ନବରଙ୍ଗପୁର୧୯/୫ : ନବରଙ୍ଗପୁର ଜିଲ୍ଲାର ବହୁଚର୍ଚ୍ଚିତ ପିଣ୍ଟୁ ଅଗ୍ରୱାଲ ହତ୍ୟା ଘଟଣାର ୮ ବର୍ଷ ପରେ ଏବେ ନ୍ୟାୟ ମିଳିଛି । ବିଳମ୍ବିତ ନ୍ୟାୟ ହେଲେ ବି ଶେଷକୁ ପୀଡିତ ପରିବାରକୁ ନ୍ୟାୟ ମିଳିଛି। ଏହି ମାମଲର ବିଚାର କରି ଜିଲ୍ଲା ଦୌରାଜଜ୍ ସୁବ୍ରତ ମହାନ୍ତି ୩ ଜଣ ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେମାନେ ହେଲେ ନବରଙ୍ଗପୁର ସହର ଗାଦବାଗୁଡାର ଶେଖ୍ ସାମିମ୍ ଓ ଶେଖ ସିତାବ୍ ଓ ତେନ୍ତୁଳିଖୁଣ୍ଟି ଥାନା ପଠାଣଗୁଡା ଗାଁର ଶେଖ ସିରାଜ୍। ୩ଜଣ ହତ୍ୟା ମାମଲରେ ଦୋଷୀ ସବ୍ୟସ୍ତ ହୋଇଛନ୍ତି । ସମସ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ସେଭଳି ୩ ଜଣଙ୍କୁ ୩୦୨ ଦଫା ମାମଲାରେ ୨୦ ହଜାର ଟଙ୍କା ଲେଖାଏଁ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । ଅନାଦେୟ ହେଲେ ଆହୁରି ୧ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ । ସେହିଭଳି ୪୫୦ ଦଫାରେ ପୁଣି ୧୦ହଜାର ଟଙ୍କା ଲେଖାଏଁ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । ଅନାଦେୟ ପାଇଁ ପୁଣି ୬ ମାସ ଜେଲଦଣ୍ଡ ଭୋଗିବାକୁ ଜିଲ୍ଲା ଦୌରାଜଜ୍ ସୁବ୍ରତ ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ବାପା ହରାଇଥିବା ମୃତକ ପିଣ୍ଡୁ ଅଗ୍ରୱାଲଙ୍କ ପୀଡିତା ଦୁଇ ଝିଅଙ୍କୁ ଆବଶ୍ୟକ କ୍ଷତିପୂରଣ ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସରକାରୀ ଓକିଲ ମନୋଜ କୁମାର ଏକ୍କାଙ୍କ ସୂଚନା ଅନୁଯାୟୀ, ୨୦୧୭ ନଭେମ୍ବର ୨୮ରେ ସନ୍ଧ୍ୟା ସାଢେ ୪ ଟାରେ ନବରଙ୍ଗପୁର ସହରର ଆର.କେ କୋଲନୀର ଠିକାଦାର ପିଣ୍ଟୁ ଅଗ୍ରୱାଲଙ୍କ ଘରେ ଦୁବୃର୍ତ୍ତ ପଶି ଅତ୍ୟନ୍ତ ବର୍ବରତାର ସହିତ ବାରମ୍ବାର ଖଣ୍ଡାରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ପିଣ୍ଟୁଙ୍କୁ ଡାକ୍ତରଖାନା ନେବା ବେଳେ ତାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ୬ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପ୍ରମାଣ ଅଭାବରୁ ରାକେଶ ଭତ୍ରା, ସୁଜିତ ପଣ୍ଡାଙ୍କୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସେଭଳି ଅନ୍ୟତମ ଶେଖ ନାଜିମ ଅଭିଯୁକ୍ତ ଦୀର୍ଘ ଦିନ ଧରି ଫେରାର୍ ଥିଲେ। ତାଙ୍କ ଉପରେ ଅନ୍ୟ ଏକ ମାମଲା ବିଚାରଧୀନ ରହିଛି।