ୍ୟା ଦେଇଥିଲେ ଗୁରୁ ରବୀନ୍ଦ୍ରନାଥ ଟାଗୋର । ରାଜକୁମାରୀ ଶୁକ୍ଲା ମହାତ୍ମା ଗାନ୍ଧୀଙ୍କୁ ସର୍ବପ୍ରଥମେ ‘ବାପୁ’ ବୋଲି ଡାକିଥିଲେ । ନେତାଜୀ ସୁବାଷ ଚନ୍ଦ୍ର ବୋଷ ପ୍ରଥମେ ଗାନ୍ଧୀଜୀଙ୍କୁ ଜାତିର ପିତାର ଆଖ୍ୟା ଦେଇଥିଲେ । ବ୍ରିଟିଶ ଶାସନ ବିରୋଧରେ ମହାତ୍ମା ଗାନ୍ଧୀ ଥିଲେ ମୁଖ୍ୟ । ଅହିଂସା ଓ ସତ୍ୟାଗ୍ରହକୁ ସର୍ବାଦା ଗୁରୁତ୍ବ ଦେଉଥିଲା ବାପୁ ।ଦେଶକୁ ସ୍ବାଧୀନ କରିବାକୁ ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ ଭାରତଛାଡ଼ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଓ ଅସହଯୋଗ ଆନ୍ଦୋଳନ କରାଯାଇଥିଲା ।
ସେହିପରି ସ୍ବାଧୀନ ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କର ମଧ୍ୟ ଆଜି ଜନ୍ମଦିନ । ଉତ୍ତରପ୍ରଦେଶର ମୁଗଲସରାଇଠାରେ ୧୯୦୪ ମସିହା ଅକ୍ଟୋବର ୨ ତାରିଖରେ ଜନ୍ମଲାଭ କରିଥିଲେ ଶାସ୍ତ୍ରୀଜୀ । ଆଜି ଲାଲ ବାହାଦୂର ଶାସ୍ତ୍ରୀଜୀଙ୍କର ୧୨୦ତମ ଜନ୍ମ ଜୟନ୍ତୀ । ଶାସ୍ତ୍ରୀଜୀଙ୍କ ବାଲ୍ୟକାଳ ସଂଘର୍ଷରେ ବିତିଥିଲା । ମାତ୍ର ୧୬ ବର୍ଷ ବୟସରେ ଗାନ୍ଧୀଜୀଙ୍କ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ । ସ୍ବଦେଶୀପ୍ରେମୀଙ୍କ ସଂସ୍ପର୍ଶରେ ଆସିଥିଲେ । ଶାସ୍ତ୍ରୀ ଦେଶର କୃଷକ ଏବଂ ଶ୍ରମିକମାନଙ୍କର ନେତା ଭାବରେ ମଧ୍ୟ ଜଣାଶୁଣା । ସେ ଜୟ ଯବାନ, ଜୟ କିଷାନଙ୍କ ସ୍ଲୋଗାନ୍ ଦେଇଥିଲେ । ଲାଲ ବାହାଦୂର ଶାସ୍ତ୍ରୀ ତାଙ୍କର ସରଳ ପ୍ରକୃତି ଏବଂ ସରଳ ଜୀବନ ପାଇଁ ଜଣାଶୁଣା । ୧୯୬୫ ମସିହାରେ ଭାରତ-ପାକ୍ ଯୁଦ୍ଧ ସମୟରେ ଲାଲ ବାହାଦୂର ଶାସ୍ତ୍ରୀ ଜୟ ଯବାନ, ଜୟ କିଷାନ ସ୍ଲୋଗାନ୍ ଦେଇଥିଲେ । ୧୯୬୬ ମସିହା ୧୧ ଜାନୁଆରୀରେ ଲାଲ ବାହାଦୂର ଶାସ୍ତ୍ରୀଙ୍କର ତାସକେଣ୍ଟରେ ସନ୍ଦେହଜନକ ଅବସ୍ଥାରେ ପରଲୋକ ହୋଇଥିଲା । ତେବେ ଆଜି ଏହି ଦୁଇ ମହାପୁରୁଷଙ୍କୁ ମନେ ପକାଉଛି ଦେଶ । ଦେଶପାଇଁ ସେମାନଙ୍କ ଅବଦାନକୁ ମନେ ପକାଉଛନ୍ତି ଦେଶବାସୀ । ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତ୍ରୀ ଅବସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଛି ।