ନୂଆଦିଲ୍ଲୀ, ୨୧।୭: ରାଜଧାନୀ ଦିଲ୍ଲୀର ସାଉଥ୍ ଦିଲ୍ଲୀ ଅଞ୍ଚଳରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଲୋଧି ରୋଡ୍ ସ୍ଥିତ ବି.କେ. ଦତ୍ତ କୋଲୋନୀର ଏକ ଆବାସିକ କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । କୋଠାର ତୃତୀୟ ମହଲାରେ ନିଆଁ ଲାଗିଯିବା ଫଳରେ ଜଣେ ମହିଳା ଏବଂ ତାଙ୍କର ଦୁଇ ଝିଅ ସମ୍ପୂର୍ଣ୍ଣ ଜଳିଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଛି । ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କଠିନ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛି । ଦିଲ୍ଲୀ ଫାୟାର ସର୍ଭିସର ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳ ପ୍ରାୟ ୧୦:୨୧ ମିନିଟ୍ରେ ଲୋଧି ରୋଡ୍ ଥାନା ଅନ୍ତର୍ଗତ ବି.କେ. ଦତ୍ତ କୋଲୋନୀର 'ଚାୱଲା ସ୍ୱୀଟ୍ସ' ସାମ୍ନାରେ ଥିବା ଏକ ବିଲ୍ଡିଂରେ ନିଆଁ ଲାଗିଥିବା ନେଇ ଖବର ମିଳିଥିଲା । ସୂଚନା ପାଇବା ମାତ୍ରେ ତୁରନ୍ତ ଗୋଟିଏ ୱାଟର ଟେଣ୍ଡର, ୱାଟର ବାଉଜର ଏବଂ ବ୍ରିଦିଂ ଆପାରେଟସ୍ ସହ ଦମକଳ ଗାଡ଼ିଗୁଡ଼ିକୁ ଘଟଣାସ୍ଥଳକୁ ପଠାଯାଇଥିଲା ।
ଏହା ବି ପଢ଼ନ୍ତୁ... Indian Export : ଟ୍ରମ୍ପଙ୍କ ଏହି ଗୋଟିଏ ନିଷ୍ପତ୍ତିରୁ ଭାରତକୁ ମିଳିବ ବଡ଼ ଫାଇଦା ! କାନାଡ଼ା ଉପରେ ୫୦% ଟ୍ୟାରିଫ୍ ପରେ ଭାରତୀୟ କମ୍ପାନୀଙ୍କ ପାଇଁ ଖୋଲିଲା ବାଟ
ଅଗ୍ନିଶମ ଅଧିକାରୀଙ୍କ କହିବା ଅନୁଯାୟୀ, ବିଲ୍ଡିଂର ତୃତୀୟ ମହଲାରେ ଥିବା ଏକ ଘରୁ ନିଆଁ ବ୍ୟାପିବା ଆରମ୍ଭ ହୋଇଥିଲା । ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ତୃତୀୟ ମହଲାରେ ସର୍ଚ୍ଚ ଅପରେସନ ବେଳେ ଜଣେ ମହିଳା ଓ ତାଙ୍କର ଦୁଇ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ନିଆଁର ଭୟାବହତା ଯୋଗୁଁ ଘଟଣାସ୍ଥଳରେ ହିଁ ତିନିଜଣଙ୍କର ମୃତ୍ୟୁ ହୋଇଥିଲା । ସକାଳ ୧୧:୧୦ ମିନିଟ୍ ସୁଦ୍ଧା ନିଆଁକୁ ପୂର୍ଣ୍ଣ ଆୟତ୍ତ କରାଯାଇ ପୁନର୍ବାର ଯେପରି ନିଆଁ ନ ବ୍ୟାପେ, ସେଥିପାଇଁ କୁଲିଂ ଅପରେସନ୍ ଆରମ୍ଭ କରାଯାଇଥିଲା । ବର୍ତ୍ତମାନ ଯାଏଁ ମୃତକମାନଙ୍କର ସଠିକ୍ ପରିଚୟ ମିଳିପାରି ନାହିଁ । ପୁଲିସ ମୃତକଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସହ ତାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା ଚଳାଇଛି । ପ୍ରାଥମିକ ତଦନ୍ତରୁ ନିଆଁ ଲାଗିବାର ସଠିକ୍ କାରଣ ସ୍ପଷ୍ଟ ହୋଇନାହିଁ । ପୁଲିସ ଏବଂ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ଖୋଜିବା ପାଇଁ ତଦନ୍ତ ଜାରି ରଖିଛନ୍ତି ।