ନୂଆଦିଲ୍ଲୀ ,୨୪/୦୯: ଲଦାଖରେ କେନ୍ଦ୍ର ସରକାରଙ୍କ ବିରୋଧରେ କୁହୁଳିଲା ପ୍ରତିବାଦର ଧୂଆଁ । ସାମାଜିକ କର୍ମୀ ସୋନମ୍ ୱାଙ୍ଗଚୁକଙ୍କ ସମର୍ଥନରେ ଛାତ୍ରମାନେ ଏକ ବିଶାଳ ପ୍ରତିବାଦ କରିଛନ୍ତି। ବିକ୍ଷୋଭ ସମୟରେ ଛାତ୍ରମାନେ ଏକ ସିଆରପିଏଫ ଗାଡ଼ି ଜାଳି ଦେଇଥିଲେ। ପୁଲିସ ଏବଂ ଛାତ୍ରମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା।ୱାଙ୍ଗଚୁକ କିଛି ମାସ ଧରି ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରି ଆସୁଛନ୍ତି କିନ୍ତୁ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି ।
ସାମାଜିକ ଏବଂ ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକ କିଛି ଦିନ ଧରି ଲଦାଖରେ ଅନଶନରେ ବସିଛନ୍ତି। ସେ ଲଦାଖକୁ ଷଷ୍ଠ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା ଏବଂ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରୁଛନ୍ତି । ବୁଧବାର ଲେହରେ ଛାତ୍ରମାନେ ୱାଙ୍ଗଚୁକଙ୍କ ସମର୍ଥନରେ ପ୍ରତିବାଦ ଆରମ୍ଭ କରିଥିଲେ। ଛାତ୍ର ପ୍ରତିବାଦ ଏତେ ହିଂସାତ୍ମକ ହୋଇଯାଇଥିଲା ଯେ, ସେମାନଙ୍କର ପୁଲିସ ସହିତ ସଂଘର୍ଷ ହୋଇଥିଲା। ପୁଲିସ ପରିସ୍ଥିତିକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ପ୍ରତିବାଦ ଆହୁରି ତୀବ୍ର ହୋଇଥିଲା। ସୋନମ ୱାଙ୍ଗଚୁକଙ୍କ ନେତୃତ୍ୱରେ ଲଦାଖର ସର୍ବୋଚ୍ଚ ସଂଗଠନ ଷଷ୍ଠ ଅନୁସୂଚୀ ଅନ୍ତର୍ଭୁକ୍ତ କରିବା ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରୁଛି। ୱାଙ୍ଗଚୁକ ମଧ୍ୟ କିଛି ଦିନ ପାଇଁ ଅନଶନରେ ବସିଥିଲେ। ସେ ପ୍ରଥମେ ନୂଆଦିଲ୍ଲୀ ଅଭିମୁଖେ ଏକ ଲମ୍ବା ମାର୍ଚ୍ଚର ନେତୃତ୍ୱ ନେଇଥିଲେ ଏବଂ ତା’ପରେ ଅନଶନରେ ବସିଥିଲେ। ଏବେ, ଜେନ-ଜେଡ୍ ତାଙ୍କ ସମର୍ଥନରେ ରାସ୍ତାକୁ ଓହ୍ଲାଇଛନ୍ତି। ପ୍ରକାଶ ଥାଉକି, ୫ ଅଗଷ୍ଟ,୨୦୧୯ରେ ଧାରା ୩୭୦ ପ୍ରତ୍ୟାହାର ପରେ ଜମ୍ମୁ ଏବଂ କଶ୍ମୀରକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଥିଲା। ଜମ୍ମୁ ଏବଂ କଶ୍ମୀର ଏକ ପୃଥକ କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିଲା।