ଚନ୍ଦ୍ରଶେଖରପୁର,୦୯/୦୯: ହୋଟେଲରେ ପ୍ରେମିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ଇନଫୋସିଟି ଥାନା ପୁଲିସ । ଅଭିଯୁକ୍ତ ହେଲେ ସଞ୍ଜିତ୍ କୁମାର ସିଂ(୨୦) । ଘର ସହିଦ୍ନଗର ଥାନା ବିଶେଶ୍ୱର ବସ୍ତିରେ ।
ସୂଚନା ଅନୁଯାୟୀ, ଅଭିଯୋଗକାରିଣୀ ଯୁବତୀ ପାୟଲ (ଛଦ୍ମନାମ) ୨୦୨୨ ମସିହାରେ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଯୁକ୍ତ ଦୁଇ ପଢୁଥିଲେ । ଏହି ସମୟରେ ଏକ କୋଚିଂ ସେଣ୍ଟରରେ ତାଙ୍କର ସଞ୍ଜିତଙ୍କ ସହ ସାକ୍ଷାତ ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ସଞ୍ଜିତ୍ ତାଙ୍କୁ ଏକ ପାଖିଆ ଭଲ ପାଇବା ସହ ବିବାହ ପ୍ରସ୍ତାବ ଦେଇଥିଲେ । ହେଲେ ପାୟଲ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ଫଳରେ ଉଭୟଙ୍କ ମଧ୍ୟରେ କିଛିଦିନ ପାଇଁ ଦୂରତା ବଢିଯାଇଥିଲା । ଏହି ଘଟଣାର କିଛିଦିନ ପରେ ସଞ୍ଜିତ୍ ପାୟଲଙ୍କୁ ଭେଟି ଦୁହିଁଙ୍କ ମଧ୍ୟରେ ସଂପର୍କ କେବଳ ବନ୍ଧୁତାରେ ସୀମିତ ରଖିବା ଲାଗି ପ୍ରତିଶ୍ରୁତି ଦେଇଥିଲେ ।
ଗତ ଜୁଲାଇ ୧ ମଧ୍ୟାହ୍ନରେ ସଞ୍ଜିତ୍ କଟକରେ ଥିବା ନିଜ ମାଉସୀଙ୍କ ଘରକୁ ବୁଲିଯିବା ଲାଗି ପାୟଲଙ୍କୁ ପ୍ରସ୍ତାବ ଦେଇଥିଲେ । ପାୟଲ ଏହି ପ୍ରସ୍ତାବରେ ରାଜି ହୋଇ ଏକ ଅଟୋରେ କଟକ ଅଭିମୁଖେ ବାହାରିଥିଲେ । ବାଟରେ ସଞ୍ଜିତ୍ ଛଳନା କରି ତାଙ୍କୁ ପଟିଆ ଅଞ୍ଚଳରେ ଥିବା ଏକ ହୋଟେଲକୁ ନେଇଯାଇଥିଲେ । ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲେ । ଉକ୍ତ ହୋଟେଲରେ ଯୁବତୀଙ୍କୁ ୬ ଦିନ ଧରି ରଖିଥିଲେ । ବିବାହ କରିବା ଲାଗି ଚାପ ପକାଇଥିଲେ । ତେବେ ପାୟଲ ବିବାହ ଲାଗି ମନା କରିଦେଇଥିଲେ । ପାଖରେ ରଖିଥିବା ଫଟୋ ପରିବାର ସଦସ୍ୟଙ୍କୁ ପଠାଇ ଦେବା ଲାଗି ସଞ୍ଜିତ୍ ତାଙ୍କୁ ଧମକ ଦେଇଥିଲେ । ପାୟଲ ଶେଷରେ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ସଞ୍ଜିତଙ୍କୁ ଗିରଫ କରିଛି ।