ଭବାନୀପାଟଣା, ୧୬/୦୫ : କଳାହାଣ୍ଡି ଜିଲ୍ଲା ପ୍ରଶାସନର ଉଦ୍ୟମରେ ୨୦୨୩-୨୪ରେ ଲାଞ୍ଜିଗଡ଼ସ୍ଥିତ କୁଟିଆକନ୍ଧ ଉନ୍ନୟନ ସଂସ୍ଥା (କେକେଡିଏ)ର ଓଡ଼ିଶା ଆଦିମ ଜନଜାତି ସଶକ୍ତୀକରଣ ଓ ଉନ୍ନତିକରଣ କାର୍ଯ୍ୟକ୍ରମ ଦ୍ୱାରା ଷ୍ଟ୍ରବେରୀ ଚାଷ କରାଯାଇଥିଲା। ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ପଞ୍ଚାୟତ ସଂରକ୍ଷିତ ଜଙ୍ଗଲସ୍ଥିତ ବାରବୁଲି ଗାଁର କୁଟିଆ କନ୍ଧ ସମ୍ପ୍ରଦାୟର ମହିଳାଙ୍କୁ ସ୍ଥାୟୀ ରୋଜଗାର ଯୋଗାଇବା ଉଦ୍ଦେଶ୍ୟରେ ପ୍ରଶାସନ ଏଭଳି ଉଦ୍ୟମ ଆରମ୍ଭ କରିଥିଲା । ଥରୁଟିଏ ଅମଳ ହେଲା । ଆଦିବାସୀମୂଲକର ସଫଳ କାହାଣୀ ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିଲା । ହେଲେ ତା’ପର ବର୍ଷକୁ ଉଜୁଡ଼ିଗଲା ଚାଷ । କେବଳ ଷ୍ଟ୍ରବେରୀ ଚାଷ ବୁଡ଼ିଗଲା ତାହା ନୁହେଁ ଏଥିରେ ନିୟୋଜିତ କୁଟିଆ କନ୍ଧ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ଭାରରେ ବୁଡ଼ାଇ ଦେଲା ।  

କଳାହାଣ୍ଡି ଜିଲ୍ଲାରେ ପ୍ରଥମ ଥର ଷ୍ଟ୍ରବେରୀ ଚାଷ ହୋଇଥିଲା । କୁଟିଆକନ୍ଧ ସମ୍ପ୍ରଦାୟର ମହିଳାଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ପଦକ୍ଷେପ ନେଇଥିଲା ଜିଲ୍ଲା ପ୍ରଶାସନ । ଉଦ୍ୟାନ କୃଷି ବିଭାଗ ବୈଷୟିକ ସହଯୋଗ ଓ ବିକ୍ରିବଟା ପାଇଁ ମିଶନଶକ୍ତି ବିଭାଗ ପକ୍ଷରୁ ଏକ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ୱ ଦିଆଯାଇଥିଲା । ଚାଷ ସମ୍ପର୍କିତ ଜ୍ଞାନକୌଶଳ ଜାଣିବା ପାଇଁ ଲାଞ୍ଜିଗଡ଼ କୁଟିଆକନ୍ଧ ଉନ୍ନୟନ ସଂସ୍ଥା ପକ୍ଷରୁ ନୂଆପଡ଼ା ଜିଲ୍ଲା ସୁନାବେଡ଼ାକୁ କ୍ଷେତ୍ର ପରିଦର୍ଶନ ମଧ୍ୟ କରାଯାଇଥିଲା । ପ୍ରଶିକ୍ଷଣ ନେଇଥିବା ମହିଳା ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଷ୍ଟ୍ରବେରୀ ଚାଷ କରିବାରେ ମନୋନିବେଶ କରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ବାରବୁଲି ଗାଁର ୫ ଏକର ଜମିରେ ଚାଷ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା । ଓଡ଼ିଶା ଆଦିମ ଜନଜାତି ସଶକ୍ତୀକରଣ ଓ ଜୀବିକା ଉନ୍ନୟନ କାର୍ଯ୍ୟକ୍ରମ ପ୍ରକଳ୍ପ ନିର୍ଦ୍ଦେଶକ ଏଥିଲାଗି ୨୮ ଲକ୍ଷ ୫୮ ହଜାର ୩୨ ଟଙ୍କା ଅର୍ଥ ମଞ୍ଜୁର କରିଥିଲେ । ସେଥିମଧ୍ୟରୁ କୃଷି ଉଦ୍ୟାନ ବିଭାଗର ବୁନ୍ଦା ଜଳସେଚନ ପାଇଁ ୨ ଲକ୍ଷ ୮୭ହଜାର ୭୭୮ଟଙ୍କା, ଗ୍ରାମ ପଞ୍ଚାୟତର ଆଦିମ ଜନଜାତି ଉନ୍ନୟନ ପାଣ୍ଠିରୁ ୩ ଲକ୍ଷ ୮୨ ହଜାର ୩୦୦ ଟଙ୍କା ସ୍ୱୟଂ ସହାୟକ ଗୋଷ୍ଠୀର ଅଂଶଧନ ଭାବେ ରଖାଗଲା। 

