• ଋଣ ନେଇ ସର୍ବସ୍ୱ ହରାଇଲେ ବ୍ୟକ୍ତି 
  • ଋଣ ପାଲଟି ଗଲା ବୋଝ 
  • ନିଜର ଘରକୁ ବି ବିକ୍ରି କରି ଦେଲେ 
  • ମାମଲା ପହଞ୍ଚିଲା କୋର୍ଟରେ 

ନୂଆଦିଲ୍ଲୀ : ଜାଗା-ଘର ହେଉ କି ଦୋକାନ, କିଣିବା ପାଇଁ ଲୋକେ ବ୍ୟାଙ୍କରୁ ଲୋନ୍ ନେଇଥା’ନ୍ତି ଏବଂ ସମୟାନୁସାରେ ଶୁଝିବି ଥା’ନ୍ତି। ଯଦି ଏହି ଲୋନ୍ ଏକ ବୋଝ ପାଲଟି ଯାଏ, ସବୁକିଛି ବିକ୍ରି କରିବାକୁ ପଡ଼େ। ଏମିତି ଏକ ମାମଲା ସିଙ୍ଗାପୁରରେ ଘଟିଛି। ଜଣେ ବ୍ୟକ୍ତି ଲାଇସେନ୍ସ ପ୍ରାପ୍ତ ମହାଜନଙ୍କ ଠାରୁ ୨.୫ ଲକ୍ଷ ଟଙ୍କାର ସିଙ୍ଗାପୁର ଡଲାର ( ପାଖାପାଖି ୧.୭୫ କୋଟି ଟଙ୍କା )ର ଋଣ ନେଇଥିଲେ, ଯାହା ବଢି ୨.୧ କୋଟି ସିଙ୍ଗାପୁର ଡଲାର (ପାଖାପାଖି ୧୪୭ କୋଟି ଟଙ୍କା) ହୋଇଥିଲା । ଏହି କାରଣରୁ ସ୍ଥିତି ଏମିତି ହୋଇଥିଲା ଯେ, ସେହି ବ୍ୟକ୍ତିଙ୍କୁ ନିଜର ୨.୧ କୋଟି ସିଙ୍ଗାପୁର ଡଲାରର ଘର ମଧ୍ୟ ବିକ୍ରି କରିବାକୁ ପଡ଼ିଥିଲା।

ରିପୋର୍ଟ ଅନୁସାରେ, ସେହି ବ୍ୟକ୍ତି ଜଣଙ୍କ ୨୦୧୦-୨୦୧୧ ମସିହା ମଧ୍ୟରେ ଋଣ କରିଥିଲେ। ଏହା ଉପରେ ପ୍ରତି ମାସରେ ୪ ପ୍ରତିଶତ ସୁଧ ହାର ଥିଲା , ବିଳମ୍ୱିତ ଦେୟ ଉପରେ ପ୍ରତି ମାସ ୮ ପ୍ରତିଶତ ସୁଧ ଲାଗୁ ଥିଲା,ଏବଂ ଏହା ବ୍ୟତୀତ ପ୍ରତି ମାସ ୨୫୦୦ ସିଙ୍ଗାପୁର ଡଲାରର ବିଳମ୍ୱିତ ଶୁଳ୍କ ମଧ୍ୟ ଥିଲା। କୁହାଯାଏ ଯେ, ଚାରି ବର୍ଷରେ ଏହି ଶୁଳ୍କ କାରଣରୁ କରଜ ୨.୫ ଲକ୍ଷ ସିଙ୍ଗାପୁର ଡଲାରରୁ ବଢି ୩୦ ଲକ୍ଷ ସିଙ୍ଗାପୁର ଡଲାର ହୋଇ ଯାଇଛି, ଯାହା ମୂଳ ରାଶି ଠାରୁ ଅନେକ ଗୁଣ ଅଧିକ ଥିଲା। ୨୦୨୧ ଯାଏ ଅନେକ ବର୍ଷର ଚକ୍ରବୃଦ୍ଧି ସୁଧ ଓ ଜୋରିମନା ଉପରେ ବକେୟା ରାଶି ବଢି ୨.୧ କୋଟି ଟଙ୍କା ସିଙ୍ଗାପୁର ଡଲାର ହୋଇ ଯାଇ ଥିଲା।

