• ଓଡ଼ିଶାରେ ଜଳଭିତ୍ତିକ ସାହସିକ ପର୍ଯ୍ୟଟନର ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବାର ପ୍ରୟାସ
  • ଜଳକ୍ରୀଡ଼ା କ୍ଷେତ୍ରରେ କ୍ଷମତା ବିକାଶ ପାଇଁ କୌଶଳମୂଳକ ସହଭାଗିତା
  • ଓଡ଼ିଶାକୁ ସୁରକ୍ଷିତ ସାହସିକ ପର୍ଯ୍ୟଟନ ଗନ୍ତବ୍ୟ ଭାବେ ଗଢ଼ିବାର ପଦକ୍ଷେପ

ଭୁବନେଶ୍ୱର ,୨୭।୪ : ଓଡ଼ିଶାରେ ଦ୍ରୁତ ଗତିରେ ବିକାଶ ପାଉଥିବା ଜଳକ୍ରୀଡ଼ା ପରିବେଶରେ କ୍ଷମତା ବୃଦ୍ଧି, ସୁରକ୍ଷା ମାନଦଣ୍ଡକୁ ସୁଦୃଢ଼ କରିବା ଏବଂ ଆଧୁନିକ ପ୍ରାୟୋଗିକ ଦକ୍ଷତାକୁ ସମ୍ମିଳିତ କରିବା ପାଇଁ ପର୍ଯ୍ୟଟନ ବିଭାଗ ଗୋଆ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ୱାଟର ସ୍ପୋର୍ଟସ (NIWS) ଏବଂ ଓଡ଼ିଶା ଅଗ୍ନିଶମ ଓ ଆପତ୍କାଳୀନ ସେବା (OFES) ସହ ବୁଝାମଣା ପତ୍ର (MoU) ସ୍ୱାକ୍ଷର କରିଛନ୍ତି ।

ଏହି ଅବସରରେ କୋଣାର୍କସ୍ଥିତ ଓଡ଼ିଶା ଷ୍ଟେଟ୍ ୱାଟରମ୍ୟାନସିପ୍ ଆଣ୍ଡ ଲାଇଫଗାର୍ଡ ଇନଷ୍ଟିଚ୍ୟୁଟ୍ (OSWALI) ଠାରେ ଏକ ସମ୍ପୂର୍ଣ୍ଣ ଆବାସିକ ଲାଇଫଗାର୍ଡ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ସୋମବାର ପ୍ରଥମ ବ୍ୟାଚ୍ ତାଲିମ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ଲଗାତାର ୧୧ଟି ବ୍ୟାଚ ପରିଚାଳିତ ହେବ। ଯେଉଁଥିରେ ପ୍ରତି ବ୍ୟାଚ୍ ୧୨ ଦିନ ବ୍ୟାପି ରହିବ । ପ୍ରାୟ ଦେଢ଼ ମାସ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ତାଲିମ ପ୍ରକ୍ରିୟା ଶେଷ ହେବ । ଏହି ପର୍ଯ୍ୟାୟରେ ସମୁଦାୟ ୧୭୬ ଜଣ ସରକାରୀ ଏବଂ ବେସରକାରୀ ଲାଇଫଗାର୍ଡଙ୍କୁ ତାଲିମ ପ୍ରଦାନ କରାଯିବ ।

​​​​​​​

ଏଥିରେ ଉଦ୍ଧାର କୌଶଳ, ସିପିଆର (CPR) ଓ ପ୍ରାଥମିକ ଚିକିତ୍ସା, ଜଳରାଶିରେ କାର୍ଯ୍ୟ କରିବା, ବିପର୍ଯ୍ୟୟ ପରିଚାଳନା, ପର୍ଯ୍ୟଟକ ସୁରକ୍ଷା ନିୟମ ଏବଂ ୱାଟର ସ୍ପୋର୍ଟସ ସୁରକ୍ଷା ନୀତି ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଅନ୍ତର୍ଭୁକ୍ତ କରାଯାଇଛି । ଓଡ଼ିଶାର ଉପକୂଳ ଏବଂ ଆଭ୍ୟନ୍ତରୀଣ ଜଳ ପର୍ଯ୍ୟଟନ ପାଇଁ ଏକ ମଜବୁତ ସୁରକ୍ଷା ବ୍ୟବସ୍ଥା ଗଠନ କରିବା ଲକ୍ଷ୍ୟରେ ଆସନ୍ତା ୨-୩ ବର୍ଷ ମଧ୍ୟରେ ପ୍ରାୟ ୨,୦୦୦ ଲାଇଫଗାର୍ଡଙ୍କୁ ତାଲିମ ଦେବା ପାଇଁ ଏକ ରାଜ୍ୟସ୍ତରୀୟ ଯୋଜନା ପ୍ରସ୍ତୁତ କରାଯାଇଛି ।

