ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭଲ ଓ ଚନ୍ଦୋସୀରେ ଚାଲିଥିବା ଖନନରେ ପ୍ରତିଦିନ ନୂଆ ନୂଆ ଜିନିଷ ମିଳୁଛି। ରହସ୍ୟମୟ ଜିନିଷ ସବୁ ଏହି ମନ୍ଦିର ଓ କୂଅ ଭିତରୁ ମିଳୁଛି। ଏହି ଖନନ ବେଳେ ବାଭଡି ଓ ପ୍ରାଚୀନ ବିଲ୍ଡିଂ ମିଳିଛି। ବାଭଡିର ଖନନ ଚାଲିଛି, ତା ଭିତରୁ ଏକ ଲମ୍ବା ସୁଡଙ୍ଗ ମିଳିଛି। ସୁଡଙ୍ଗ ମିଳିବା ପରେ ମଧ୍ୟ ଖନନ ଜାରି ରହିଛି। ସୁଡଙ୍ଗ ମିଳିବାର ଖବର ପରେ ଜିଲ୍ଲାପାଳ ଘଟଣାସ୍ଥଳରେ ପହଁଞ୍ଚିଛନ୍ତି। ଏହାପରେ ଅତିକ୍ରମଣ ହଟାଇବାର ନିର୍ଦେଶ ଦେଇଛନ୍ତି।
ମୁସଲିମ୍ ବହୁଳ ମୋହଲ୍ଲା ଲକ୍ଷଣ ଗଞ୍ଜର ଖାଲି ମୈଦାନରେ ଏହି ଖନନ ଚାଲିଛି । ଖନନ ବେଳେ ବହୁ ରହସ୍ୟମୟ ଜିନିଷ ମିଳିଛି। ବାଙ୍କେବିହାରୀ ମନ୍ଦିରରୁ କିଛି ଦୂରରେ ହେଉଥିବା ଖନନ ଦ୍ବିତୀୟ ରବିବାର ମଧ୍ୟ ଜାରି ରହିଛି। ଦିନକ ପୂର୍ବରୁ ସେଠାରେ ଖନନ ବେଳେ ବାଭଡି ମିଳିଥିଲା। ତେଣୁ ପ୍ରଶାସନ ସେଠାରେ ସଫେଇ ନିର୍ଦେଶ ଦେଇଛି। ବାଭଡିର ସଫେଇ ଚାଲିଥିବା ବେଳେ ହଠାତ୍ ଦୁଇଟି ରୁମ୍ରୁ ଏକ ପ୍ରାଚୀନ ବିଲ୍ଡିଂ ମିଳିଥିଲା। ଏବେ ଏହାର ଚର୍ଚ୍ଚା ଚାଲିଛି ଯେ ଭିତରେ ଏକ ସୁଡଙ୍ଗ ମଧ୍ୟ ଦେଖିବାକୁ ମିଳିଛି।
ସୁଡଙ୍ଗ ମିଳିବାର ଖବର ପରେ ଜିଲ୍ଲାପାଳ ରାଜେନ୍ଦ୍ର ପୋସିୟା ଓ ଏସ୍ପି କୃଷ୍ଣ କୁମାର ବିଷ୍ଣୋଇ ଘଟଣାସ୍ଥଳରେ ପହଁଞ୍ଚିଥିଲେ। ଜିଲ୍ଲାପାଳ କହିଛନ୍ତି ଯେ, ବାବଡି ପ୍ରାୟ ୧୫୦ ବର୍ଷ ପୁରୁଣା। ଏହାର ସର୍ଭେ ପାଇଁ ଷ୍ଟେଟ୍ ଆର୍କୋଲୋଜିକାଲ ଟିମ୍କୁ ଡକାଯାଇଛି।