ଭୁବନେଶ୍ୱର,୦୨/୦୬: ନିଶ୍ୱାସରେ ଶିବ ମୋର ବିଶ୍ୱାସରେ ଶିବ,.....ମୁଁ ବାହୁଡ଼ା ଚଢେଇ ତୁ ବାଟର ଠିକଣା, ଏ ଦୁନିଆ ଅଚିହ୍ନା ତୁ ଏକା ମୋ ଆପଣା,.... ଶିବ ଶିବ ଶିବ .... । ଭଳି ଗୀତରେ ହେଉଛି ରିଲ୍ସ । ସେହି ସମୟରେ କିଏ ଦୁଇହାତ ଯୋଡ଼ୁଛନ୍ତି ତ କିଏ ଦୁଇହାତ ଉପରୁକୁ ଟେକି ନିଜକୁ ସମର୍ପଣ କରୁଛନ୍ତି । ଆଉ ପଛଆଡ଼ୁ ଦେଖାଯାଉଛି ଶ୍ରୀ ଲିଙ୍ଗରାଜ ମନ୍ଦିରର ସମ୍ପୂର୍ଣ୍ଣ ବେଢାର ଦୃଶ୍ୟ । ଆପଣ ଦେଖି ଆଶ୍ଚର୍ଯ୍ୟ ହେବେ ଯେ, ଏ ଦୃଶ୍ୟ କେଉଁଠୁ ଆସୁଛି । ଏହା ହେଉଛି କର୍ଜନ ମଣ୍ଡପ । ଯେଉଁଠି ଠିଆ ହୋଇ ଭକ୍ତମାନେ ମନ୍ଦିର ବେଢାର ଭିତର ଦୃଶ୍ୟକୁ ଉପଭୋଗ କରିବା ସହିତ ଫଟୋ ଓ ରିଲ୍ସ କରୁଛନ୍ତି । ବିଶେଷକରି ଯୁବପିଢିଙ୍କ ଗହଳି ଏଠାରେ ଅଧିକ । ଏହି ମଣ୍ଡପ ଏବେ ଏକପ୍ରକାର ରିଲ୍ସ ଓ ସେଲ୍ଫି ପଏଣ୍ଟ ପାଲଟିଛି । ଖାଲି ସେତିକି ନୁହେଁ ଅନେକେ ପ୍ରି ୱେଡିଙ୍ଗ୍ ଓ ମେଟରନିଟି ଫଟୋସୁଟ୍ ମଧ୍ୟ ଏହି ମଣ୍ଡପ ଉପରେ କରୁଛନ୍ତି । ଯାହା ସେମାନଙ୍କୁ ଦେଉଛି ଆଧ୍ୟାତ୍ମିକ ଭାଇବ୍ । ଖାଲି ସାଧାରଣ ଲୋକ କାହିଁକି ଓଡ଼ିଆ ଚଳଚିତ୍ର ଜଗତର ତାରକାମାନେ ମଧ୍ୟ ଏଥିରେ ସାମିଲ ହେବା ଆରମ୍ଭ କଲେଣି ।

ଗତ କିଛି ମାସ ପୂର୍ବରୁ ଚଳଚ୍ଚିତ୍ର ଜଗତର ବେଶ୍ ଲୋକପ୍ରିୟ ଯୋଡ଼ି ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ ମଧ୍ୟ ଏଠାରେ ମେଟରନିଟି ଫଟୋସୁଟ୍ କରିଥିଲେ । ଶ୍ରୀ ଲିଙ୍ଗରାଜ ମନ୍ଦିରର ଉତ୍ତର ପାଶ୍ୱର୍ ପ୍ରବେଶ ଦ୍ୱାର ନିକଟରେ ଏହି ମଣ୍ଡପ ଅବସ୍ଥିତ । ଏହା ଏକମାତ୍ର ଏମିତି ମଣ୍ଡପ ଯେଉଁଠାରେ ଠିଆହେଲେ ସମ୍ପୂର୍ଣ୍ଣ ଲିଙ୍ଗରାଜ ମନ୍ଦିରର ବେଢା ଦେଖାଯାଇଥାଏ । ବିଶେଷକରି ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଅଣହିନ୍ଦୁମାନଙ୍କ ପ୍ରବେଶ ବାରଣ ଥିବାରୁ ଏଠାକୁ ବୁଲିବାକୁ ଆସୁଥିବା ଅନେକ ଅଣହିନ୍ଦୁ ଓ ବିଦେଶୀ ପର୍ଯ୍ୟଟକମାନେ ଏହି ମଣ୍ଡପରେ ଠିଆ ହୋଇ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରନ୍ତି ।

କାହିଁକି ତିଆରି ହୋଇଥିଲା ‘କର୍ଜନ ମଣ୍ଡପ’

