ଭୁବନେଶ୍ୱର,୩୧/୦୫: ଏକାମ୍ରର ଆରାଧ୍ୟ ଦେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ ବୈଦିକ ରୀତିରେ କେଦାର  ଗୌରୀ ମନ୍ଦିର ପରିସରରେ ଶୁକ୍ରବାର  ବିଳମ୍ବିତ ରାତିରେ ସମ୍ପନ୍ନ ହୋଇଛି । ଶ୍ରୀଜୀଉଙ୍କ ବଡ଼ ସିଂହାର ବେଶ ବଢ଼ିବା ପରେ ମଥାରେ ପଗଡି ପିନ୍ଧି ପାଲିଙ୍କି ଚଢ଼ି  ବର ବେଶରେ ଶୋଭାଯାତ୍ରା ଓ ରୋଷଣୀ  ନେଇ ବାହାରିଥିଲେ । ଏହା ପୂର୍ବରୁ  ବରଯାତ୍ରୀମାନଙ୍କୁ ସୁସ୍ୱାଦୁ ବ୍ୟଞ୍ଜନରେ ଆପ୍ୟାୟିତ କରାଯାଇଥିଲା। ଆଧୁନିକ  ଡିଜେ ନୁହେଁ କେବଳ ପାରମ୍ପରିକ ବାଦ୍ୟରେ  ମୁଖରିତ ହୋଇଉଠୁଥିଲା ଆଉ ଆଲୁଅର  ରୋଷଣିରେ ଝଲସୁ ଥିଲା ଏକାମ୍ର କ୍ଷେତ୍ର ।  ଶ୍ୱଶୁର ଘର ପହଞ୍ଚିବା ପରେ ଜ୍ୱାଇଁଙ୍କୁ ବାଟ ବରଣୀ କରି ବିବାହ ବେଦୀକୁ ବିଜେ  କରାଯାଇଥିଲା । ନିର୍ଦ୍ଧାରିତ ସମୟ ପୂର୍ବରୁ  ମା'ପାର୍ବତୀଙ୍କ ସହ ହସ୍ତଗଣ୍ଠି ପଡ଼ିଥିଲା ।  ବିବାହ ନୀତି ସମୟରେ ବ୍ରାହ୍ମଣମାନେ  ମନ୍ତ୍ରପାଠ କରୁଥିଲେ । ହୋମ ନିଆଁ  ଜଳୁଥିଲା । ନବ ଦମ୍ପତି କଉଡ଼ି ଖେଳି ଥିଲେ ।  ବର କନିଆ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ପ୍ରଭୁ ଲିଙ୍ଗରାଜ ଓ ମା’ପାର୍ବତୀ ।  

ଶନିବାର ତମାମ ସମସ୍ତ ଦେବ ନୀତି  ବଢିବା ପରେ ରାତି ଦଶଟାରେ ଶୀତଳ  ଷଷ୍ଠୀ ଯାତ୍ରା ଆରମ୍ଭ ହେବ । ଏହା ପୂର୍ବରୁ  ଶ୍ରଦ୍ଧାଳୁଙ୍କ ନିମନ୍ତେ କେଦାର ଗୌରୀ ମନ୍ଦିରରେ  ଭୋଜିର ଆୟୋଜନ ମନ୍ଦିର ପରିଚାଳନା  କମିଟି ଦ୍ୱାରା କରାଯାଇଛି ବୋଲି ସମ୍ପାଦକ  ଲୁଲୁ ମହାପାତ୍ର ଓ ମିହିର ମହାପାତ୍ର ସୂଚନା  ଦେଇଛନ୍ତି । ଶୀତଳ ଷଷ୍ଠୀ କମିଟି ଶୋଭାଯାତ୍ରା  ନିମନ୍ତେ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ଏଥର  ଶୋଭାଯାତ୍ରାରେ ଓଡ଼ିଶାର ପ୍ରସିଦ୍ଧ ଗୋଟିପୁଅ  ନୃତ୍ୟ, ଘଣ୍ଟ, ଦୁଲଦୁଲି, ଗଞ୍ଜାମର ଯୋଡ଼ି  ଶଙ୍ଖ, ସମ୍ବଲପୁରୀ, ବାରିପଦାର ଛଉ ନୃତ୍ୟ,  ଢୋଲ, ମହୁରୀ, ବନ୍ୟ ଜନ୍ତୁ ବେଶ, କଣ୍ଢେଇ  ନାଚ, ଘୋଡା ନାଚ, ମାଦଳ, ମହିଳା କଳସ  ନୃତ୍ୟ, ଦେବଦେବୀ ବେଶ, ବନାଟି ଆଦି  ନୃତ୍ୟ ପରିବେଷଣ କରାଯିବ।