ପୁରୀ,୧୯/୧୧: ଶ୍ରୀମନ୍ଦିର ୩ ଦ୍ୱାର ଆଗ ଓ କୀର୍ତ୍ତନ ଚକଡ଼ାରେ ଶ୍ରଦ୍ଧାଳୁଙ୍କୁ ମିଳିବ ବଡ଼ଦେଉଳ ଭିତରେ ଚାଲିଥିବା ମହାପ୍ରଭୁଙ୍କ ନୀତିକାନ୍ତିର ତତ୍କାଳ ସୂଚନା । ଶ୍ରୀମନ୍ଦିର ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାର ଆଗରେ ଏଲ୍ଇଡି ଡିସ୍ପ୍ଲେ ଲଗାଯାଇ ମହାପ୍ରଭୁଙ୍କ ନୀତିର ସୂଚନା ଦିଆଯିବ । ଏଲ୍ଇଡି ଡିସପ୍ଲେ ଲଗାଇବାରେ ଶ୍ରୀମନ୍ଦିର ପ୍ରଶାସନ ପ୍ରାୟ ୫୦ ଲକ୍ଷ ୬୯ ହଜାର ଟଙ୍କା ବ୍ୟୟ ଅଟକଳ କରି ପଦକ୍ଷେପ ଆରମ୍ଭ କରିଛି । ଏଲ୍ଇଡି ଡିସପ୍ଲେ ଲାଗିବା ଫଳରେ ଶ୍ରଦ୍ଧାଳୁମାନେ ଦର୍ଶନ ବନ୍ଦ ସମୟରେ ଶ୍ରୀମନ୍ଦିରକୁ ଯାଇ ଅପେକ୍ଷା କରିବା ଜନିତ କଷ୍ଟ ଭୋଗିବେ ନାହିଁ। ଏହା ମଧ୍ୟ ଶ୍ରୀମନ୍ଦିର ପରିସରରେ ଭିଡ଼ ନିୟନ୍ତ୍ରଣରେ ସହାୟକ ହେବ ବୋଲି ଆଶା ରହିଛି । ଶ୍ରୀମନ୍ଦିର ସିଂହଦ୍ୱାରରେ ଏବେ ଏଲ୍ଇଡି ଡିସ୍ପ୍ଲେ ଲଗାଯାଇ ଶ୍ରୀମନ୍ଦିରରେ ଚାଲିଥିବା ମହାପ୍ରଭୁଙ୍କ ନୀତିକାନ୍ତିର ତତ୍କାଳ ସୂଚନା ଶ୍ରଦ୍ଧାଳୁଙ୍କୁ ଦିଆଯାଉଛି । ଏହି କାର୍ଯ୍ୟ ମାସକ ଭିତରେ ସାରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି।