ମୁମ୍ଵାଇ, ୨୯/୦୧ : ‘ବାପା, ଆଜି ଅଜିତ ପାୱାରଙ୍କ ସହ ଫ୍ଲାଇଟ୍ ଅଛି... ବାରାମତୀ ଯାଉଛି । ତୁମ ସହ ତାଙ୍କର କଥା କରାଇବି । ତାଙ୍କୁ ଛାଡ଼ିବା ପରେ ନାନ୍ଦେଣ୍ଡ ଯିବି । ଆମେ କାଲି କଥା ହେବା ।’ ଫ୍ଲାଇଟ୍ ଆଟେଣ୍ଡାଣ୍ଟ୍ ପିଙ୍କି ମାଲୀ ମଙ୍ଗଳବାର ଶେଷ ଥର ବାପା ଶିବ କୁମାରଙ୍କୁ ଏହା କହିଥିଲେ । କିନ୍ତୁ ବାପା ଜାଣିନଥିଲେ ଯେ ଝିଅ ସହ ଏହା ତାଙ୍କର ଶେଷ ବାର୍ତ୍ତାଳାପ ହେବ । ବୁଧବାର ଅଜିତ ପାୱାରଙ୍କ ଚାର୍ଟର ବିମାନ ଦୁର୍ଘଟଣାରେ ପିଙ୍କି ପ୍ରାଣ ହରାଇଛନ୍ତି । ବାପା ଶିବ କୁମାର କହିଛନ୍ତି, ଦିନକ ପୂର୍ବରୁ ମୁଁ ଝିଅ ସହ କଥା ହୋଇଥିଲି । ସେ ବହୁତ ଖୁସି ଥିଲା । ଏହା ଆମର ଶେଷ ବାର୍ତ୍ତାଳାପ ହେବ ବୋଲି ମୁଁ ଜାଣିନଥିଲି ।
ପିଙ୍କି ମୂଳତଃ ଉତ୍ତରପ୍ରଦେଶର ଜୌନପୁର ବାସିନ୍ଦା । ବାପା ଶିବ କୁମାର ମୁମ୍ବାଇରେ ଟ୍ୟାକ୍ସି ଚଲାନ୍ତି । ପିଙ୍କିଙ୍କ ଭାଇ କରନ କହିଛନ୍ତି, ସକାଳେ ପିଙ୍କି ଫୋନ୍ରେ କହିଥିଲା ଯେ ସେ ବାରାମତୀରୁ ନାନ୍ଦେଣ୍ଡ ଯାଉଛି । ତା’ପରେ ତା’ର ଆଉ କୌଣସି ମେସେଜ୍ କି କଲ୍ ଆସିଲା ନାହିଁ । ପିଙ୍କିଙ୍କ ମା’ ମାୟା କହିଛନ୍ତି, ପିଙ୍କି ପ୍ରତିଦିନ ସକାଳେ ତାଙ୍କୁ ଫୋନ୍ କରୁଥିଲେ । କହୁଥିଲେ, ମମ୍ମି ଜଳଖିଆ ଖାଇ ଔଷଧ ଖାଇନିଅ । ବୁଧବାର ତାଙ୍କର ଫୋନ୍ କି ମେସେଜ୍ ଆସିଲା ନାହିଁ । ସେଥିପାଇଁ ତାଙ୍କ ମନ ଆଦୌ ଭଲ ନଥିଲା । କାରଣ ପୂର୍ବରୁ ଏମିତି କେବେ ହୋଇନଥିଲା । ମଡେଲିଂ ପିଙ୍କିଙ୍କର ପ୍ରଥମ ପସନ୍ଦ ଥିଲା । କିନ୍ତୁ ବାପା କହିବାରୁ ସେ ଉଡ୍ଡୟନକୁ କ୍ୟାରିଅର୍ କରିଥିଲେ ।
ବିମାନ ଉଡ଼ାଉଥିଲେ ଅନୁଭବୀ ପାଇଲଟ୍
ଲିୟରଜେଟ୍-୪୫ ଉଡ଼ାଣ ଦାୟିତ୍ୱରେ ଥିଲେ କ୍ୟାପ୍ଟେନ୍ ସୁମିତ କପୁର । ବିଜ୍ନେସ୍ ଜେଟ୍ ଉଡ଼ାଣରେ ସେ ଜଣେ ଅନୁଭବୀ ପାଇଲଟ୍ ଭାବେ ପରିଚିତ ଥିଲେ। ଚାର୍ଟର ବିମାନ ଉଡ଼ାଣ ବୃତ୍ତିରେ ସେ ଜଣେ ଅନୁଭବୀ ଓ ଭରସାଯୋଗ୍ୟ ପାଇଲଟ୍ ରୂପେ ସେ ପରିଚୟ ହାସଲ କରିଥିଲେ। ଅନେକ ବର୍ଷ ଧରି ସେ ଭିନ୍ନ ଭିନ୍ନ ପ୍ରକାର ବିମାନ ଉଡ଼ାଇଥିଲେ । ଅପରେସନାଲ ମାମଲାରେ ସେ ଜଣେ କୁଶଳୀ ପାଇଲଟ୍ ଥିଲେ । ତାଙ୍କ ସହ କାମ କରିଥିବା ଲୋକଙ୍କ ଅନୁସାରେ, ପ୍ରତ୍ୟେକ ଉଡ଼ାଣ ପୂର୍ବରୁ ସୁମିତ ସମସ୍ତ ସୁରକ୍ଷା ମାନକର ପୂରା ଧ୍ୟାନ ରଖୁଥିଲେ ଏବଂ ନିଜ ଟିମ୍ ସହ ସୁମିତ ପାଠକ ତାଳମେଳ ରଖି କାମ କରୁଥିଲେ। ହେଲେ ବୁଧବାର ଦିନ ତାଙ୍କ ପାଇଁ କାଳ ପାଲଟିଥିଲା। ସୁମିତଙ୍କ ଭାଗ୍ୟ ସାଥ୍ ଦେଇନଥିଲା। ବାରାମତୀରେ ଲିୟରଜେଟ୍-୪୫ କ୍ରାସ୍ ହୋଇ ସୁମିତଙ୍କ ମୃତ୍ୟୁ ହୋଇଛି।
ଏହି ଖବରଟିକୁ ପଢନ୍ତୁ- ପ୍ଲେନ୍ କ୍ରାସ୍ ପୂର୍ବରୁ ଜେଜେମା'ଙ୍କୁ କୋ-ପାଇଲଟ୍ ଶାମ୍ଭବୀଙ୍କ ଲାଷ୍ଟ ମେସେଜ୍ : ‘ଓଃ ଶିଟ୍-ଓଃ ଶିଟ୍’ ଆଉ ତାପରେ...