କଟକ,୨୨/୦୪ : ଗାଡ଼ି ପୃଥକୀକରଣ ବା ଭେଇକିଲ୍ କ୍ଲାସିଫେିକେସନ୍ ନିୟମ ଆଣିଛନ୍ତି କେନ୍ଦ୍ର ସରକାର । ଏହି ନିୟମ ଅନୁସାରେ ଗାଡ଼ିଗୁଡ଼ିକର ସ୍ଥିତି ଅନୁସାରେ ଚାରି ଭାଗରେ ବିଭକ୍ତ କରାଯିବ । ଯଦି ଏହି ପୃଥକୀକରଣ ନିୟମ ଓଡ଼ିଶାରେ ଲାଗୁ କରାଯାଏ ତେବେ ରାସ୍ତାରୁ ୮ ଲକ୍ଷ ଗାଡ଼ି ହଟିଯିବ । କେନ୍ଦ୍ର ସରକାରଙ୍କ ଏଭଳି ନୀତିକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ (ପିୟୁସିସି)ର କଷ୍ଟ ସାଧାରଣ ଲୋକ ଭୁଲି ନଥିବାବେଳେ ଏବେ ଏହି ନିୟମ ଯଦି ଲାଗୁହୁଏ ତାହେଲେ ସେମାନେ ପୁଣି ଯନ୍ତ୍ରଣା ଭିତରକୁ ଠେଲି ହୋଇଯିବେ । ବିଭିନ୍ନ କାଗଜପତ୍ର ପାଇଁ ସମାନେ ପୁଣି ଆରଟିଓ ଅଫିସ୍ ଆଗରେ ଧାଡ଼ି ଲଗାଇବେ । ଯାହାର ଗାଡ଼ି ରାସ୍ତାରେ ଚାଲିବା ପାଇଁ ଅଯୋଗ୍ୟ ଘୋଷିତ ହେବ ତାକୁ ପୁଣି ଏକ ନୂଆ ଗାଡ଼ି କିଣିବା ପାଇଁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ।
କେନ୍ଦ୍ର ସଡ଼କ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ସରକାରଙ୍କୁ ଏକ ଚିଠି ଲେଖାଯାଇ ବାହନ ପୋର୍ଟାଲରେ ଗାଡ଼ି ପୃଥକୀକରଣ ବା ବର୍ଗୀକରଣ ପାଇଁ ଡାଟାବେସ୍ ପ୍ରସ୍ତୁତ କରିବାକୁ କୁହାଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି କେଉଁ ଗାଡ଼ିର ସ୍ଥିତି କ’ଣ ରହିଛି ଏବଂ ସେହି ସ୍ଥିତି ଅନୁସାରେ ଗାଡ଼ିଗୁଡ଼ିକ ରାସ୍ତାରେ ଗଡ଼ିବ କି’ ନାହିଁ ତାହା ସ୍ଥିର କରାଯିବ । ଗାଡ଼ିଗୁଡ଼ିକୁ ଚାରିଟି ଭାଗ ଯଥା ଆକ୍ଟିଭ୍ କମ୍ପ୍ଲାଣ୍ଟ, ଆକ୍ଟିଭ୍ ନନ୍-କମ୍ପ୍ଲାଣ୍ଟ, ଟେମ୍ପରାରି ଆର୍କାଇଭ୍ ଏବଂ ପରମାନେଣ୍ଟ୍ ଆର୍କାଇଭ୍ । ନିୟମ ଅନୁସାରେ ଯଦି କୌଣସି ଗାଡ଼ିର ପିୟୁସିସି କିମ୍ବା ଇନସ୍ୟୁରାନ୍ସ ମଧ୍ୟରୁ କୌଣସି ଗୋଟିଏର ବୈଧତା ନଥିବ ତାହା ଏହି ଆକ୍ଟିଭ୍ କମ୍ପ୍ଲାଣ୍ଟ୍ ପର୍ଯ୍ୟାୟଭୁକ୍ତ ରହିବେ । ଯେଉଁ ଗାଡ଼ିର ଦୁଇବର୍ଷ ଧରି ଏହି ଦୁଇଟି ଯାକ ସାର୍ଟିଫିକେଟ୍ ବୈଧ ନଥିବ ତାହା ଆକ୍ଟିଭ୍ ନନ୍କମ୍ପ୍ଲାଣ୍ଟ ପର୍ଯ୍ୟାୟଭୁକ୍ତରେ ଆସିବ । ଯେଉଁ ଗାଡ଼ିଗୁଡ଼ିକର ୨ବର୍ଷରୁ ଅଧିକ ଏବଂ ୩ବର୍ଷରୁ କମ୍ ପିୟୁସିସି ଏବଂ ଇନସ୍ୟୁରାନ୍ସର ବୈଧତା ନଥିବ ସେହି ଗାଡ଼ିଗୁଡ଼ିକ ଟେମ୍ପରାରି ଆର୍କାଇଭି ଓ ଯେଉଁ ଗାଡ଼ିର