ବ୍ରହ୍ମଗିରି,୧୨/୦୬: ଆଜି ମହାପ୍ରଭୁ  ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହୋଇଛି । ୧୪ଦିନ  ଧରି ଠାକୁର ଚତୁର୍ଭୁଜ ନାରାୟଣ ରୂପରେ ଦର୍ଶନ କରିପାରିବେ । ଆଜି ଭୋର ୪ଟାରେ ମନ୍ଦିର ଖୋଲିବା ପରେ ୪.୧୫ ରେ ମଙ୍ଗଳ ଆଳତୀ,ତଡ଼ପ ଲାଗି, ଅବକାଶ, ବେଶ, ତୁଳସୀ ଲାଗି ହୋଇଥିଲା। ସାଢେ଼ ୫ ଟାରେ ଗୋପାଳ ବଲ୍ଲଭ ସରିବା ପରେ ଏବେ ସର୍ବସାଧାରଣ ଦର୍ଶନ ୬ ଟାରୁ ଆରମ୍ଭ ହୋଇଛି। ଏଥିପାଇଁ ଶ୍ରୀଅଲାରନାଥଙ୍କ ଭକ୍ତଙ୍କ ପ୍ରବଳ ଭିଡ ଲାଗିଛି।

ଏଥିପାଇଁ ପ୍ରଶାସନ  ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ମନ୍ଦିର ପରିଚାଳନା କମିଟି ତରଫରୁ ମନ୍ଦିର, ବିଗ୍ରହ, ସିଂହଦ୍ୱାରରେ ଦୁଇ  ସିଂହ ଓ ଆନନ୍ଦ ବଜାରକୁ ସୁସଜ୍ଜିତ  କରାଯାଇଛି । ଅଣସର ସମୟରେ ପ୍ରତିଦିନ  ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼  ଜମିବ । ଶୃଙ୍ଖଳିତ ଦର୍ଶନ ନିମନ୍ତେ ପ୍ରଶାସନ  ତରଫରୁ ବ୍ୟାରିକେଡ୍‌ କରାଯାଇଛି । ଯାନବାହନ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । 

ଗୋପ ଛକ ମୁଖ୍ୟ ରାସ୍ତାଠାରୁ ଭକ୍ତମାନେ ଚାଲି ଚାଲି ଯିବେ । ଭିଆଇପି, ଭିଭିଆଇପିଙ୍କ ଯାନବାହାନ ଯାତ୍ରୀ ନିବାସଠାରେ ରହିବା ପାଇଁ ସ୍ଥିର ହୋଇଛି । ଭକ୍ତଙ୍କ ୩ ଓ ୪ ଚକିଆ ଯାନ ଚନ୍ଦନ ପୋଖରୀ ନିକଟରେ ପାର୍କିଂ ହେବ । ସେବାୟତଙ୍କ ଗାଡ଼ିମୋଟର ପାନ୍ଥନିବାସ ନିକଟରେ ରହିବା ପାଇଁ ବ୍ୟବସ୍ଥା ହୋଇଛି । ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଜଣେ ଆଡିସିନାଲ୍‌ ଏସ୍‌ପି,  ୨ଜଣ ଡିଏସ୍‌ପି, ୩ଜଣ ଇନ୍ସପେକ୍ଟରଙ୍କ ସମେତ ୧୭  ଅଫିସର, ୮ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ ବୋଲି  ବ୍ରହ୍ମଗିରି ଥାନା ଆଇଆଇସି ପ୍ରଜ୍ଞା ମହାନ୍ତି  ସୂଚନା ଦେଇଛନ୍ତି ।ସ୍ୱାସ୍ଥ୍ୟ, ଅଗ୍ନିଶମ, ପାନୀୟ ଜଳ  ଯୋଗାଣ ବିଭାଗ ତରଫରୁ ଉତ୍ତମ ସେବା  ଯୋଗାଇବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ  ହୋଇଛି । ଅପରାଧ ନିୟନ୍ତ୍ରଣ ପାଇଁ ମନ୍ଦିର  ଚାରିପାଖରେ ସିସିଟିଭି କ୍ୟାମେରା ଖଞ୍ଜା  ଯାଇଛି । ଗରମରୁ ଭକ୍ତଙ୍କୁ ସୁରକ୍ଷା ଦେବା  ପାଇଁ ଛାମୁଣ୍ଡିଆ ବ୍ୟବସ୍ଥା ହୋଇଛି । 

ସୂଚନାଯୋଗ୍ୟ, ଚତୁର୍ଦ୍ଧାମୂର୍ତ୍ତି ୧୦୮  କଳସ ଜଳରେ ସ୍ନାନପରେ ଅଣସର  ପିଣ୍ଡିରେ ବିଜେ କରିଛନ୍ତି । ଏହି ସମୟରେ  ମହାପ୍ରଭୁଙ୍କ ଗୁପ୍ତ ସେବା ହେବ ।  ଶ୍ରୀମନ୍ଦିରରେ ଭକ୍ତ ଠାକୁରଙ୍କୁ ଦର୍ଶନ କରିପାରିବେନି ।  ବ୍ରହ୍ମଗିରିର ଶ୍ରୀଅଲାରନାଥ ପୀଠରେ ଶ୍ରଦ୍ଧାଳୁ ଦିଅଁ  ଦେଖିବେ । ଏହି ସମୟରେ ଶ୍ରୀଅଲାରନାଥଙ୍କ  ଦର୍ଶନ କଲେ ଶ୍ରୀଜଗନ୍ନାଥ ଦର୍ଶନର ସମ ଫଳ ପ୍ରାପ୍ତି  ହୋଇଥାଏ ବୋଲି ବିଶ୍ୱାସ ରହିଛି।