ନୂଆଦିଲ୍ଲୀ,୧୭/୧୧: ଭାରତୀୟ ଜୀବନ ବୀମା  ନିଗମ (ଏଲ୍‌ଆଇସି) ୨୦୨୫ରେ ଦେଶର ସ୍ୱାସ୍ଥ୍ୟ ବୀମା ଶିଳ୍ପରେ ପ୍ରବେଶ କରିବା ନେଇ ଢ଼େର ସମ୍ଭାବନା ରହିଛି ।  ଦେଶର ଏକ ପ୍ରମୁଖ ସ୍ୱାସ୍ଥ୍ୟ ବୀମା ସେବା ପ୍ରଦାନକାରୀ  କମ୍ପାନିରେ ଏଲ୍‌ଆଇସି ଅଂଶଧନ ହାସଲ କରିବାକୁ ଯୋଜନା  ରଖିଛି । ଏହା ଦ୍ୱାରା ଦେଶର ସର୍ବବୃହତ୍ତ ବୀମା ସେବା  ପ୍ରଦାନକାରି କମ୍ପାନିର ବଜାର ସ୍ଥିତି ଆହୁରି ଦୃଢ଼ ହେବ  ବୋଲି ଆଶା କରାଯାଉଛି । 

ଗତ ସପ୍ତାହରେ ଏଲ୍‌ଆଇସି  ଏମ୍‌ଡି ସିଦ୍ଧାର୍ଥ ମହାନ୍ତି କହିଥିଲେ, ଚଳିତ ଆର୍ôଥକ ବର୍ଷ ବୀମା  କମ୍ପାନିରେ ଅଂଶଧନ କ୍ରୟ ନେଇ ଯୋଜନା ରହିଛି । ଏ ନେଇ  ଆବଶ୍ୟକୀୟ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି । ୨୦୪୭ ସୁଦ୍ଧା  ସାର୍ବଜନିନ ବୀମା ସୁବିଧା ପହଞ୍ଚାଇବା ଦିଗରେ ସରକାର  ଲକ୍ଷ୍ୟ ରଖିଛନ୍ତି । ଏଲ୍‌ଆଇସିର ସ୍ୱାସ୍ଥ୍ୟ ବୀମାରେ ପ୍ରବେଶ  ଏହି ଧାରାକୁ ଆହୁରି ଦୃଢ଼ କରିବ ବୋଲି ଆଶା କରାଯାଉଛି ।  ଗ୍ଲୋବାଲ ଡାଟା ରିପୋର୍ଟ ମୁତାବକ, ଚଳିତ ବର୍ଷ ଦେଶର  ସ୍ୱାସ୍ଥ୍ୟ ବୀମା ଶିଳ୍ପ ୧୨.୫% ବୃଦ୍ଧି ହୋଇ ୧.୩ ଲକ୍ଷ କୋଟି  ଛୁଇଁବ । ୨୦୨୮ ବେଳକୁ ଏହା ୨.୧ ଲକ୍ଷ କୋଟି ଛୁଇଁବା ନେଇ  ଆକଳନ କରାଯାଇଛି ।