କଟକ, ୦୯/୦୬: ଶିଶୁଭବନ ସଂପ୍ରସାରଣ ପାଇଁ ପୁରୁଣା ରାଜଭବନ ତଥା ମରହଟ୍ଟା ସମୟର ଲାଲବାଗ୍ କୋଠି ଐତିହ୍ୟ କୀର୍ତ୍ତିରାଜି ଭଙ୍ଗାଯାଇଥିଲା । ଏବେ ଲାଲବାଗ୍‌ର ଶେଷ ସ୍ମୃତି ବି ମାଟିରେ ମିଶିଲା । ଲାଲବାଗ କୋଠିର ଶେଷ ଅଂଶ ଭାବେ ୧୦୨ ବର୍ଷ ଧରି ଚାଲିଥିବା ଲାଲ୍‌ବାଗ୍ ଥାନା କୋଠାକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇଛି । ସହରବାସୀଙ୍କ ପ୍ରତିବାଦ ଓ ଅସନ୍ତୋଷ ସତ୍ତେ୍ୱ ଇତିହାସର ଏହି ଶେଷ ସ୍ମୃତିକୁ ରାତାରାତି ନିଶ୍ଚିହ୍ନ କରି ଦିଆଯାଇଛି । କିଛି ଦିନ ପରେ ସେହି ସ୍ମାରକୀ ସ୍ଥାନକୁ ପାର୍କିଂଷ୍ଟାଣ୍ଡ୍‌ରେ ବଦଳାଇ ଦିଆଯିବ । ଏହା ସହ କବର ନେବ ଲାଲବାଗର ଐତିହ୍ୟ ।

ଓଡ଼ିଶା ଇତିହାସରେ କଟକ ଲାଲବାଗ କୋଠିର ପ୍ରସିଦ୍ଧି ରହିଛି । ମୋଗଲ ସୁବେଦାରଙ୍କଠାରୁ ଆରମ୍ଭ କରି ମରହଟ୍ଟା ଓ ଇଂରେଜ ଅମଳର ପ୍ରାଦେଶିକ ଶାସନକର୍ତ୍ତାଗଣ ଏଠାରେ ଅବସ୍ଥାନ କରୁଥିଲେ । ଲାଲବାଗ କୋଠି କାଠଯୋଡ଼ି କୂଳସ୍ଥ ଏକ ସୁପ୍ରଶସ୍ତ କ୍ଷେତ୍ର ଉପରେ ଅବସ୍ଥାପିତ ଥିଲା । ସୂଚନା ଅନୁସାରେ, ଖ୍ରୀଷ୍ଟାବ୍ଦ ୧୬୩୩ରେ ଲାଲବାଗ କୋଠି ତିଆରି ହୋଇଥିଲା । ସେତେବେଳେ ସୁବେଦାର ଥିଲେ ମୁତାକ୍ୱାଦ୍ ଖାନ୍ । ସେହି ସମୟରୁ ଲାଲବାଗ ଆଖପାଖ ଅଞ୍ଚଳ ପ୍ରାଦେଶିକ ଶାସନର ମୁଖ୍ୟ ପ୍ରତିଷ୍ଠାନ ରୂପେ ଗଢ଼ି ଉଠିଥିଲା । ଏହି କ୍ଷେତ୍ରରେ ପରବର୍ତ୍ତୀ ସମୟରେ ଅନେକ ସରକାରୀ ଦପ୍ତର ଗଢିଉଠିଥିଲା । ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟ, ରାଜସ୍ୱ ପର୍ଷଦ ଆଦି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ନିର୍ମାଣ ହୋଇଥିଲା ।