ସେହିପରି ଷ୍ଟ୍ରବେରୀ ଚାଷ ପାଇଁ ଉଦ୍ଦିଷ୍ଟ ଜମିକୁ ଜଳଯୋଗାଣ ପାଇଁ କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ଓଡ଼ିଶା ଆଦିମ ଜନଜାତି ସଶକ୍ତୀକରଣ ଓ ଉନ୍ନତିକରଣ କାର୍ଯ୍ୟକ୍ରମ ଦ୍ୱାରା ସୌରଚାଳିତ ପମ୍ପ ଯୋଗାଇ ଦିଆଯାଇଥିଲା ।  ମିଶନ ଶକ୍ତି ବିକାଶ ଦ୍ୱାରା ମା'ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏଥିପାଇଁ ଚୟନ କରାଯିବା ପରେ ସମୁଦାୟ ୨୮ ଲକ୍ଷ ୫୮ ହଜାର ୩୨ ଟଙ୍କା ଖର୍ଚ୍ଚ ଅଟକଳରେ ୧ ଲକ୍ଷ ଷ୍ଟ୍ରବେରୀ ଚାରାରୋପଣ କରାଯାଇଥିଲା । କୁଟିଆ କନ୍ଧ ସଂସ୍ଥାର ପ୍ରକଳ୍ପ ପ୍ରବନ୍ଧକ ଓ କୃଷି ଅଧିକାରୀ ଏବଂ ଅନ୍ୟାନ୍ୟ କର୍ମୀ ଉଦ୍ୟାନ କୃଷି ବିଭାଗର ମିଳିତ ତତ୍ତ୍ୱାବଧାନରେ ହିମାଚଳ ପ୍ରଦେଶରୁ ଷ୍ଟ୍ରବେରୀ ଚାରା ଅଣାଯାଇ ଗତବର୍ଷ ଜାନୁଆରୀରେ ରୋପଣ କରାଗଲା । ଏହାର ପ୍ରଥମ ପାଚିଲା ଫଳ ଫେବ୍ରୁଆରୀରେ ବଜାରରେ ଉପଲବ୍ଧ ହୋଇଥିଲା । ପ୍ରଥମ ଅମଳ ଫଳକୁ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କୁ ଗ୍ରାମବାସୀ ପ୍ରଦାନ କରିଥିଲେ । ଚାଷର ସଫଳତା ଦେଖି ଜିଲ୍ଲାପାଳ ଷ୍ଟ୍ରବେରୀକୁ କଳାହାଣ୍ଡି ଫୁଡ୍‌ ଏଣ୍ଡ କ୍ରାଫ୍‌ଟ ଦ୍ୱାରା ବାଜାରୀକରଣ କରିବା ପାଇଁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓରମାସ ଓ ମିଶନଶକ୍ତି ବିଭାଗକୁ ଦାୟିତ୍ୱ ଦେଇଥିଲେ । ଷ୍ଟ୍ରବେରୀ ବିକ୍ରି ଦ୍ୱାରା ପ୍ରାୟ ୨୫ ଲକ୍ଷ ଓ ଚାରା ବିକ୍ରି ଦ୍ୱାରା ୫ ଲକ୍ଷରୁ ଅଧିକ ଟଙ୍କା ଉପାର୍ଜନ ଆକଳନ କରାଯାଇଥିଲା । ଏଥିପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ଜନଜାତି ମହିଳାମାନେ ପୁରସ୍କୃତ ହୋଇଥିଲେ । ମାତ୍ର ଜିଲ୍ଲାପାଳଙ୍କ ବଦଳି ପରେ ଲକ୍ଷାଧିକ ଟଙ୍କା ବିନିଯୋଗରେ କରାଯାଇଥିବା ଷ୍ଟ୍ରବେରୀ ଚାଷର ଭିତ୍ତିଭୂମି ନିଶ୍ଚିହ୍ନ ହୋଇଯାଇଛି । 

କେକେଡିଏ ଏହାର ରକ୍ଷଣାବେକ୍ଷଣରେ ଫେଲ୍‌ ମାରିଛି । ଷ୍ଟ୍ରବେରୀ ଚାଷକୁ ସୁରକ୍ଷା ଦେବା ପାଇଁ ଲକ୍ଷାଧିକ ଟଙ୍କାର ସୋଲାର ବାଡ଼ ମଧ୍ୟ ଉଭେଇ ଯାଇଛି । ଅପରପକ୍ଷେ ଷ୍ଟ୍ରବେରୀ ଚାଷ କରିବା ପାଇଁ ନିୟୋଜିତ ମା'ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଲକ୍ଷାଧିକ ଟଙ୍କା ଋଣ ଉଠାଇ ବିନିଯୋଗ କରିଥିଲେ । ବର୍ତ୍ତମାନ ସେହି ଋଣ ବୋଝ ସେମାନଙ୍କ ଉପରେ ଗଡୁଛି । ସେମାନେ ମୂଲମଜୁରି ଲାଗି ଆଣୁଥିବା ଟଙ୍କା ସୁଧ ବାବଦରେ ଗଣୁଛନ୍ତି । ଯାହାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏ ସମ୍ପର୍କରେ କେକେଡିଏ ଅଧିକାରୀଙ୍କ ପ୍ରତିକ୍ରିୟା ଲୋଡ଼ାଯାଇଥିଲା । ହେଲେ ଉକ୍ତ ଯୋଜନାରେ ଅନୁଦାନ ଆସି ନ ଥିବା କହି ସେ ଦାୟିତ୍ୱରୁ ଓହରି ଯାଇଥିଲେ ।