ଭୁବନେଶ୍ୱର ୧୪/୦୩: ଆଜିକାଲି ଯୁବବର୍ଗଙ୍କ ମଧ୍ୟରେ ବଢିଚାଲିଛି ରାତିଅଧିଆ ଭୋକ । ପ୍ରାୟ ଯୁବଗୋଷ୍ଠୀଙ୍କୁ ଅଧା ରାତିରେ ଭୋକ ଲାଗିଥାଏ । ଆଉ ସେମାନେ ଉଠିବା ପରେ କୁକିଜ୍‌, ଚିପ୍ସ ଓ କୌଣସି ନମ୍‌କିନ୍‌ ହିଁ ଖାଇଥାନ୍ତି । ଏହାକୁ ମିଡ୍‌ ନାଇଟ୍‌ କ୍ରବିଙ୍ଗ୍‌ ବା ରାତିଅଧିଆ ଖାଦ୍ୟ ଲାଳସା କୁହାଯାଏ । ଏହି ପରିବର୍ତ୍ତିତ ଜୀବନଶୈଳୀ ଓ ଅସ୍ୱାସ୍ଥ୍ୟକର ଖାଦ୍ୟପାନୀୟ ଶରୀରକୁ ଖୁବ୍‌ କ୍ଷତି ପହଞ୍ଚାଉଛି । ଏହି ବଦ୍‌ଅଭ୍ୟାସ ଅସମୟରେ ଅନେକ ରୋଗ ଟାଣି ଆଣୁଛି । ଚାଲନ୍ତୁ ଜାଣିବା କେମିତି ରୋକି ପାରିବେ ରାତିଅଧିଆ ଭୋକକୁ । 

ଖାଇବା ସମୟ ସ୍ଥିର କରନ୍ତୁ :

ପ୍ରଥମେ ନିଜର ଖାଇବା ସମୟକୁ ସ୍ଥିର କରିବା ଉଚିତ୍‌ । ଭୁଲ୍‌ ସମୟରେ ଖାଇବା ଦ୍ୱାରା ବର୍ଡି କ୍ଲକ୍‌ ବିଗାଡ଼ି ଯାଇଥାଏ, ଯାହାଦ୍ୱାରା ଅଧାରାତିରେ ଭୋକ ଲାଗିବା ପରିସ୍ଥିତି ଉପୁଜିଥାଏ । ବର୍ଡି କ୍ଲକ୍‌ ବିଗିଡ଼ିବା ହିଁ ଅଧାରାତିରେ ଭୋକ ଲାଗିବାର ସବୁଠାରୁ ବଡ଼ କାରଣ । ସେଥିପାଇଁ ଦିନରୁ ଖାଇବାର ସମୟକୁ ନିୟନ୍ତ୍ରିତ କରିବା ଦ୍ୱାରା ରାତ୍ରୀ ଭୋଜନ ଠିକ୍‌ ସମୟରେ କରିପାରିବେ । ରାତ୍ରୀ ଭୋଜନ ଓ ଶୋଇବା ସମୟ ଭିତରେ ୨ ଘଣ୍ଟାର ଅନ୍ତର ରଖିବା ଜରୁରି । ଏହି ରୁଟିନ୍‌ ଅନୁକରଣ କରିବା ଦ୍ୱାରା ରାତିରେ ଭୋକ ଲାଗିବ ନାହିଁ । 

ଡାଏଟ୍‌ରେ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ରଖନ୍ତୁ :

 ମିଡ୍‌ ନାଇଟ୍‌ କ୍ରବିଙ୍ଗ୍‌କୁ ରୋକିବା ପାଇଁ ଡାଏଟ୍‌ରେ ପ୍ରୋଟିନ୍‌ଯୁକ୍ତ ଖାଦ୍ୟକୁ ସାମିଲ୍‌ କରିବା ଉଚିତ୍‌ । କାରଣ ପ୍ରୋଟିନ୍‌କୁ ହଜମ କରିବା ପାଇଁ ପାଚନତନ୍ତ୍ରକୁ ଅଧିକ ସମୟ ଲାଗିଥାଏ । ତେଣୁ ପେଟ ଭରା ରହିଥାଏ । ଫଳରେ ଭୋକ ଲାଗିନଥାଏ କିମ୍ବା ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ପଡି ନଥାଏ । 

ରାତିରେ ଇଲେକ୍ଟ୍ରୋନିକ୍‌ ସାମାଗ୍ରୀଠାରୁ ଦୂରେଇ ରୁହନ୍ତୁ :

ପ୍ରାୟ ଲୋକ ରାତିରେ ଖାଇବା ସମୟରେ ମୋବାଇଲ୍‌ ବା ଟିଭି ଦେଖିଥାନ୍ତି । ଏହା ଆଦୌ ଠିକ୍‌ ନୁହେଁ । ଭୋଜନ ସମୟରେ କୌଣସି ଇଲେକ୍ଟ୍ରୋନିକ୍ସ ସାମଗ୍ରୀଠାରୁ ଦୂରତା ବଜାୟ ରଖନ୍ତୁ । କାରଣ ଖାଇବା ସମୟରେ ଟିଭି ଦେଖିବା ଦ୍ୱାରା ଖାଦ୍ୟ ଉପରେ ଧ୍ୟାନ ରହି ନଥାଏ । ଫଳରେ ଆବଶ୍ୟକଠାରୁ ଅଧିକ ଖାଦ୍ୟ ଖାଇପାରନ୍ତି । ଖାଦ୍ୟ ଉପରେ ଫୋକସ୍‌ କରି ଖାଇବାକୁ ମାଇଣ୍ଡିଫୁଲ୍‌ ଇଟିଙ୍ଗ୍‌ କୁହାଯାଏ । ଏପରି ଖାଇବା ଦ୍ୱାରା ମିଡ୍‌ନାଇଟ୍‌ କ୍ରବିଙ୍ଗ୍‌ଠାରୁ ରକ୍ଷା ପାଇପାରିବେ ।

ଖାଦ୍ୟକୁ ଚୋବାଇ ଖାଆନ୍ତୁ :

ଘରର ବୟସ୍କମାନେ ତରତର ହୋଇ ନ ଖାଇବାକୁ ଉପଦେଶ ଦେଇଥାନ୍ତି । କାରଣ ପ୍ରାୟଲୋକ ଜଲଦୀରେ ଖାଦ୍ୟ ଖାଇଥାନ୍ତି, ଫଳରେ ପେଟ ପୁରିଯାଏ, କିନ୍ତୁ ଭୋକ ଶାନ୍ତ ହୋଇ ନଥାଏ । ଏଣୁ ଖାଇବା ସମୟରେ ଖାଦ୍ୟକୁ ଭଲ ଭାବେ ଚୋବାଇ ଚୋବାଇ ଖାଇବା ଦ୍ୱାରା ଅଧିକ ସମୟ ଯାଏ ପେଟ ଭରା ରହିଥାଏ ।