ତିନିବର୍ଷରୁ ଅଧିକ ସମୟ ଧରି ପିୟୁସିସି ଏବଂ ଇନସ୍ୟୁରାନ୍ସ ସହ ଅନ୍ୟ କୌଣସି କାଗଜପତ୍ର ନଥିବ ଉକ୍ତ ଗାଡ଼ିକୁ ପରମାନେଣ୍ଟ ଆର୍କାଇଭ୍କୁ ପଠଯିବ । ଅର୍ଥାତ୍ ଏହି ଗାଡ଼ି ଆଉ ନାହିଁ ବୋଲି ସରକାର ଗ୍ରହଣ କରିନେବେ । ଫଳରେ ଏହି ବର୍ଗର ଗାଡ଼ି ଆଉ ରାସ୍ତାରେ ଗଡ଼ିପାରିବ ନାହିଁ । ଅଣବାଣିଜ୍ୟକ (ନନ୍ କମର୍ସିଆଲ୍) ଗାଡ଼ି, ଯାହାର ଆୟୁଷ ୧୫ବର୍ଷରୁ ଅଧିକ ହୋଇଥିବ ସେହିଭଳି ଗାଡ଼ିଗୁଡ଼ିକର ଯଦି ପିୟୁସିସି ଏବଂ ଇନସ୍ୟୁରାନ୍ସ ନଥିବ ତାହା ମଧ୍ୟ ସ୍ଥାୟୀ ଆର୍କାଇଭ୍କୁ ଚାଲିଯିବେ । ଯାହାକି ସ୍କ୍ରାପ୍ ସହ ସମାନ । କିନ୍ତୁ ବାଣିଜ୍ୟକ ଗାଡ଼ିଗୁଡ଼ିକ ଯଦି ଦୁଇ ବର୍ଷ ଭିତରେ ଫିଟ୍ନେସ୍, ବୀମା କିମ୍ବା ପିୟୁସିସି କରିନଥିବେ ଏହା ଅସ୍ଥାୟୀ ଆର୍କାଇଭିକୁ ଚାଲିଯିବ ।
ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ପ୍ରାୟ ୩ ବର୍ଷରୁ ଅଧିକ ସମୟ ଧରି ପିୟୁସିସି, ଇନସ୍ୟୁରାନ୍ସ ନଥିବା ଗାଡ଼ି ସଂଖ୍ୟା ୮ଲକ୍ଷରୁ ଅଧିକ । ଯଦି କେନ୍ଦ୍ର ସରକାରଙ୍କ ଏହି ନିୟମକୁ କଡ଼ାକଡ଼ି ଭାବେ ରାଜ୍ୟ ସରକାର ଲାଗୁକରନ୍ତି ତାହେଲେ ଏହି ୮ଲକ୍ଷ ଗାଡ଼ି ସ୍ଥାୟୀ ଆର୍କାଇଭିକୁ ଚାଲିଆସିବ । ଅର୍ଥାତ୍ ଏହି ଗାଡ଼ିଗୁଡ଼ିକ ଆଉ ରାସ୍ତାରେ ଚାଲିପାରିବ ନାହିଁ । ଏ ସଂକ୍ରାନ୍ତରେ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସ୍ଥାୟୀ ଆର୍କାଇଭ୍କୁ ଯାଇଥିବା ଗାଡ଼ି ପାଇଁ ବି ବାଟ ଅଛି । ଏହି ଗାଡ଼ିମାଲିକଙ୍କୁ ସିଧାସଳଖ ଏସ୍ଟିଏ କମିସନରଙ୍କ ନିକଟରେ ଆବେଦନ କରିବାକୁ ପଡ଼ିବ । କାହିଁକି ଏତେବର୍ଷ ଧରି ଗାଡ଼ିର କୌଣସି କାଗଜପତ୍ର ନବୀକରଣ କରିନଥିଲେ ତାହାର ଉପଯୁକ୍ତ କାରଣ ଦର୍ଶାଇବାକୁ ପଡ଼ିବ । ଯଦି ଏହି ଜବାବରେ କମିସନର ସନ୍ତୁଷ୍ଟ ହୁଅନ୍ତି ତାହେଲେ ଏହି ଗାଡ଼ିକୁ ଚଳାଚଳ ଅନୁମତି ଦେବାକୁ ସେ ଏନେଇ କେନ୍ଦ୍ର ସଡ଼କ ମନ୍ତ୍ରାଳୟକୁ ଜଣାଇବେ । ଅନ୍ୟପକ୍ଷରେ ଏଭଳି ନିୟମ ଗାଡ଼ି ମାଲିକମାନଙ୍କୁ ପୁଣି ନୟାନ୍ତ କରିବ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଲାଣି ।
ଏହି ଖବରଟିକୁ ପଢନ୍ତୁ- ସାମପୁର ଜମି କେଳେଙ୍କାରୀ : ଅଣ୍ଡରଗ୍ରାଉଣ୍ଡ କେବୁଲିଂରେ ମିଳୁଥିଲା ବିଦ୍ୟୁତ୍, ଆଦାୟ ହେଉଥିଲା ମୋଟା ଅଙ୍କର ଟଙ୍କା