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ୱାଟର ସ୍ପୋର୍ଟସ (NIWS) ସହ ସହଭାଗିତା ହେତୁ ସମସ୍ତ ତାଲିମ ମୋଡ୍ୟୁଲ୍ ଜାତୀୟ ସ୍ତରର ମାନଦଣ୍ଡ ଏବଂ ପ୍ରମାଣପତ୍ର ନିୟମାବଳୀ ଅନୁଯାୟୀ ହେବା ନିଶ୍ଚିତ ହୋଇଛି । ବୈଜ୍ଞାନିକ ଯୋଜନା ଓ ନିୟୋଜନ ପାଇଁ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଜଳାଶୟଗୁଡ଼ିକର ବ୍ୟାପକ ମାପଚୁପ କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଛି । ଏହି ତଥ୍ୟକୁ ଆଧାର କରି, ଲାଇଫଗାର୍ଡ୍ ପ୍ରଶିକ୍ଷଣ ପାଇଁ ଆଗ୍ରହୀ ଯୁବମାନଙ୍କର ଜିଲ୍ଲାଭିତ୍ତିକ ତାଲିକା ପ୍ରସ୍ତୁତି ପ୍ରକ୍ରିୟା ଚାଲୁଅଛି। ଯାହା ମାଧ୍ୟମରେ ସମୁଦ୍ରତଟ, ହ୍ରଦ, ଡ୍ୟାମ୍ ଓ ନଦୀତଟ ସହିତ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକରେ ବ୍ୟବସ୍ଥିତ ଭାବରେ କ୍ଷମତା ବିକାଶ ଓ ନିୟୋଜନ ସୁନିଶ୍ଚିତ କରାଯିବ।ଏହି ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ଲାଇଫଗାର୍ଡମାନଙ୍କୁ ପୁରୀ, ଚନ୍ଦ୍ରଭାଗା ଓ ଅନ୍ୟାନ୍ୟ ପ୍ରମୁଖ ସମୁଦ୍ରତଟ ସହିତ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳରେ ନିୟୋଜିତ କରାଯିବ।

ବିଭିନ୍ନ ଜଳାଶୟରେ ବଢୁଥିବା ଦୁର୍ଘଟଣାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ବିଭାଗ, ଓଡ଼ିଶା ଷ୍ଟେଟ୍ ୱାଟରମ୍ୟାନସିପ୍ ଆଣ୍ଡ ଲାଇଫଗାର୍ଡ ଇନଷ୍ଟିଚ୍ୟୁଟ୍ (OSWALI) ସହଯୋଗରେ ଜନସାଧାରଣ ଓ ପର୍ଯ୍ୟଟକଙ୍କ ସୁରକ୍ଷା ବୃଦ୍ଧି ପାଇଁ ଏହି ସକ୍ରିୟ ପଦକ୍ଷେପ ଗ୍ରହଣ କରିଛନ୍ତି । ଉଚ୍ଚମାନର ତାଲିମ ଏବଂ ସଠିକ୍ ସ୍ଥାନରେ ଲାଇଫଗାର୍ଡଙ୍କ ନିୟୋଜନ ଦ୍ୱାରା ବିପଦ ହ୍ରାସ ପାଇବା ସହ ପର୍ଯ୍ୟଟକମାନେ ଏକ ନିରାପଦ ଅନୁଭୂତି ପାଇପାରିବେ ।