୧୯୪୮ ମସିହା ପରଠାରୁ ଏହି କୋଠାର ଏକ ଅଂଶକୁ ଶିଶୁରୋଗ ଚିକିତ୍ସା ପ୍ରତିଷ୍ଠାନ ଶିଶୁଭବନରେ ପରିଣତ କରିଦିଆଗଲା । ତେବେ ଲାଲବାଗ୍ ନାମକରଣକୁ ନେଇ ଅନେକ ଦ୍ୱନ୍ଦ୍ୱ ବି ରହିଛି । ୧୬୧୭ରେ ଅବିଭକ୍ତ ବଙ୍ଗ-ଓଡ଼ିଶାର ଶାସନକର୍ତ୍ତା ଥିବା ଲାଲାବେଗ୍‌ଙ୍କ  ସ୍ମୃତିରେ ଲାଲବାଗ୍ କୋଠା ନିର୍ମାଣ କରାଯାଇଥିବା କେହି କେହି କହନ୍ତି । ସେହିପରି ଉଇଲିୟମ୍ ବଟନ୍ ସାହେବଙ୍କ ଖ୍ରୀ.୧୬୩୩ରେ କଟକ ସମ୍ବନ୍ଧୀୟ ଲିପିବଦ୍ଧ ବିବରଣୀରୁ ଜଣାଯାଏ, ୧୫୬୮ ମସିହାରେ ମୁକୁନ୍ଦଦେବଙ୍କ ପରଠାରୁ ବାରବାଟୀ ଦୁର୍ଗର ପତନ ଆରମ୍ଭ ହୋଇଯାଇଥିଲା । ମୋଗଲ ସୁବେଦାରମାନେ ସେମାନଙ୍କ ରୁଚି ଅନୁସାରେ ଏକ ନୂତନ ଭବନର ନିର୍ମାଣ କରି ଏହାର ନାମକରଣ ଲାଲବାଗ୍ ରଖି ଥାଇପାରନ୍ତି ।

ଅଧିକ ପଢ଼ନ୍ତୁ :- ପଥରଗଦାରୁ ୧୪ ଫୁଟିଆ ନାଗ ସହ ୧୬ ଅଣ୍ଡା ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟ, ପ୍ରାକୃତିକ ପରିବେଶରେ ଛଡ଼ାଗଲା...

ଲାଲବାଗ୍ କୋଠିର ଶେଷ ସ୍ମୃତି ଲାଲବାଗ୍ ଥାନା ଥିଲା । ଏହି ଐତିହ୍ୟ କୋଠା ଯେତେବେଳେ ଭଙ୍ଗାଯିବାକୁ ଯୋଜନା ହେଲା ସେତେବେଳେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଥିଲା । ଏମିତିକି ମେୟର ସୁବାସ ସିଂହଙ୍କ ସମେତ କଟକ ସହରର ବୁଦ୍ଧିଜୀବୀମାନେ ଏହି ସ୍ମୃତିକୁ ସଂରକ୍ଷିତ କରି ରଖାଯାଉ ବୋଲି ଦାବି କରିଥିଲେ । ଅନେକ ସାମାଜିକ ସଂଗଠନ, ରାଜନୈତିକ ଦଳ ଓ ବ୍ୟକ୍ତିବିଶେଷଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ସମେତ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର ମଧ୍ୟ ଦାଖଲ କରାଯାଇଥିଲା । ଏତେ ସବୁ ପ୍ରତିକ୍ରିୟା, ପ୍ରତିବାଦ ସତ୍ତେ୍ୱ ଲାଲବାଗ୍ ଥାନା କୋଠାକୁ ରାତାରାତି ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି । ପ୍ରତିବାଦ ଓ ଅପ୍ରୀତିକର ପରିସ୍ଥିତି ଏଡାଇବା ପାଇଁ ଚତୁରତାର ସହ ରାତିରେ ହିଁ କୋଠାକୁ ଭାଙ୍ଗି ଦିଆଯାଇଛି । ତେବେ ଏଭଳି ଢଙ୍ଗରେ ଐତିହ୍ୟ ଭଙ୍ଗାଯିବା ଖବର ପ୍ରଚାରିତ ହେବା ପରେ ସବୁ ମହଲରେ ଚାପା ଅସନ୍ତୋଷ ପ୍ରକାଶ ପାଇଛି ।