ଏହି ମଣ୍ଡପ ବିଷୟରେ ସ୍ଥାନୀୟ ବାସିନ୍ଦା ନୀଳମଣି ମିଶ୍ର କହନ୍ତି, ଶ୍ରୀ ଲିଙ୍ଗରାଜ ମନ୍ଦିରର କାରୁକାର୍ଯ୍ୟ ଦେଖିବାକୁ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ଭକ୍ତ ଓ ପର୍ଯ୍ୟଟକ ଆସନ୍ତି । ହେଲେ ମନ୍ଦିରର ପ୍ରଚଳିତ ଧାରା ଅନୁସାରେ ଅଣହିନ୍ଦୁଙ୍କ ପ୍ରବେଶ ଏଠାରେ ନିଷେଧ । ସେ ସମୟରେ ଭାରତର ବଡ଼ଲାଟ୍ ଲର୍ଡ କର୍ଜନ ବି ଦିନେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ଆସିଥିଲେ । ମାତ୍ର ତାଙ୍କୁ ମନ୍ଦିର ଭିତରକୁ ପ୍ରବେଶର ଅନୁମତି ମିଳିନଥିଲା । ଫଳସ୍ୱରୂପ ମନ୍ଦିରକୁ ବାହାରୁ ଦେଖିବା ପାଇଁ ଗଢ଼ି ଉଠିଥିଲା କର୍ଜନ ମଣ୍ଡପ । ସେବେଠାରୁ ଏହାକୁ "କର୍ଜନ ମଣ୍ଡପ' କୁହାଯାଉଛି । ଅଣହିନ୍ଦୁମାନେ ମନ୍ଦିର ଦର୍ଶନ ପାଇଁ ସେବେଠାରୁ ଏହି ମଣ୍ଡପକୁ ବ୍ୟବହାର କରୁଛନ୍ତି । ଏ ସମ୍ପର୍କରେ ଐତିହ ଗବେଷକ ଅନିଲ ଧୀର କୁହନ୍ତି, ଆନୁମାନିକ ୧୯୦୦ ମସିହାରେ ଲର୍ଡ କର୍ଜନ ଶ୍ରୀ ଲିଙ୍ଗରାଜ ମନ୍ଦିର ବୁଲିବାକୁ ଆସିଥିଲେ । ମନ୍ଦିରରେ ଅଣହିନ୍ଦୁ ପ୍ରବେଶ ବାରଣ ଥିବାରୁ ତାଙ୍କ ଆସିବା ପୂର୍ବରୁ ତାଙ୍କ ପାଇଁ ମଣ୍ଡପ ତିଆରି ହୋଇଥିଲା । ଯେଉଁଠାରେ ଠିଆ ହେଲେ ମନ୍ଦିରର ୯୦ ପ୍ରତିଶତ ଦେଖାଯାଏ । ଏହି ମଣ୍ଡପରେ ଠିଆ ହୋଇ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ମଧ୍ୟ ଶ୍ରୀ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକୁ ଦେଖିଥିଲେ ।

ବର୍ତ୍ତମାନ ମଣ୍ଡପର ଅବସ୍ଥା

ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ‘କର୍ଜନ ମଣ୍ଡପ’ ଦୁର୍ବଳ ହୋଇପଡ଼ିଛି । ପାହାଚ କଡ଼ ତଥା ମଣ୍ଡପ ଚାଚିକଡ଼ରେ ଦିଆଯାଇଥିବା ବାଡ଼ାକୁ ଧରି ଉଠିଲା ବେଳେ ବାଡ଼ାଗୁଡ଼ିକ ହଲୁଛି । ଶ୍ରୀ ଲିଙ୍ଗରାଜ ମନ୍ଦିରର ପୂଜାରୀ ମୌସମ ବଡ଼ୁ ସିଂହାରୀ କହନ୍ତି, ମନ୍ଦିର ଭିତରେ ଫଟୋ ଉଠାଇବା ନିଷେଧ । ଯେଉଁ ଶ୍ରଦ୍ଧାଳୁମାନେ ବହୁ ଦୂରରୁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରିବାକୁ ଆସନ୍ତି ସେମାନେ ଫେରିଲା ବେଳକୁ ଏଠାରୁ ଫଟୋ ଉଠେଇ ନିଅନ୍ତି । ହେଲେ ବର୍ତ୍ତମାନ ସେହି ମଣ୍ଡପର ବାଡ଼ା ଗୁଡ଼ିକ ଦୁର୍ବଳ ହୋଇଗଲାଣି । ମରାମତିର ଆବଶ୍ୟକତା ରହିଛି । ଏ ସମ୍ବନ୍ଧରେ ଏଏସ୍ଆଇର କର୍ମକର୍ତ୍ତାଙ୍କ ସହିତ ଯୋଗାଯୋଗ କରିଥିଲୁ ହେଲେ, ସେ ଏ ସମ୍ବନ୍ଧରେ କୌଣସି ତଥ୍ୟ ଦେବେ ନାହିଁ ବୋଲି ରୋକ୍ ଠୋକ୍ ମନା କରିଦେଇଥିଲେ ।

ଅଧିକ ପଢ଼ନ୍ତୁ :- ରଜରେ ଧମାକା କରିବେ ଅନୁଭବ, ଏବେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ରେ "ଆମେ ବାଳୁଙ୍ଗା ଟୋକା' ଗୀତ