ହରଭଙ୍ଗା,୧୮/୧୧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ଠିଡିକାଯୋର ମୌଜାରେ ବିଜେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସାତ ଜଣିଆ ନୂତନ ନ୍ୟାସମଣ୍ଡଳୀ ଓଡ଼ିଶା ସରକାରଙ୍କ ଆଇନ ବିଭାଗ ଓ ଦେବୋତ୍ତର ବିଭାଗର ଅନୁମୋଦନ ଲାଭ କରିଛି । ସୂଚନା ଅନୁସାରେ ୨୦୧୦ମସିହାରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହୋଇ ୨୦୧୪ରୁ ୨୩-J -BDH ଭାବେ ପଂଜୀକୃତ ହେବା ସହ ନ୍ୟାସମଣ୍ଡଳୀ ଗଠନ ହୋଇଥିଲା । ୨୦୧୭ମସିହାରୁ ଏହାର କାର୍ଯ୍ୟକାଳ ସରିଯାଇଥିଲେ ସୁଦ୍ଧା ନୂତନ ନ୍ୟାସମଣ୍ଡଳୀ ଗଠନ ହୋଇପାରିନଥିଲା । କିଛିଦିନ ତଳେ ମଣ୍ଡଳ ଦେବୋତ୍ତର ନିରୀକ୍ଷକ ହିତେନ୍ଦ୍ରନାଥ ଦାସ ମହୋଦୟଙ୍କ ମନ୍ଦିର ପରିଦର୍ଶନ ସମୟରେ ଏ ସମ୍ବନ୍ଧରେ ଦୃଷ୍ଟି ଆକର୍ଷଣ ପରେ ଏକ ୭ଜଣିଆ ନ୍ୟାସମଣ୍ଡଳୀ (ଟ୍ରଷ୍ଟବୋର୍ଡ଼)କୁ ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଦ୍ଧିବଦ୍ଧ ସୀକୃତି ମିଳିଛି ।

ଏ ସଂକ୍ରାନ୍ତରେ ରାଜ୍ୟ ଆଇନ ବିଭାଗ ପକ୍ଷରୁ ପ୍ରସ୍ତାବିତ ବୋର୍ଡ଼ ଉପରେ ସମସ୍ତ ତର୍ଜମା ପରେ ଅତିରିକ୍ତ ଦେବୋତ୍ତର କମିଶନର, ବ୍ରହ୍ମପୁରଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି । ୭ ଜଣିଆ ଟ୍ରଷ୍ଟ ବୋର୍ଡ଼ରେ ବାମଦେବ ଦାଶ, କୃଷ୍ଣଚନ୍ଦ୍ର ମଲ୍ଲିକ, ଅର୍ଜୁନ କହଁର, ସିକନ ନାୟକ, ସୁରେଶ ବେହେରା, ବେଦବର ପ୍ରଧାନ, ସ୍ୱପ୍ନେଶ୍ୱର ଜାନୀ ସ୍ଥାନ ପାଇଛନ୍ତି । ରାଜ୍ୟର ଦ୍ବିତୀୟ ବୃହତ୍ତମ ଦେବୋତ୍ତର ନ୍ୟାସମଣ୍ଡଳୀ ଭାବେ ଦୁଇ ବର୍ଷ ଯାଏ ମନ୍ଦିରର ଆର୍ଥିକ ତଥା ପ୍ରଶାସନିକ ଦାୟିତ୍ବ ପରିଚାଳନା କ୍ଷମତା ପ୍ରଦାନ କରାଯାଇଛି । ଖୁବଶୀଘ୍ର ଟ୍ରଷ୍ଟିମାନଙ୍କ ମଧ୍ୟରୁ ଜଣକୁ ସର୍ବସମ୍ମତିକ୍ରମେ ସଭାପତି ନିର୍ବାଚନ କରି ଦେବୋତ୍ତର ବିଭାଗକୁ ଜଣାଇବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି । ନୂତନ ଟ୍ରଷ୍ଟବୋର୍ଡ଼ ଗଠନ ପରେ ଦେବୋତ୍ତର ନିରୀକ୍ଷକ ମହୋଦୟଙ୍କୁ ଧନ୍ୟବାଦ ଅର୍ପଣ ସହ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି । ଏ ସମ୍ବନ୍ଧରେ ସ୍ଥାନୀୟ ହରଭଙ୍ଗା ତହସିଲଦାରଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି l