ବରଗଡ଼, ୧୭/୧୧ : ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ କଳାକାର ଚୟନ ପ୍ରକ୍ରିୟାର ଆଜି ଅନ୍ତିମ ଦିନ। ଶେଷ ଦିନରେ କଂସ କଳାକାରଙ୍କ ଚୟନ କରାଯିବ। କଂସ କଳାକାରଙ୍କ ସମେତ ସମସ୍ତ ଭୂମିକାର କଳାକାରମାନଙ୍କ ନାମ ଘୋଷଣା କରାଯିବ। ଏଥିପାଇଁ ସାଧାରଣରେ ଉତ୍କଣ୍ଠା ପ୍ରକାଶ ପାଇଛି। କଂସ ଭୂମିକା ପାଇଁ ମୋଟ ୪୪ ଜଣ ଆଶାୟୀ ଆବେଦନ କରିଥିବା ବେଳେ ସ୍କୃଟିନୀ ପରେ କିଛି ବୟସାଧିକ, ବିବାଦାସ୍ପଦ କଳାକାରଙ୍କୁ ବାଦ୍ ଦିଆଯାଇଥିବା ଜଣାପଡିଛି।
ସୂଚନାନୁଯାୟୀ, ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ୨୦୨୫-୨୦୨୭ ତିନି ବର୍ଷ ପାଇଁ କଳାକାର ଚୟନ ପ୍ରକ୍ରିୟା ଚାଲିଛି। ରବିବାର ଦ୍ୱିତୀୟ ଦିନରେ ମନ୍ତ୍ରୀ ଓ ସେନାପତି ଭୂମିକା ପାଇଁ ଚୟନ ସମ୍ପାଦିତ ହୋଇଯାଇଛି। ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନହଲଠାରେ ହୋଇଥିବା ଶିବିରରେ ଆବେଦନ କରିଥିବା ମୋଟ ୧୦୭ ଜଣ କଳାକାରଙ୍କ ମଧ୍ୟରୁ ମୋଟ ୭୩ ଜଣ କଳାକାର ଅଡିସନ ଦେଇଥିଲେ। ବିଭିନ୍ନ ମନ୍ତ୍ରୀ ଭୂମିକା ପାଇଁ ମୋଟ ୩୩ ଜଣ ଆବେଦନ କରିଥିବା ବେଳେ ୨୧ ଜଣ ଅଡିସନ ଦେଇଥିଲେ। ସେହିଭଳି ବିଭିନ୍ନ ସେନାପତି ଭୂମିକା ପାଇଁ ମୋଟ ୭୪ ଜଣ ଆବେଦନ କରିଥିବା ବେଳେ ୫୨ ଜଣ ଅଡିସନ ଦେଇଥିଲେ। ଆଜି ଅନ୍ତିମ ଦିବସରେ କଂସ କଳାକାରଙ୍କ ସମେତ ସମସ୍ତ ଭୂମିକାର କଳାକାରମାନଙ୍କ ନାମ ଘୋଷଣା କରାଯିବ ବୋଲି ଜଣାପଡିଛି।