ନୂଆଦିଲ୍ଲୀ,୦୧/୦୧: ଭାରତରେ କ୍ରେଡିଟ୍‌ କାର୍ଡ ପେନିଟ୍ରେସନ୍‌ ଅତ୍ୟନ୍ତ କମ୍‌ । ଆମ ଦେଶରେ ମାତ୍ର ୫% ଲୋକ ହିଁ ଏହାର ବ୍ୟବହାର କରୁଛନ୍ତି । କ୍ରେଡିଟ୍‌ କାର୍ଡ ୟୁଜର ହିସାବରେ ଭାରତ ଅନେକ ଦେଶଠାରୁ ପଛୁଆ ରହିଛି । ଭାରତରେ ୪.୬୨% ଲୋକ କ୍ରେଡିଟ୍‌ କାର୍ଡ ବ୍ୟବହାର କରନ୍ତି । କାନାଡାରେ ସବୁଠାରୁ ଅଧିକ ୮୨.୭୪% ଲୋକ ଏହାର ବ୍ୟବହାର କରୁଥିବା ବିଶ୍ୱବ୍ୟାଙ୍କ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସେହିଭଳି ଇସ୍ରାଏଲ୍‌ରେ ୭୯.୦୫%, ଆଇସ୍‌ଲ୍ୟାଣ୍ଡ୍‌ରେ ୭୪%, ହଂକଂରେ ୭୧.୬୩%, ଜାପାନରେ ୬୯.୬୬%, ସୁଇଜରଲାଣ୍ଡରେ ୬୯.୨୧%, ଦକ୍ଷିଣ କୋରିଆରେ ୬୮.୪୪%, ନର୍‌ୱେରେ ୬୬.୭୪%, ଆମେରିକାରେ ୬୬.୭% ଏବଂ ଫିନ୍‌ଲ୍ୟାଣ୍ଡ୍‌ରେ ୬୫.୭୪% ଲୋକ କ୍ରେଡିଟ୍‌ କାର୍ଡ ବ୍ୟବହାର କରନ୍ତି । 

ତାଇୱାନ୍‌ରେ ଏହା ୬୩.୭୭%, ବ୍ରିଟେନ୍‌ରେ ୬୨.୧୧%, ଅଷ୍ଟ୍ରିଆରେ ୫୮.୯୯%, ଡେନ୍‌ମାର୍କରେ ୫୮.୫%, ଇଟାଲୀରେ ୫୭.୮୮% ଏବଂ ସ୍ପେନ୍‌ରେ ୫୬.୬୧% ରହିଛି । ବିଶ୍ୱରେ ଏଭଳି ଏକ ଦେଶ ଅଛି, ଯେଉଁଠାରେ କେହି ବି କ୍ରେଡିଟ୍‌ କାର୍ଡ ବ୍ୟବହାର କରନ୍ତି ନାହିଁ । ବିଶ୍ୱ ବ୍ୟାଙ୍କ ଅନୁସାରେ, ତାଲିବାନ ଶାସନାଧୀନ ଆଫଗାନିସ୍ତାନରେ ଲୋକେ ଆଦୌ କ୍ରେଡିଟ୍‌ କାର୍ଡ ବ୍ୟବହାର କରନ୍ତି ନାହିଁ । ସେହିଭଳି ପାକିସ୍ତାନରେ ୦.୨୨%, ବାଂଲାଦେଶରେ ୦.୬୨%, ଇଣ୍ଡୋନେସିଆରେ ୧.୬%, ନାଇଜେରିଆରେ ୧.୬୧% ଏବଂ ମିଶରରେ ୨.୮୦% ଲୋକ କ୍ରେଡିଟ୍‌ କାର୍ଡ ବ୍ୟବହାର କରନ୍ତି । ଜର୍ମାନୀ ଏବଂ ଅଷ୍ଟ୍ରେଲିଆରେ ୫୦% ରୁ ଅଧିକ ଲୋକ କ୍ରେଡିଟ୍‌ କାର୍ଡ ବ୍ୟବହାର କରନ୍ତି । ଆମେରିକାରେ ଏ ବର୍ଷ ପ୍ରଥମ ୯ ମାସରେ କ୍ରେଡିଟ୍‌ କାର୍ଡ ଖିଲାପୀ ୪୬୦୦ କୋଟି ଡଲାରରେ ପହଞ୍ଚିଛି, ଯାହା ୨୦୧୦ ପରଠାରୁ ସବୁଠୁ ଅଧିକ । ଗତ ବର୍ଷ ତୁଳନାରେ ଏଥିରେ ୫୦% ବୃଦ୍ଧି ଘଟିଛି ।