ନୂଆଦିଲ୍ଲୀ, ୮/୧୧ : ଦୁନିଆର ସବୁଠୁ ବଡ଼ ବୁଢିଆଣୀ ଜାଲ। ୧୦୬ ବର୍ଗ ମିଟର ଯାଏଁ ବ୍ୟାପିଛି ଏହି ଜାଲ। ଅଧା ଟେନିସ୍ କୋର୍ଟ ଭଳି ଆକାର। ସବୁଠୁ ଆଶ୍ଚର୍ଯ୍ୟ, ଏଠାରେ ଶାନ୍ତିପୂର୍ଣ୍ଣ ଭାବେ ରହୁଛନ୍ତି ଦୁଇ ଅଲଗା ଅଲଗା ପ୍ରଜାତି। ଏକା ସାଙ୍ଗରେ ବାସ କରୁଛନ୍ତି ଲକ୍ଷେ ୧୧ ହଜାର ବୁଢିଆଣୀ। ଅଲବାନିଆ ଏବଂ ଗ୍ରୀସ୍ ସୀମା ନିକଟରେ ଥିବା ଏକ ସଲଫର ଗୁମ୍ଫାରେ ରହିଛି ଏହି ସର୍ବବୃହତ୍ତ ବୁଢିଆଣୀ ଜାଲ।
୨୦୨୨ରେ ଚେକ୍ ସ୍ପେଲିୟୋଲଜିକାଲ ସୋସାଇଟିର ଅନୁସନ୍ଧାନକାରୀ ଟିମ୍ ବ୍ରୋମୋନର କେନିଅନରେ ଏହି ସଲଫର ଗୁମ୍ଫାରେ ବୁଢିଆଣି ଏବଂ ଜାଲର ସନ୍ଧାନ ପାଇଥିଲେ। ୨୦୨୪ରେ ରୋମାନିଆର ସାପିଏଣ୍ଟିଆ ହଙ୍ଗେରିୟନ ୟୁନିଭରସିଟି ଅଫ୍ ଟ୍ରାନ୍ସିଲ୍ଵେନିଆର ଜୀବବିଜ୍ଞାନୀ ଇଶ୍ତୱାନ ଉରାକ ତାଙ୍କ ଟିମ୍ ସହ ନମୁନା ସଂଗ୍ରହ କରିଥିଲେ। ଏହା ଦୁଇ ପ୍ରକାର ପ୍ରଜାତିର ବୁଢିଆଣୀ ଜାଲ ବୋଲି ଡିଏନଏ ଯାଞ୍ଚରୁ ଜଣାପଡ଼ିଥିଲା। ଯାହାକି ୨୦୨୫ ଅକ୍ଟୋବର ୧୭ରେ ସବଟେରେନିୟନ ବାୟୋଲୋଜି ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି। ପ୍ରକୃତି କୋଳରେ ଏଭଳି ଆହୁରି ଅଗଣିତ ଆଶ୍ଚର୍ଯ୍ୟ ବାକି ରହିଛି ବୋଲି ଉରାକ କହିଛନ୍ତି।
WATCH: Researchers discovered two genetically distinct spider species living together in what is thought to be the largest spider web ever in a cave on the Greek-Albanian border pic.twitter.com/jMBjcKCqna
— Reuters Science News (@ReutersScience) November 7, 2025
ସଲଫର ଗୁମ୍ଫା ହାଇଡ୍ରୋଜେନ୍ ସଲଫାଇଡ୍ ଗ୍ୟାସ୍ରେ ପରିପୂର୍ଣ୍ଣ। ଏହି ଗୁମ୍ଫାରୁ କ୍ଷତିକାରକ ଗ୍ୟାସ୍ ନିର୍ଗତ ହେଉଛି। ଯାହାକି ଖୁବ୍ ବିପଦପୂର୍ଣ୍ଣ। ଏହି ଗୁମ୍ଫା ଭିତରେ ବୁଢିଆଣୀମାନଙ୍କ ଏକ ବିଶାଳ ସାମୂହିକ ସଂରଚନା ହୋଇଥିଲା। ଟେଗେନେରିଆ ଡୋମେଷ୍ଟିକା ଏବଂ ପ୍ରାଇନରିଗୋନ ୱାଗନ୍ସର ଦୁଇ ପ୍ରକାରର ପ୍ରଜାତିର ବୁଢିଆଣୀ ଏଠାରେ ମିଶି ଜାଲ ବୁଣିଥିଲେ। ଟେଗେନେରିଆ ଡୋମେଷ୍ଟିକାର ପ୍ରଜାତିର ପ୍ରାୟ ୬୯ ହଜାର ବୁଢିଆଣୀ ଓ ପ୍ରାଇନରିଗୋନ ୱାଗନ୍ସ ପ୍ରଜାତିର ୪୨ ହଜାର ବୁଢିଆଣୀ ଏଠାରେ ବାସ କରୁଥିଲେ। ଏହହି ପ୍ରଜାତିର ବୁଢିଆଣୀମାନେ ସାଧାରଣତଃ ଏକା ରହିବାକୁ ପସନ୍ଦ କରନ୍ତି। ଟେଗେନେରିଆ ପ୍ରାଇନରିଗୋନଙ୍କୁ ଖାଇ ଯାଆନ୍ତି। ହେଲେ ଏଠାରେ ପ୍ରଥମ ଥର ପାଇଁ ଏକା ସାଙ୍ଗରେ ଦୁଇ ପ୍ରଜାତି ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗୁମ୍ଫାରେ ଅନ୍ଧାର ଯୋଗୁଁ ଦୁଇ ପ୍ରଜାତି ମିଳିମିଶି ରହୁଥିବା ଅନୁମାନ କରାଯାଉଛି। ଏହି ଅଧ୍ୟୟନ ପରେ ବୁଢିଆଣୀଙ୍କ ବ୍ୟବହାରକୁ ନେଇ ଭିନ୍ନ ମତ ସୃଷ୍ଟି ହୋଇଛି।