କୋଣାର୍କ,୧୨।୮(ଆପ୍ର) : ଜଣେ ବୃଦ୍ଧାଙ୍କ ବେକରୁ ଦୁଇଜଣ ଦୁର୍ବୃତ୍ତ ସୁନା ଚେନ ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି । ଲୁଟର ଶିକାର ହୋଇଥିବା ବୃଦ୍ଧା ଜଣକ ହେଲେ ଜୁଣେଇ ଗ୍ରାମର ରାଧାମଣୀ ପାତ୍ର ।
କୋଣାର୍କ ଥାନା ଅନ୍ତର୍ଗତ ଜୁଣେଇ ଗ୍ରାମର ରାଧାମଣୀ ପାତ୍ର (୭୦) ସକାଳ ସମୟରେ ଠାକୁର ପୂଜା ପାଇଁ ଫୁଲ ତୋଳି ଘରେ ରଖି ଦାଣ୍ଡ ପିଣ୍ଡାରେ ବସିଥିଲେ। ଦୁଇଜଣ ଅଜଣା ଯୁବକ ଏକ ନାଲି ରଙ୍ଗର ବାଇକରେ ଆସି ବୃଦ୍ଧା ଜଣଙ୍କୁ ବାବୁଲା ପାତ୍ରଙ୍କ ଘର କେଉଁଠି ବୋଲି ପଚାରି ଥିଲେ। ବୃଦ୍ଧା ଜଣଙ୍କ କିଛି କହିବା ପୂର୍ବରୁ ତାଙ୍କ ବେକରେ ଥିବା ସୁନା ଚେନ ଛିଣ୍ଡାଇ ଦ୍ରୁତଗତିରେ ଜୁଣେଇଁ ହାଟ ଅଭିମୁଖେ ଖସି ପଳାଇଥିଲେ। ଦୁର୍ବୃତ୍ତମାନଙ୍କ ମଧ୍ୟରୁ ଜଣେ ହେଲମେଟ ପିନ୍ଧିଥିବା ବେଳେ ଅନ୍ୟ ଜଣେ ହେଲମେଟ ପିନ୍ଧି ନ ଥିବା ରାଧାମଣୀ କହିଛନ୍ତି । ଏହି ଘଟଣାକୁ ନେଇ ବୃଦ୍ଧାଙ୍କ ପୁଅ ପରେଶ ପାତ୍ର କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କୋଣାର୍କ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା କୋଣାର୍କ ଥାନା ଆଇଆଇସି ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରକାଶ କରିଛନ୍ତି।