ଭୁବନେଶ୍ୱର, ୨୭/୧୨ : ପାଣିପାଗ ବିଭାଗ ନୂଆ ଆକଳନ ବଢ଼ାଇଲା ଚିନ୍ତା । କାଲି ଯାଏଁ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ କହୁଥିଲା, ୨୭ରୁ ୩୧ ଯାଏଁ ପାଗ ପୂରା ଶୁଖିଲା ରହିବ । ଆଜି ପୂର୍ବାନୁମାନ ଦେଇଛନ୍ତି, ଆସନ୍ତା ୨୮ ଓ ୨୯ ତାରିଖରେ ହାଲୁକା ବର୍ଷା ହୋଇପାରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ । ଏହାସହ ପୁଣି ଥରେ ଅଦିନିଆ ବର୍ଷାକୁ ନେଇ ଚାଷୀକୂଳ ଛାନିଆ ହୋଇପଡ଼ିଛି । ବଡ଼ ବର୍ଷା ସମ୍ଭାବନା କମ୍ ଥିଲେ ମଧ୍ୟ ଲଗାତାର ଅଦିନିଆ ବର୍ଷାକୁ ନେଇ ଫସଲ ବରବାଦ ହୋଇପଡ଼ିଛି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ । ଏମିତିରେ ପୁଣି ବର୍ଷା ସ୍ଥିତିକୁ ଆହୁରି ବିଗାଡ଼ି ପାରେ ।
ଅନ୍ୟପକ୍ଷରେ ଜାନୁଆରୀ ପ୍ରଥମ ସପ୍ତାହରେ ଆଉ ଏକ ଲଘୁଚାପ ସମ୍ଭାବନା ଥିବା ନେଇ ବିଶେଷଜ୍ଞ ପୂର୍ବାନୁମାନ କଲେଣି । ସମ୍ଭାବ୍ୟ ପଶ୍ଚିମା ଝଡ଼ (ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ) ପ୍ରଭାବରେ ଆସନ୍ତା ୨୭/୨୮ ତାରିଖବେଳକୁ ଉତ୍ତର ପଶ୍ଚିମ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ଥିବା ନେଇ ପାଣିପାଗ ବୈଜ୍ଞାନିକ ତଥା ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ଦୁଇଦିନ ପୂର୍ବରୁ ପୂର୍ବାନୁମାନ କରିଥିଲେ । ମାତ୍ର ଭୁବନେଶ୍ୱର ପାଣିପାଗ ବିଭାଗ କାଲି ଯାଏଁ ଏ ଦିଗରେ କିଛି ବି ସୂଚନା ଦେଇନଥିଲେ । ମାତ୍ର ଗତକାଲି ପୂର୍ବାନୁମାନ ବଦଳାଇଛନ୍ତି। ଗୁରୁବାର ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରରୁ ଜାରି ହୋଇଥିବା ପୂର୍ବାନୁମାନ ଅନୁସାରେ ୨୭ ତାରିଖ (ଶୁକ୍ରବାର) ରାଜ୍ୟରେ ପାଗ ପୂରା ଶୁଖିଲା ରହିବ ।
ମାତ୍ର ୨୮ ତାରିଖ (ଶନିବାର) ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, କେନ୍ଦୁଝର, ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ଅଛି । ସେହିପରି ୨୯ ତାରିଖ (ରବିବାର) ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼ର ଗୋଟିଏ ଦୁଇଟି ଜାଗାରେ ହାଲୁକା ବର୍ଷା ହୋଇପାରେ । କୌଣସି ସ୍ଥାନରେ ବଡ଼ ବର୍ଷା ନେଇ ଆକଳନ କରାଯାଇନାହିଁ । ରାଜ୍ୟର ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ । ଡିସେମ୍ବର ୩୦, ୩୧ ଏବଂ ଜାନୁଆରୀ ୧ ତାରିଖରେ ରାଜ୍ୟ ସାରା ପାଗ ଶୁଖିଲା ରହିବ । ୨୭ ତାରିଖ ସକାଳେ ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି ଓ ରାୟଗଡ଼ାରେ ମଧ୍ୟମ ଧରଣ କୁହୁଡ଼ି ଆଶଙ୍କା ଅଛି । କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ସୋନପୁର ଓ ସମ୍ବଲପୁରରେ ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ସମସ୍ୟା ବଢ଼ାଇପାରେ ।
ଭିନ୍ନ ପୂର୍ବାନୁମାନ ଦେଖାଇଛନ୍ତି କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ । ତାଙ୍କ ଆକଳନ ଅନୁସାରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ୨୮ ଓ ୩୧ ତାରିଖ ଭିତରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପାଗ ଆଂଶିକ ମେଘୁଆ ରହିବ । ମାତ୍ର ପଶ୍ଚିମା ଝଡ଼ ପ୍ରଭାବ ଓଡ଼ିଶାରେ ପଡ଼ିବାର ସମ୍ଭାବନା ନାହିଁ । ନୂଆବର୍ଷ ପାଳନ ପାଇଁ ପାଗ ଅନୁକୂଳ ରହିବ । ତେବେ ଜାନୁଆରୀ ୩ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି । ପ୍ରାଥମିକ ଆକଳନ ଅନୁସାରେ ଏହା ଅଧିକ ଘନୀଭୂତ ହୋଇପାରେ । ମାତ୍ର ଏବେଠାରୁ ଏହାର ରୂପରେଖ ନେଇ କହିବା କଷ୍ଟକର ।
ଡ. ପଶୁପାଳକ କହିଛନ୍ତି, ଗୁରୁବାର ରାତିଠାରୁ ତାପମାତ୍ରା କମିବ । ନୂଆବର୍ଷ ଆଗମନବେଳକୁ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇ ଅନେକ ସ୍ଥାନରେ ଶୀତ ଭୀଷଣ ଥାଇପାରେ । କେତେକ ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳକୁ ରହିବା ସମ୍ଭାବନା ଅଛି । ଗୁରୁବାର ରାତିରୁ ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡ଼ି ହେବ । ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ଘନ କୁହୁଡ଼ି ଆଚ୍ଛାଦିତ କରିପାରେ । ବର୍ତ୍ତମାନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ମାତ୍ର ଶ୍ରୀଲଙ୍କା/ତାମିଲନାଡ଼ୁ ଆଡ଼କୁ ମୁହାଁଇବ । ଏହାର ପ୍ରଭାବ ରାଜ୍ୟରେ ପଡ଼ିବ ନାହିଁ । ବର୍ତ୍ତମାନ ରାଜ୍ୟରେ ବର୍ଷା କମିଛି । ଆଜି ପାଗ ଆଂଶିକ ମେଘୁଆ ଥିଲେ ମଧ୍ୟ ବହୁ ସ୍ଥାନରେ ମଝିରେ ମଝିରେ ସୂର୍ଯ୍ୟ କିରଣ ଦେଖିବାକୁ ମିଳିଛି । ବର୍ଷା କମିବା ପରେ ରାତି ତାପମାତ୍ରା ଖସିବା ଆରମ୍ଭ ହୋଇଛି । କୋରାପୁଟରେ ୧୨.୪, ଦାରିଙ୍ଗିବାଡ଼ିରେ ୧୩.୫, ଜଗତସିଂହପୁରରେ ୧୪, ଖୋର୍ଦ୍ଧାରେ ୧୪.୫, କେନ୍ଦ୍ରାପଡ଼ାରେ ୧୪.୮, ଅନୁଗୁଳରେ ୧୫ ଡିଗ୍ରୀ ସେଲସିୟସ୍ ଥିଲା ବୁଧବାର ରାତିରେ।