ରାଇରଙ୍ଗପୁର,୩୧/୧୦: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍ ଆଦର୍ଶ ଥାନା ନିକଟସ୍ଥ ବିଦେଶୀ ମଦ ଦୋକାନ ସାମ୍ନାରେ ଲୁଟ୍ । ପାର୍କିଂ ହୋଇଥିବା କାର୍ କାଚ ଭାଙ୍ଗି ୨ ଲକ୍ଷ ଟଙ୍କା ନେଇଗଲେ ଦୁଇ ଲୁଟେରା । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି ।
ସୂଚନା ମୁତାବକ, ରାଇରଙ୍ଗପୁର ଟାଉନ ଆଦର୍ଶ ଥାନା ବାଇଦା ପୋଷିରେ ରହୁଥିବା ଷ୍ଟେଟ୍ ବ୍ୟାଙ୍କର ଅବସର ପ୍ରାପ୍ତ କର୍ମଚାରୀ କାଲେଶ୍ୱର ହାଁସଦା ଷ୍ଟେଟ୍ ବ୍ୟାଙ୍କରୁ ଦୁଇ ଲକ୍ଷ ଟଙ୍କା ଉଠାଣ କରି ନିଜ କାର୍ର ପଛ ସିଟ୍ରେ ରଖିଥିଲେ । ପରେ ବ୍ୟାଙ୍କରୁ ବାହାରି ଗୋଲେଇରୁ ଗାନ୍ଧି ଛକ ମଝିରେ ଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନ ବିପରୀତ ଦିଗ ରାସ୍ତାରେ କାର୍କୁ ଛିଡ଼ା କରି ଡ୍ରାଇଭର ସହିତ ମଦ ଦୋକାନକୁ ଯାଇ ଥିଲେ । ଏହି ସମୟର ମଦ ଦୋକାନର କାନ୍ଥକୁ ଲାଗି ରହି ଥିବା ଆଉ ଏକ ଦୋକାନରେ ଛିଡ଼ା ହୋଇ ଥିବା ୨ ଲୁଟେରା କାର୍ ପାଖକୁ ଆସି ବାମ ପାଖ ମଝି କାଚ ଭାଙ୍ଗି ଟଙ୍କା ଧରି ପଳାଇଥିଲେ । ଏସମ୍ପର୍କରେ ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଅନ୍ୟପକ୍ଷରେ ଦୋକାନରେ ଥିବା ସିସିଟିଭିରେ ଲୁଟେରାଙ୍କ ଫଟୋ କଏଦ ହୋଇ ଥିବା ପୁଲିସ ସୂଚନା ଦେଇଛି।