ନୂଆଦିଲ୍ଲୀ - ଇରାନ ଯୁଦ୍ଧ ଯୋଗୁଁ ଗତ ଦେଢ଼ ମାସ ଧରି ହର୍ମୁଜ୍ ସମୁଦ୍ର ମାର୍ଗ ବନ୍ଦ ରହିଛି। ବାହାରିନ୍ ଏହାକୁ ଖୋଲିବା ପାଇଁ ଜାତିସଂଘ ସୁରକ୍ଷା ପରିଷଦ (UNSC) ରେ ଏକ ପ୍ରସ୍ତାବ ଆଣିଥିଲା, କିନ୍ତୁ ରୁଷ ଏବଂ ଚୀନ୍ ଯୋଗୁଁ ଏହି ପ୍ରସ୍ତାବ ଫେଲ୍ ମାରିଛି। ଏହିପରି ଭାବରେ, ବାଣିଜ୍ୟ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ମନେ କରୁଥିବା ହର୍ମୁଜ୍ ସମୁଦ୍ର ମାର୍ଗ ଖୋଲିବାର ଶେଷ ରାସ୍ତା ମଧ୍ୟ ବନ୍ଦ ହୋଇ ଯାଇଛି।
ପ୍ରକୃତ କଥା ହେଲା , ରୁଷ ଏବଂ ଚୀନ୍ ଏହି ପ୍ରସ୍ତାବରେ ଭିଟୋ ଲଗେଇ ଦେଇଥିଲେ, ଫଳରେ ଏହି ପ୍ରସ୍ତାବ UNSCରେ ବିଫଳ ହୋଇଥିଲା। ଏହି ଗୁରୁତ୍ତ୍ୱପୂର୍ଣ୍ଣ ଘଟଣା ଏପରି ଏକ ସମୟରେ ଆସିଛି , ଯେତେବେଳେ ଆମେରିକା ରାଷ୍ଟ୍ରପତିଙ୍କ ଇରାନକୁ ଧ୍ୱଂସ କରିବାର ଧମକର କାଉଣ୍ଟଡାଉନ୍ ଆରମ୍ଭ ହୋଇ ଯାଇଛି।
ଏହି ସମୟରେ, ୟୁଏଇ ବାହାରିନକୁ ସମର୍ଥନ କରି ହର୍ମୁଜ୍ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଦୃଢ ପଦକ୍ଷେପ ନେବାକୁ, ସୁରକ୍ଷା ପରିଷଦକୁ ଅନୁରୋଧ କରିଥିବା ଜଣାପଡ଼ିଛି। ୟୁଏଇର ବୈଦେଶିକ ମନ୍ତ୍ରୀ ଅବଦୁଲଲାତିଫ୍ ବିନ୍ ରସିଦ୍ ଅଲ୍-ଜୟାନି ଜୋର ଦେଇ କହିଛନ୍ତି ଯେ. ଏହା ଆଉ କେବଳ ଏକ ଆଞ୍ଚଳିକ ସମସ୍ୟା ନୁହେଁ ବରଂ ବିଶ୍ୱ ସ୍ଥିରତା ପାଇଁ ଏକ ସିଧାସଳଖ ବିପଦ ପାଲଟି ଯାଇଛି।
ବହାରିନ ଦ୍ୱାରା ଅଣାଯାଇ ଥିବା ପ୍ରସ୍ତାବରେ ବାରମ୍ୱାର ସଂଶୋଧନ ଏହି ଆଶା ସହ କରାଯାଇ ଥିଲା ଯେ, ଏହି ଦୁଇ (ରୁଷ-ଚୀନ) ଦେଶ ଏହା ଉପରେ ମତଦାନ ଠାରୁ ଦୂରେଇ ରହିବେ। ପନ୍ଦର ସଦସ୍ୟ ବିଶିଷ୍ଟ ୟୁଏନଏସସିରେ ପ୍ରସ୍ତାବ ପକ୍ଷରେ ୧୧ ଭୋଟ ବେଳେ ବିରୋଧରେ ଦୁଇଟି ଭୋଟ ପଡ଼ିଥିଲା। ଅନ୍ୟପଟେ ଦୁଇ ସଦସ୍ୟ ମତଦାନ ଠାରୁ ଦୂରେଇ ରହିଥିଲେ। ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱାରା ଇରାନକୁ ରଣନୀତିକ ଭାବେ ଗୁରୁତ୍ତ୍ୱପୂର୍ଣ୍ଣ ଜଳପଥ ଖୋଲିବା କିମ୍ୱା ଏହାର ଶକ୍ତି କେନ୍ଦ୍ର ଏବଂ ବ୍ରିଜ୍ ଉପରେ ଆକ୍ରମଣର ସମ୍ମୁଖୀନ ହେବା ପାଇଁ ସମୟସୀମା ପୂର୍ବରୁ ଏହି ଭୋଟ ଦିଆଯାଇ ଥିଲା।