ପୁରୀ,୦୧/୦୯: ଶ୍ରୀମନ୍ଦିରରେ  ରାଧାଷ୍ଟମୀ ପର୍ବ ପାଳନ ଅବସରରେ ମହାପ୍ରଭୁ ବଡ଼ଦେଉଳର ବାର୍ଷିକ ଆୟବ୍ୟୟର ହିସାବ ନେଇଛନ୍ତି । ଶ୍ରୀ ସୁଦର୍ଶନ ଦେବ ଠାକୁରଙ୍କ ପ୍ରତିନିଧି ଭାବେ ରବିବାର ଏହି ବିଧି ସମ୍ପନ୍ନ କରିଛନ୍ତି । ସେବାୟତ ଓ ଭକ୍ତଙ୍କ ଗହଣରେ ଚଉଦୋଳରେ ଶ୍ରୀସୁଦର୍ଶନ ଶ୍ରୀମନ୍ଦିରରୁ ବାହାରି ନଗର ପରିକ୍ରମା  କରିବା ସହ ଗୌଡ଼ବାଡ଼ ସାହିସ୍ଥିତ ଜମ୍ବେଶ୍ୱରଙ୍କ ମନ୍ଦିରରେ ବିଜେ ହୋଇ  ଶ୍ରୀଜମ୍ବେଶ୍ୱରଙ୍କଠାରୁ ଆୟ-ବ୍ୟୟର  ହିସାବ ନେଇଥିଲେ । ବଡ଼ଦେଉଳ  ପରମ୍ପରା ଅନୁସାରେ ଶ୍ରୀଜମ୍ବେଶ୍ୱର  ମହାଦେବ ସମସ୍ତ ବିବରଣୀ ଦେଇଥିଲେ ।  

ମଧ୍ୟାହ୍ନ ଧୂପ ପରେ ସୁଦର୍ଶନ  ବିଜେ ନୀତି ଆରମ୍ଭ ହୋଇଥିଲା ।  ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ଆଜ୍ଞାମାଳ  ଆଣି ଶ୍ରୀସୁଦର୍ଶନଙ୍କୁ ଦେଇଥିଲେ ।  ଦଇତାପତିମାନେ ଶ୍ରୀସୁଦର୍ଶନଙ୍କୁ  ଜଗମୋହନସ୍ଥିତ ଚଉଦୋଳରେ ବିଜେ  କରାଇଥିଲେ । ଶ୍ରୀସୁଦର୍ଶନଙ୍କୁ ରୁନ୍ଧା  ସହ ପାଟପତନୀ ଲାଗି କରାଯାଇଥିଲା । ଝୁଲଣ ମଣ୍ଡପ ନିକଟରେ ଠାକୁରେ  ସୁନା ହରଡ଼ମାଳ ଓ ଚୂଳ ଲାଗି  ହୋଇଥିଲେ । ଘଣ୍ଟ ଘଣ୍ଟାର ପଟୁଆରରେ  ସୁଦର୍ଶନ ଦେବ ଶ୍ରୀମନ୍ଦିର ବେଢ଼ା କରି  ନଗର ପରିକ୍ରମାରେ ବାହାରି ଥିଲେ । ରାତ୍ରରେ ଶ୍ରୀଜମ୍ୱେଶ୍ୱରଙ୍କ ମନ୍ଦିରରେ  ଶ୍ରୀସୁଦର୍ଶନ ବିଜେ ହୋଇଥିଲେ ।  ସେଠାରେ ଶୀତଳଭୋଗ ଓ ପ୍ରସାଦ  ଲାଗି ନୀତି ଅନୁଷ୍ଠିତ ହୋଇଥିଲା । 

ଯଥାବିଧି ନୀତି ଶେଷ ପରେ ସୁଦର୍ଶନ ଦେବ ଶ୍ରୀମନ୍ଦିରକୁ ବାହୁଡା ବିଜେ କରିଥିଲେ । ସନ୍ଧ୍ୟା ଆଳତୀ ସମ୍ପନ୍ନ  ହୋଇଥିଲା । ଶ୍ରୀସୁଦର୍ଶନଙ୍କୁ ପ୍ରସାଦ ଲାଗି କରାଯାଇଥିଲା । ଭୋଗ ଶେଷ ହେବାପରେ ଶ୍ରୀବିଗ୍ରହଙ୍କ ବନ୍ଦାପନା ବିଧି ଶେଷ ହୋଇ ରାଧାଷ୍ଟମୀ ନୀତି ସମ୍ପନ୍ନ ହୋଇଥିଲା। ଏହି ଅବସରରେ ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଋଷି ଆଶ୍ରମ, ବିଭିନ୍ନ ମଠ, ଅନୁଷ୍ଠାନ ଓ  ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଶ୍ରୀସୁଦର୍ଶନଙ୍କୁ ପନ୍ତି ଭୋଗ ଅର୍ପଣ କରାଯାଇଥିଲା ।