ପ୍ରମୂଖ ଖବର
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଶ୍ରୀଅଲାରନାଥଙ୍କ ପୀଠରେ ଅଣସର ଦର୍ଶନ ଆରମ୍ଭ, ଠାକୁରଙ୍କୁ ଦର୍ଶନ ପାଇଁ ଲାଗିଲା ଭକ୍ତଙ୍କ ଭିଡ଼

Published By : Prameya | June 12, 2025 7:57 AM

ବ୍ରହ୍ମଗିରି,୧୨/୦୬: ଆଜି ମହାପ୍ରଭୁ  ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହୋଇଛି । ୧୪ଦିନ  ଧରି ଠାକୁର ଚତୁର୍ଭୁଜ ନାରାୟଣ ରୂପରେ ଦର୍ଶନ କରିପାରିବେ । ଆଜି ଭୋର ୪ଟାରେ ମନ୍ଦିର ଖୋଲିବା ପରେ ୪.୧୫ ରେ ମଙ୍ଗଳ ଆଳତୀ,ତଡ଼ପ ଲାଗି, ଅବକାଶ, ବେଶ, ତୁଳସୀ ଲାଗି ହୋଇଥିଲା। ସାଢେ଼ ୫ ଟାରେ ଗୋପାଳ ବଲ୍ଲଭ ସରିବା ପରେ ଏବେ ସର୍ବସାଧାରଣ ଦର୍ଶନ ୬ ଟାରୁ ଆରମ୍ଭ ହୋଇଛି। ଏଥିପାଇଁ ଶ୍ରୀଅଲାରନାଥଙ୍କ ଭକ୍ତଙ୍କ ପ୍ରବଳ ଭିଡ ଲାଗିଛି।

ଏଥିପାଇଁ ପ୍ରଶାସନ  ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ମନ୍ଦିର ପରିଚାଳନା କମିଟି ତରଫରୁ ମନ୍ଦିର, ବିଗ୍ରହ, ସିଂହଦ୍ୱାରରେ ଦୁଇ  ସିଂହ ଓ ଆନନ୍ଦ ବଜାରକୁ ସୁସଜ୍ଜିତ  କରାଯାଇଛି । ଅଣସର ସମୟରେ ପ୍ରତିଦିନ  ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼  ଜମିବ । ଶୃଙ୍ଖଳିତ ଦର୍ଶନ ନିମନ୍ତେ ପ୍ରଶାସନ  ତରଫରୁ ବ୍ୟାରିକେଡ୍‌ କରାଯାଇଛି । ଯାନବାହନ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । 

ଗୋପ ଛକ ମୁଖ୍ୟ ରାସ୍ତାଠାରୁ ଭକ୍ତମାନେ ଚାଲି ଚାଲି ଯିବେ । ଭିଆଇପି, ଭିଭିଆଇପିଙ୍କ ଯାନବାହାନ ଯାତ୍ରୀ ନିବାସଠାରେ ରହିବା ପାଇଁ ସ୍ଥିର ହୋଇଛି । ଭକ୍ତଙ୍କ ୩ ଓ ୪ ଚକିଆ ଯାନ ଚନ୍ଦନ ପୋଖରୀ ନିକଟରେ ପାର୍କିଂ ହେବ । ସେବାୟତଙ୍କ ଗାଡ଼ିମୋଟର ପାନ୍ଥନିବାସ ନିକଟରେ ରହିବା ପାଇଁ ବ୍ୟବସ୍ଥା ହୋଇଛି । ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଜଣେ ଆଡିସିନାଲ୍‌ ଏସ୍‌ପି,  ୨ଜଣ ଡିଏସ୍‌ପି, ୩ଜଣ ଇନ୍ସପେକ୍ଟରଙ୍କ ସମେତ ୧୭  ଅଫିସର, ୮ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ ବୋଲି  ବ୍ରହ୍ମଗିରି ଥାନା ଆଇଆଇସି ପ୍ରଜ୍ଞା ମହାନ୍ତି  ସୂଚନା ଦେଇଛନ୍ତି ।ସ୍ୱାସ୍ଥ୍ୟ, ଅଗ୍ନିଶମ, ପାନୀୟ ଜଳ  ଯୋଗାଣ ବିଭାଗ ତରଫରୁ ଉତ୍ତମ ସେବା  ଯୋଗାଇବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ  ହୋଇଛି । ଅପରାଧ ନିୟନ୍ତ୍ରଣ ପାଇଁ ମନ୍ଦିର  ଚାରିପାଖରେ ସିସିଟିଭି କ୍ୟାମେରା ଖଞ୍ଜା  ଯାଇଛି । ଗରମରୁ ଭକ୍ତଙ୍କୁ ସୁରକ୍ଷା ଦେବା  ପାଇଁ ଛାମୁଣ୍ଡିଆ ବ୍ୟବସ୍ଥା ହୋଇଛି । 

ସୂଚନାଯୋଗ୍ୟ, ଚତୁର୍ଦ୍ଧାମୂର୍ତ୍ତି ୧୦୮  କଳସ ଜଳରେ ସ୍ନାନପରେ ଅଣସର  ପିଣ୍ଡିରେ ବିଜେ କରିଛନ୍ତି । ଏହି ସମୟରେ  ମହାପ୍ରଭୁଙ୍କ ଗୁପ୍ତ ସେବା ହେବ ।  ଶ୍ରୀମନ୍ଦିରରେ ଭକ୍ତ ଠାକୁରଙ୍କୁ ଦର୍ଶନ କରିପାରିବେନି ।  ବ୍ରହ୍ମଗିରିର ଶ୍ରୀଅଲାରନାଥ ପୀଠରେ ଶ୍ରଦ୍ଧାଳୁ ଦିଅଁ  ଦେଖିବେ । ଏହି ସମୟରେ ଶ୍ରୀଅଲାରନାଥଙ୍କ  ଦର୍ଶନ କଲେ ଶ୍ରୀଜଗନ୍ନାଥ ଦର୍ଶନର ସମ ଫଳ ପ୍ରାପ୍ତି  ହୋଇଥାଏ ବୋଲି ବିଶ୍ୱାସ ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.