ଛତିଶଗଡ଼ର ୨୭/୧୦: ମୁଣ୍ଡରେ ଖଣ୍ଡା ରଖି ବେଲି ଡ୍ୟାନ୍ସ । ଛତିଶଗଡ଼ର ଜଣେ ମହିଳା  ଏହି ନୃତ୍ୟ ଜରିଆରେ ରାତାରାତି ସୋସିଆଲ ମିଡିଆ ସେନ୍‌ସେସନ୍‌  ପାଲଟିଛନ୍ତି । ଲାବଣ୍ୟା ଦାସ ମାନିକପୁରୀ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ  ଶେୟାର କରିଛନ୍ତି । ଏଥିରେ ସେ ବଲିଉଡ୍‌ ହିଟ୍‌ ଫିଲ୍ମ ‘ଓମ୍‌କାରା’ର  ନମକ୍‌ ଗୀତରେ ନୃତ୍ୟ ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଛନ୍ତି । 


ଭିଡିଓରେ ଲାବଣ୍ୟା କଳା ବ୍ଲାଉଜ୍‌ ଓ ସ୍କର୍ଟରେ ନଜର ଆସିଛନ୍ତି । ନୃତ୍ୟ  ପ୍ରଦର୍ଶନ ପୂର୍ବରୁ ସେ ଅତ୍ୟନ୍ତ ଧ୍ୟାନର ସହ ନିଜ ମୁଣ୍ଡରେ ଖଣ୍ଡା ରଖିଛନ୍ତି ।  ନୃତ୍ୟରେ ତାଙ୍କ ହାତ ଓ ଗୋଡ଼ର ଗତିବିଧି ଖଣ୍ଡାରେ ସନ୍ତୁଳନ ରକ୍ଷା  କରିଥିଲା । ଏମିତି କିଛି ମୁହୂର୍ତ୍ତ ଥିଲା, ଯେଉଁଥିରେ ଖଣ୍ଡା ଆପାତତଃ  ତଳେ ପଡ଼ିବା ଭଳି ମନେ ହେଉଥିଲା । ତେବେ ସୁନ୍ଦର କଳା-କୌଶଳ  ଜରିଆରେ ସନ୍ତୁଳନ ରକ୍ଷା କରିବାରେ ସେ ସଫଳ ହୋଇଥିଲେ । 

ଭିଡିଓର କ୍ୟାପ୍‌ସନରେ ଲାବଣ୍ୟା ଲେଖିଛନ୍ତି ‘୨୮୬୭ତମ ଟେକ୍‌ ପରେ । ଖଣ୍ଡା  ମଧ୍ୟ ୧୦ ବର୍ଷରୁ ଅଧିକ ପୁରୁଣା, ତେଣୁ ଦୟାକରି କିଛି ଭାବନ୍ତୁ ନାହିଁ ।’  ଇଣ୍ଟର୍‌ନେଟ୍‌ରୁ ଏ ନେଇ ମିଶ୍ର ପ୍ରତିକ୍ରିୟା ଆସୁଛି । କିଛି ୟୁଜର ଲାବଣ୍ୟାଙ୍କ  ସାହସ ଓ ପ୍ରତିଭାକୁ ପ୍ରଶଂସା କରିଥିବାବେଳେ ଆଉ କିଛି ଏହାକୁ  ବିପଦପୂର୍ଣ୍ଣ ବୋଲି କହିଛନ୍ତି ।