ଭୁବନେଶ୍ୱର, ୨୩। ୨: ଏମ୍ସ ଭୁବନେଶ୍ୱର ଏକ ଅତ୍ୟାଧୁନିକ ଯକୃତ ପ୍ରତିରୋପଣ(ଲିଭର ଟ୍ରାନ୍ସପ୍ଲାଣ୍ଟ୍) ୟୁନିଟ ଏବଂ ଅତ୍ୟାଧୁନିକ ରୋବୋଟିକ୍ ସର୍ଜରୀ ବ୍ୟବସ୍ଥା ଆରମ୍ଭ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଭର୍ଚୁଆଲ୍ ଭାବରେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଶ୍ରୀ ନଡ୍ଡା କହିଛନ୍ତି ଯେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଐତିହାସିକ ଅବସର। ଏମ୍ସ ଭୁବନେଶ୍ୱରର ଗୌରବମୟ ଦଶନ୍ଧିରୁ ଊର୍ଦ୍ଧ୍ବ ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ। ଏହି ନୂତନ ବ୍ୟବସ୍ଥାଗୁଡ଼ିକ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ମଜବୁତ କରିବ ଏବଂ ଗୁଣବତ୍ତା ବୃଦ୍ଧି କରିବ। ଯାହା ରୋଗୀଙ୍କୁ ଉନ୍ନତ ଚିକିତ୍ସା ସୁବିଧା ପ୍ରଦାନ କରିବ। ପୂର୍ବରୁ ସଫଳତାର ସହିତ ବୃକକ୍ ଏବଂ ଅସ୍ଥି ମଜ୍ଜା ପ୍ରତିରୋପଣ କରିଆସୁଥିବା ବେଳେ ଲିଭର ଟ୍ରାନ୍ସପ୍ଲାଣ୍ଟ କାର୍ଯ୍ୟକ୍ରମର ଆରମ୍ଭ ଏକ ଗୁରୁତ୍ୱପୂର୍ଣ୍ଣ ନୂତନ ଅଧ୍ୟାୟ ।
ସର୍ଜିକାଲ୍ ରୋବୋଟିକ୍ ସିଷ୍ଟମ୍ ଆରମ୍ଭ ହେବା ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ ଏମ୍ସ ଭୁବନେଶ୍ୱର ଓଡ଼ିଶାର ପ୍ରଥମ ସରକାରୀ ଚିକିତ୍ସା ପ୍ରତିଷ୍ଠାନ ଯାହା ରୋବୋଟିକ୍ ସର୍ଜରୀ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିଛି। ରୋବୋଟିକ୍ ପ୍ଲାଟଫର୍ମ ସୁଲଭ, ପ୍ରଯୁକ୍ତିବିଦ୍ୟା-ଚାଳିତ ଏବଂ ସର୍ବନିମ୍ନ ଆକ୍ରମଣାତ୍ମକ ଶଲ୍ୟଚିକିତ୍ସା ପ୍ରଦାନକୁ ସକ୍ଷମ କରିବ। ଯାହା ସ୍ୱାସ୍ଥ୍ୟସେବା ପ୍ରଣାଳୀ ପାଇଁ ଏକ ନୂତନ ମାନଦଣ୍ଡ ସ୍ଥାପନ କରିବ।
ଏହି ଅବସରରେ ଭୁବନେଶ୍ବର ଲୋକସଭା ସାଂସଦ ଅପରାଜିତା ଷଢ଼ଙ୍ଗୀ କହିଥିଲେ ଯେ ଏମ୍ସ ଭୁବନେଶ୍ୱର ଅନ୍ୟାନ୍ୟ ଏମ୍ସ ପ୍ରତିଷ୍ଠାନ ପାଇଁ ଏକ ଆଦର୍ଶ ଭାବରେ ଉଭା ହୋଇଛି। ସ୍ୱାସ୍ଥ୍ୟସେବା ପ୍ରଦାନ, ଚିକିତ୍ସା ଶିକ୍ଷା ଏବଂ ଗବେଷଣାରେ ନିରନ୍ତର ନୂତନ ମାଇଲଖୁଣ୍ଟ ହାସଲ କରିଛି। ଏହି ଉଦଘାଟନ ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ, ଏମ୍ସ ଭୁବନେଶ୍ୱର ଅଧ୍ୟକ୍ଷା ଡ. ଅନୀତା ସକ୍ସେନା, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅଙ୍କିତା ମିଶ୍ର ବୁନ୍ଦେଲା ଏବଂ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏହି ଅବସରରେ ନିଜର ଯକୃତ ପ୍ରଦାନ କରିଥିବା ଦୁଇ ଦାତାଙ୍କୁ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡିନ୍ ଡ. ପି ଆର୍ ମହାପାତ୍ର, ଡ. ସତ୍ୟଜିତ ମିଶ୍ର, ଡ. ସୌଭାଗ୍ୟ କୁମାର ଜେନା, ମେଡିକାଲ ଅଧୀକ୍ଷକ ଡ. ପ୍ରଭାସ ରଂଜନ ତ୍ରିପାଠୀ, ଡିଡିଏ ଲେଫ୍ଟନାଣ୍ଟ୍ କର୍ଣ୍ଣେଲ୍ ଅଭିଜିତ ସରକାର ପ୍ରମୁଖ ଉପସ୍ଥିତ ଥିଲେ।
ଏମ୍ସ ଭୁବନେଶ୍ବରରେ ଦଶ ଶଯ୍ୟା ବିଶିଷ୍ଟ, ଅତ୍ୟନ୍ତ ଉନ୍ନତ ଲିଭର ଟ୍ରାନ୍ସପ୍ଲାଣ୍ଟ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ) ଏବଂ ଏକ ସ୍ୱତନ୍ତ୍ର ମଡ୍ୟୁଲାର୍ ଓଟି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ। ରୋବୋଟିକ୍ ସର୍ଜରୀ କାର୍ଯ୍ୟକ୍ରମ ପ୍ରାରମ୍ଭରେ ୟୁରୋଲୋଜି (ଜଟିଳ ଅଙ୍କୋଲୋଜିକାଲ୍ ଏବଂ ପୁନଃନିର୍ମାଣ ପ୍ରକ୍ରିୟା ସମେତ), ଜେନେରାଲ ସର୍ଜରୀ, ସ୍ତ୍ରୀ ରୋଗ, ଶିଶୁ ରୋଗ ଶଲ୍ୟଚିକିତ୍ସା ପାଇଁ ସେବା ଯୋଗାଇବା ନେଇ ଡ. ବିଶ୍ୱାସ ସୂଚନା ଦେଇଛନ୍ତି।