ନୀଳଗିରି,୨୬/୧୧ : ୨୦୨୩ମସିହା ଜୁନ୍ ୨ତାରିଖ ସନ୍ଧ୍ୟା। ଛାତି ଥରାଇବା ଭଳି ଦୁର୍ଘଟଣା ବାହାନଗା ରେଳ ଷ୍ଟେସନରେ ଘଟିଥିଲା । ହୃଦୟ ବିଦାରକ ଚିତ୍ର ଦେଖି ସାରା ଦେଶବାସୀ ସ୍ତବ୍ଧ ପଲଟି ଯାଇଥିଲେ । ଏଥିରେ ୨୯୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ହଜାରେରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର ହୋଇଥିଲେ । କିଛି ବର୍ଷ ବିତି ଯାଇଛି ସତ ହେଲେ ପୁଣି ନୀଳଗିରି ଗୋପୀନାଥପୁର ରେଳ ଷ୍ଟେସନରେ ଠିକ୍ ବାହାନଗା ରେଳଷ୍ଟେସନ ଦୁର୍ଘଟଣା ଭଳି ଚିତ୍ର ଦେଖି ସେହି ପୁରୁଣା ଦିନର ଅଘଟଣକୁ ମନେ ପକାଇଛନ୍ତି।
ସୂଚନାଯୋଗ୍ୟ, ଏବେ ସାରା ଦେଶରେ କେତେବେଳେ କାଁଭାଁ ରେଳ ଦୁର୍ଘଟଣା ହେଉଛି । ହେଲେ ଗୁରୁତର ଯାତ୍ରୀଙ୍କୁ କିଭଳି ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯିବ ଏ ନେଇ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । କାହିଁକି ନା ଦୁର୍ଘଟଣାରେ ରେଳଡବା ଓଲଟି ପଡ଼ିଥିବାବେଳେ ତା ଭିତରକୁ ଯିବା ଓ ଉପରେ ହାଇଭୋଲଟେଜ ତାର ରହିବା ପାଇଁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଥାଏ । ଏ ସବୁ ଅସୁବିଧାକୁ କିଭଳି ମୁକାବିଲା କରି ହେବ ଏଥିପାଇଁ ରେଳବିଭାଗ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ହାତକୁ ନେଇଛି । ନିଜ ବିଭାଗ କର୍ମଚାରୀ, ପୋଲିସ ବାହିନୀ ସମେତ ଅଞ୍ଚଳବାସୀ, ସ୍ବେଛାସେବୀ ସଂଗଠନ, ଦମକଳ ବାହିନୀ, ବିଦ୍ୟୁତ ବିଭାଗର କର୍ମଚାରୀ କିଭଳି ସହଜରେ ଦୁର୍ଘଟଣା ଘଟିଲେ ଏହାର ମୁକାବିଲା କରି ହେବ ଏ ନେଇ ଆସନ୍ତା ଶୁକ୍ରବାର ୨୮ତାରିଖରେ ରେଳ ବିଭାଗ ଗୋପୀନାଥପୁର ଷ୍ଟେସନରେ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅଭ୍ୟାସ କରିବ। ଏ ନେଇ ରେଳବିଭାଗ ପୂର୍ବ ପ୍ରସ୍ତୁତି ସାରିଛି । ରେଳ ଡବା ଅନ୍ୟ ଡବା ଉପରେ ଚଢ଼ଉ ରଖାଯାଇଥିବାବେଳେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଯାତ୍ରୀ ଓ ଗୁରୁତର ଯାତ୍ରୀଙ୍କ ପୁତ୍ତଳିକା କରି ପକାଇବା ସହ ଆସ୍ଥାୟୀ ଟେଣ୍ଟ ମଧ୍ୟ ପ୍ରସ୍ତୁତି କରିଛି । ଏଭଳି ଦୃଶ୍ୟ ଅଞ୍ଚଳବାସୀ ଦେଖି ସେହି ବାହାନଗା ଦୁର୍ଘଟଣାକୁ ମନେପକାଇ ଥିବା ଜଣାପଡ଼ିଛି ।