କାଶୀପୁର ,୨୦।୯ : ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ ଟିକିରି ଥାନା ପୁଲିସ ଟିକିରି ସ୍ଥିତ ସୁନାମୁଦି ସାହିର ଏକ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି । ଏହି ଘଟଣାରେ ଜଣେ ନାବାଳକ ସମେତ ୪ ଜଣ ପୁଲିସ ହାତରେ  ଧରାପଡିଛନ୍ତି। ସେମାନଙ୍କ ନିକଟରୁ ଚୋରି ହୋଇ ଥିବା ସୁନା ଗହଣା, ମୋବାଇଲ ଏବଂ ଟାଵଲେଟ ପୁଲିସ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କୋରାପୁଟ ଜିଲ୍ଲା ବୈପାରି ଗୁଡ଼ା ଗ୍ରାମର ରାଜୁ ନାଏକ(୨୩) ,  ଜୟପୁର ସହର ସ୍ଥିତ ମେଦ୍ରୀ ସାହି ବାସିନ୍ଦା ଭରତ ନାଏକ (୩୫) ଏବଂ ଏସ ଭେଙ୍କେଟ।

ଟିକିରି ସୁନାମୁଦିସାହିରେ ଭଡାରେ ରହୁଥିବା ସୁଶାନ୍ତ ନାଗ ଘର  ତାଲା ପକାଇ କୁଆଡେ ଯାଇଥିଲେ। ମାର୍ଚ୍ଚ ୧୬ ତାରିଖରେ ଘରର  ତାଲା ଭାଙ୍ଗି ଅଭିଯୁକ୍ତମାନେ ଟଙ୍କା ଏବଂ ସୁନା ଅଳଙ୍କାର ଲୁଟି ନେଇଥିଲେ । ଚୋରି ସମ୍ପର୍କରେ ଜାଣିବା ପରେ  ଏହା ପରଦିନ ସୁଶାନ୍ତ ଟିକିରି ଥାନାରେ ଏତଲା ଦେଇଥିଲେ। ପୁଲିସ ଫରେନସିକ ଟିମ ସହାୟତାରେ  ତଦନ୍ତ ଆରମ୍ଭ କରିଥିଲା । ଘରେ ଲାଗି ଥିବା ସିସିଟିଭି କ୍ୟାମେରା ନଜରରୁ ବର୍ତ୍ତିବା ପାଇଁ ଅଭିଯୁକ୍ତମାନେ ମୁଖା, ଏବଂ ଗ୍ଲୋବସ ବ୍ୟବହାର କରିଥିଲେ । ସିସି ଫୁଟେଜକୁ ଆଧାର କରି ପୁଲିସ ଛାନଭିନ ଆରମ୍ଭ କରିଥିଲା ।

ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ସୁନାମୁଦି ସାହିର ଆଖପାଖ ଅଞ୍ଚଳରେ ଭଡ଼ା ରହୁଥିବା ବେଳେ ଚୋରି ପାଇଁ ସୁଶାନ୍ତଙ୍କ ଘର ପ୍ରତି ବରାବର ନଜର ରଖୁ ଥିବା ପୁଲିସ ସିସିଟିଭି ଯାଞ୍ଚ କରି ଜାଣିବାକୁ ପାଇଥିଲା । ଟିକିରି ଥାନାଅଧିକାରୀ ବିଶ୍ୱ ବନ୍ଦିନୀ ବାଗଙ୍କ ନେତୃତ୍ୱରେ ପୁଲିସ ଟିମ ଅଭିଯୁକ୍ତଙ୍କୁ ଠାବ କରିବାରେ ସକ୍ଷମ ହୋଇଥିଲା ।  ଅଭିଯୁକ୍ତ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇ ଭବାନୀ ପାଟଣା ସ୍ଥିତ ବାଳ ସୁଧାରଗୃହକୁ ପଠାଇ ଦିଆଯାଇଛି । ଏସଆଇ ତ୍ରିନାଥ କତାପାଡ଼ିଆ ଏହି ମାମଲାର ତଦନ୍ତ କରିଥିଲେ।