ବ୍ରହ୍ମପୁର, ୨୫।୮(ବ୍ୟୁରୋ): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧୀନ ଏକ ଗ୍ରାମରେ ୫ବର୍ଷର ଝିଅକୁ ବଳାତ୍କାର କରି ହତ୍ୟା କରିବା ଘଟଣାର ୧୨୧ଦିନରେ ରାୟ ପ୍ରକାଶ ପାଇଛି। ବ୍ରହ୍ମପୁର ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଜଜ୍ ପ୍ରଣତି ପଟ୍ଟନାୟକ ଅଭିଯୁକ୍ତ କାଳିଆ ନାହାକ ଓରଫ ଷଣ୍ଢ କାଳିଆକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଅଭିଯୁକ୍ତ ମୃତ୍ୟୁ ପର୍ଯ୍ୟନ୍ତ ଜେଲ୍ରେ ରହିବ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ପିପି ନାରାୟଣ ପଣ୍ଡା। ଏଥିସହ ଅଭିଯୁକ୍ତକୁ ୨୫ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ ହୋଇଛି । ପୀଡ଼ିତାଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇଦେବାକୁ କୋର୍ଟ ଜିଲ୍ଲା ଆଇନସେବା ପ୍ରାଧିକରଣ (ଡିଏଲ୍ଏସ୍ଏ)କୁ ନିର୍ଦ୍ଦେଶ ଦେଇଛନ୍ତି।
ପାଟପୁର ଥାନା ଆଇଆଇସି ଦିପ୍ତି ରଞ୍ଜନ ବେହେରା ଘଟଣାର ତଦନ୍ତ କରିଥିଲେ ଏବଂ ଆସିକା ଏସ୍ଡିପିଓ ସନ୍ତୋଷ କୁମାର ଜେନା ସୁପର୍ଭିଜନ୍ କରିଥିଲେ । ମାତ୍ର ୫୦ଦିନ ଭିତରେ ଘଟଣାର ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଥିଲା ପୁଲିସ। ଯାହାଫଳରେ ୧୨୧ ଦିନ ମଧ୍ୟରେ ଏହାର ବିଚାରଣା ସରିଛି । ମାମଲାର ବିଚାରଣା ବେଳେ ୨୦ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ । ସାଇଣ୍ଟିଫିକ୍ ଅଫିସରମାନଙ୍କ ମତ ଓ ରିପୋର୍ଟ ଏବଂ ସାକ୍ଷୀ ମାନଙ୍କ ବୟାନକୁ ଆଧାର କରି କୋର୍ଟ ଏହି ଦଣ୍ଡ ଶୁଣାଇଛନ୍ତି।
ପୀଡ଼ିତାଙ୍କ ମାମୁଁ ପାଟପୁର ଥାନାରେ ୨୦୨୫ ଏପ୍ରିଲ୍ ୨୫ ତାରିଖରେ ଅଭିଯୋଗ କରିଥିଲେ ଯେ, ତାଙ୍କର ୫ବର୍ଷ ବୟସର ଭାଣିଜୀ ଘର ବାରଣ୍ଡାରେ ସନ୍ଧ୍ୟା ୭ଟାରେ ଖେଳୁଥିଲେ। କିଛି ସମୟ ପରେ କୁନି ଝିଅର ମାଆ ଆସି ଦେଖିଲା ବେଳେ ଝିଅ ନଥିଲା। ତାକୁ ଖୋଜାଖୋଜି କରିବା ପରେ ନମିଳିବାରୁ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ କରିଥିଲେ । ମାମୁଁର ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଅଭଯୋଗର ପରଦିନ ଗାଁରେ ଯାତ୍ରା ଚାଲିଥିବା ବେଳେ ମନ୍ଦିରରେ ପ୍ରସାଦ ସେବନ ଚାଲିଥିଲା। ଅର୍ଦ୍ଧନିର୍ମିତ ଘରେ କୁନି ଝିଅର ରକ୍ତାକ୍ତ ଶବ ଦେଖିବାକୁ ପାଇଥିଲେ ଗ୍ରାମବାସୀ । ଏ ସମ୍ପର୍କରେ ପରିବାରଲୋକଙ୍କୁ ସୂଚନା ଦେଇଥିଲେ । ଝିଅକୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପାଟପୁର ଥାନା ଆଇଆଇସି ଓ ଟିମ୍ ପହଞ୍ଚି ତଦନ୍ତ କରିଥିଲେ । ସଂପୃକ୍ତ ମାମଲାରେ କାଳିଆ ଷଣ୍ଢକୁ ଗିରଫ କରିଥିଲା ପୁଲିସ।