ପୁରୀ,୨୪/୦୨: ପବିତ୍ର ପଙ୍କୋଦ୍ଧାର ଏକାଦଶୀରେ ଦର୍ଶନ ଦେବେ ପ୍ରଭୁ ଶ୍ରୀଲୋକନାଥ । ବର୍ଷ ତମାମ ଶ୍ରଦ୍ଧାଳୁଙ୍କ ଦ୍ୱାରା ଲାଗି  ହୋଇଥିବା ପୂଜା ସାମଗ୍ରୀରେ ବୁଡି ରହିଥିବା ପ୍ରଭୁ ଶ୍ରୀଲୋକନାଥଙ୍କ ଗମ୍ଭୀରାରୁ ପଙ୍କୋଦ୍ଧାର ଓ ମାଘ ସ୍ନାନ କରାଯିବ।। କ୍ଷୀର, ସର, ଛାଚି, ଛେନା, କଦଳୀ, ଖଇକୋରା, ବେଲପତ୍ର, ଅରଖଫୁଲ, ମାନସିକ ରୂପ ଆଦି ସଫା କରାଯାଉଛି।  ରାତ୍ର ୨ଟା ୩୦ରେ ଦ୍ୱାର ଖୋଲାଯାଇ ମଙ୍ଗଳଆଳତୀ, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା,  ଦ୍ୱାରପାଳପୂଜା, ଗୋପାଳବଲ୍ଲଭ, ସକାଳ ଧୂପ ବଢ଼ିବା ପରେ  ସକାଳ ୬ରୁ ପଙ୍କୋଦ୍ଧାର ନୀତି ଚାଲିଛି।

ପଙ୍କୋଦ୍ଧାର ନୀତିକାନ୍ତି ପୂର୍ବାହ୍ନ ୧୧ଟାରେ  ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ପଙ୍କୋଦ୍ଧାର ସରିବା ପରେ ମହାପ୍ରଭୁଙ୍କ ମାଘ ସ୍ନାନ ନୀତି କରାଯାଇ ମଧ୍ୟାହ୍ନ ୧୨ଟା ଭିତରେ  ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇ ବିଳମ୍ବିତ ରାତ୍ର ୧୦ଟା ପର୍ଯ୍ୟନ୍ତ  ଜାରି ରହିବ ।ଶ୍ରଦ୍ଧାଳୁମାନେ ଯେଭଳି ଶୃଙ୍ଖଳିତ ଦର୍ଶନ କରିବେ  ସେଥିଲାଗି ପ୍ରଶାସନ ପକ୍ଷରୁ ବ୍ୟାରିକେଡ ନିର୍ମାଣ କରାଯାଇଛି ।  ଗହଳିକୁ ଦୃଷ୍ଟିରେ ରଖି ଲୁଟେରା ଓ ଚୋରଙ୍କୁ ଜଗିବା ଲାଗି  ପୁଲିସ ତରଫରୁ ବ୍ୟାପକ ଭାବେ ଫୋର୍ସ ମୁତୟନ କରାଯାଇଛି । 

ବାବା ଲୋକନାଥଙ୍କର ପଙ୍କୋଦ୍ଧାର ଏକାଦଶୀ ନୀତି  ପାଇଁ ଲୋକନାଥ ମନ୍ଦିରରେ ଏହି  ନୀତି ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବେ । ଏହାକୁ ଦୃଷ୍ଟିରେ ରଖି ପୁରୀ ପୁଲିସ  ବ୍ୟାପକ ବ୍ୟବସ୍ଥା କରିଛି । ଲୋକନାଥ ମନ୍ଦିର  ଭିତରେ ୨ ଜଣ ଡିଏସ୍‌ପି, ୮ ଜଣ ଇନ୍ସପେକ୍ଟର୍‌,  ୩୨ ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୫୨ ଜଣ  ହାବିଲ୍‌ଦାର୍‌ ଓ କନ୍‌ଷ୍ଟେବଳ, ୫୬ ଜଣ ହୋମ୍‌ଗାର୍ଡ,  ୪ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି । ସେହିପରି  ଲୋକନାଥ ମନ୍ଦିର ବାହାରେ ୨ ଜଣ ଇନ୍ସପେକ୍ଟର୍‌, ୨  ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୪ ଜଣ ହାବିଲ୍‌ଦାର  ଓ କନ୍‌ଷ୍ଟେବଳ, ୮ ଜଣ ହୋମଗାର୍ଡ, ୨ ସେକ୍ସନ  ଫୋର୍ସ ମୁତୟନ ହୋଇଛନ୍ତି ।

ରବିବାର ରାତିରୁ  ଜଣେ ଲେଖାଏଁ ଡିଏସ୍‌ପି, ଇନ୍ସପେକ୍ଟର୍‌, ଏସ୍‌ଆଇ  ଓ ଏଏସ୍‌ଆଇ, ୧ ସେକ୍ସନ ଫୋର୍ସ ଜଗି ରହିଛନ୍ତି । ଟ୍ରାଫିକ  ପାଇଁ ଜଣେ ଡିଏସ୍‌ପି, ଜଣେ ଇନ୍ସପେକ୍ଟର, ୪ ଜଣ  ଏସ୍‌ଆଇ ଓ ଏଏସ୍‌ଆଇ, ୧୦ ଜଣ ହାବିଲ୍‌ଦାର୍‌ ଓ  କନ୍‌ଷ୍ଟେବଳ, ୧୦ ଜଣ ହୋମଗାର୍ଡ, ୨ ସେକ୍ସନ ଫୋର୍ସ ନିୟୋଜିତ ହୋଇଛନ୍ତି। । କଣ୍ଟ୍ରୋଲ୍‌ରୁମ୍‌ ପାଇଁ ଜଣେ ଡିଏସ୍‌ପି, ୨  ଜଣ ଇନ୍ସପେକ୍ଟର୍‌, ୨ ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୪  ଜଣ ହାବିଲ୍‌ଦାର୍‌ ଓ କନ୍‌ଷ୍ଟେବଳ, ୪ ଜଣ ହୋମଗାର୍ଡ,  ୪ ସେକ୍ସନ ଫୋର୍ସ ନିୟୋଜିତ କରାଯାଇଛି । ତେବେ  ପଙ୍କୋଦ୍ଧାର ଏକାଦଶୀ ପାଇଁ ପୁରୀ ପୁଲିସ ପକ୍ଷରୁ  ଜଣେ ଅତିରିକ୍ତ ଏସ୍‌ପିଙ୍କ ସହ ମୋଟ ୫ ଜଣ  ଡିଏସ୍‌ପି, ୧୫ ଜଣ ଇନ୍ସପେକ୍ଟର୍‌, ୪୧ ଜଣ ଏସ୍‌ଆଇ  ଓ ଏଏସ୍‌ଆଇ, ୭୨ ଜଣ ହାବିଲ୍‌ଦାର୍‌ ଓ କନ୍‌ଷ୍ଟେବଳ,  ୮୨ ଜଣ ହୋମଗାର୍ଡ, ୬ ପ୍ଲାଟୁନ୍‌ ୧ ସେକ୍ସନ  ଫୋର୍ସ ନିୟୋଜିତ ହୋଇଛନ୍ତି।