ରିପୋର୍ଟରେ ଆହୁରି କୁହାଯାଇଛି ଯେ, କରଜ ବୃଦ୍ଧିରେ ସେ ଚିନ୍ତାରେ ରହୁ ଥିଲେ। ସମୟାନୁସାରେ କିସ୍ତି ମଧ୍ୟ ଦେଇ ପାରୁ ନଥିଲେ। ଏହି କାରଣରୁ ଜୁଲାଇ ୨୦୧୬ରେ ସେ ନିଜ ଘରକୁ ଋଣ ଦେଇଥିବା କମ୍ପାନୀର ନିର୍ଦ୍ଦେଶକଙ୍କୁ ପାଖାପାଖି ୧୪ କୋଟି ଟଙ୍କାରେ ବିକ୍ରି କରି ଦେଇ ଥିଲେ। କିନ୍ତୁ ଏହି ବିକ୍ରିରେ ଏକ ସର୍ତ୍ତ ଥିଲା। ସେ ଏହି ନିର୍ଦ୍ଦେଶକଙ୍କ ସହ ଭଡ଼ା ସୂତ୍ରରେ ବୁଝାମଣା କରିଥିଲେ। ପ୍ରତି ମାସ ୫ ଲକ୍ଷରୁ ୬ ଲକ୍ଷ ଟଙ୍କା ମଧ୍ୟର ଭଡ଼ା ଦେବାକୁ ସହମତି ହୋଇ ଥିଲେ।

ଏସବୁ କରିବା ପରେ ମଧ୍ୟ ତାଙ୍କୁ ଆଶ୍ୱସ୍ତି ମିଳି ନଥିଲା। ଘରର ମାଲିକାନା ହକ୍ ଛାଡ଼ିବା ପରେ ମଧ୍ୟ କରଜ ବଢିବାରେ ଲାଗିଲା। ଏହି ମାମଲା ସେତେବେଳେ ସାମ୍ନାକୁ ଆସିଲା ,ଯେବେ ଭଡ଼ା ନଦେବା ଓ ବିକ୍ରି କରିଥିବା ସଂପତ୍ତି ଖାଲି ନକରିବାକୁ ନେଇ ବିବାଦ ହୋଇଥିଲା। ବିବାଦ ଏତେ ବଢିଲା ଯେ, ମାମଲା କୋର୍ଟରେ ଯାଇ ପହଞ୍ଚିଲା। ମାମଲା ଯେବେ ଅପିଲକୁ ଗଲା, ହାଇକୋର୍ଟର ବିଚାରପତି ଜୟରାତ୍ନମ କହିଥିଲେ ଯେ, ଋଣର ଏହି ସ୍ତର ଅନ୍ତରାତ୍ମାକୁ ଦୋହଲାଇ ଦେବା ଭଳି।

ସେ କହିଥିଲେ ଯେ, ୨.୫ ଲକ୍ଷ ସିଙ୍ଗାପୁର ଡଲାରର ଋଣ ସୁଧ ଓ ଶୁଳ୍କରୁ କୋଟି କୋଟିରେ ବଦଳି ଗଲା। ଅନ୍ୟପଟେ କରଜଦାତା ଅଭିଯୋଗ କରି ଥିଲେ ଯେ, ଭଡ଼ା ବୁଝାମଣା କେବଳ ଦେଖାଣିଆ ଥିଲା ଏବଂ କରଜ କାଗଜପତ୍ରରେ ଠକେଇ ଓ ଆଇନ ଉଲ୍ଲଙ୍ଘନ ହୋଇଥିଲା। କୋର୍ଟ କହିଥିଲେ ଯେ, କରଜ ଓ ଘରର ବିକ୍ରି ଉଭୟ ସହ ଜଡ଼ିତ ପରିସ୍ଥିତିର ଯାଞ୍ଚ ହେବା ଆବଶ୍ୟକ , ଯାହାକି ଜଣା ପଡ଼ିବ ଯେ, କେଉଁ ସ୍ଥିତିରେ ନିଜ ଘର ବିକ୍ରି କରିବାକୁ ପଡ଼ିଲା।