ଭୁବନେଶ୍ୱର, ୦୯/୧୧ : କାଶ୍ମୀରରେ ଥିଲା ପୁଅ... । ଜଗତସିଂହପୁର ରହୁଥିଲା ଝିଅ । ମୋବାଇଲ୍ରେ ଚାଲିଥିଲା ଖେଳ... । ‘ଫ୍ରି ଫାୟାର୍’ ଗେମ୍ରେ ଦୁହେଁ ମାତିଲେ । ଖେଳ ଖେଳରୁ ସମ୍ପର୍କ ଯୋଡ଼ି ହୋଇଗଲା । କିଛି ଦିନ ପରେ ସମ୍ପର୍କ ନିବିଡ଼ ହୋଇ ପ୍ରେମରେ ବଦଳି ଗଲା । ଏମିତି ହେଲା ଯେ, ଦୁହେଁ ପୁରୀର ଏକ ହୋଟେଲ୍ରେ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇଲେ । ସେତେବେଳେ ପର୍ଯ୍ୟନ୍ତ ଜଣାପଡ଼ି ନଥିଲା ଗେମ୍ ପଛର ରହସ୍ୟ । ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ ହାତରେ ଲାଗିଲା ପରେ ପୁଅ ଆରମ୍ଭ କଲା ଅସଲ ଖେଳ । ଆଉ ଖେଳ ଭିତରର ରହସ୍ୟ ଥିଲା ‘ଲଭ୍ ଜିହାଦ...’ । ଲଭ୍ ଜିହାଦ୍ର ଜାଲ ବିଛାଇ ଥିବା ସମୀର ମନସୁର ଏବେ କମିଶନରେଟ୍ ପୁଲିସ୍ର ଜାଲରେ ପଡ଼ିଛି । ପୁଲିସ୍ ତାକୁ ଗିରଫ କରିଛି। ଆଜି ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯିବ।
ସୂଚନାନୁଯାୟୀ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ପ୍ରୀତି (ଛଦ୍ମାନାମ) । ବୟସ ୨୭ ବର୍ଷ । ସେ ପ୍ରାୟ ସବୁବେଳେ ମୋବାଇଲ୍ରେ ଫ୍ରି ଫାୟାର୍ ଗେମ୍ ଖେଳୁଥିଲେ । ଏହି ଗେମ୍ ଖେଳିବା ସମୟରେ ୨୦୨୨ ମସିହାରେ ସମୀର ସହ ପରିଚିତ ହୋଇଥିଲା । ସମୀରର ଘର ବିହାରରେ । ସେ କାଶ୍ମୀରରେ ଚାକିରି କରୁଥିଲା । ଗେମ୍ ମାଧ୍ୟମରେ ଉଭୟ ଫୋନ୍ ନମ୍ବର ଦିଆ ନିଆ କରିଥିଲେ । ସମୀର୍ ନିଜକୁ ହିନ୍ଦୁ ବୋଲି ପରିଚୟ ଦେଇ ସମ୍ପର୍କ ବଢ଼ାଇଥିଲା । ଖୁବ୍ କମ୍ ଦିନ ମଧ୍ୟରେ ସମୀର ତାଙ୍କୁ ପ୍ରେମ ନିବେଦନ କରିଥିଲା । ଆଉ ପ୍ରୀତି ଏଥିରେ ରାଜି ହୋଇଥିଲେ । ପ୍ରାୟ ସବୁଦିନ ଉଭୟ ଫୋନ୍ରେ କଥା ହୁଅନ୍ତି । ଭିଡିଓ କଲ୍ ବି କରନ୍ତି । ଫୋନ୍ରେ ଦୁଇ ବର୍ଷ ପ୍ରେମ କରିବା ପରେ ସମୀର୍ ତାଙ୍କୁ ଭେଟିବାକୁ ଓଡ଼ିଶା ଆସିବ ବୋଲି କହିଥିଲା ।
୨୦୨୪ ମାର୍ଚ୍ଚରେ ସମୀର୍ ଓଡ଼ିଶା ଆସି ପୁରୀରେ ଏକ ହୋଟେଲ୍ରେ ରହିଥିଲା । ପ୍ରୀତି ତାଙ୍କ ପରିବାର ଲୋକଙ୍କ ସହ ଭୁବନେଶ୍ୱରରେ ରହୁଥିଲେ । ଘର ଲୋକଙ୍କୁ ମିଛ କହି ସମୀର୍ଙ୍କୁ ଭେଟିବା ପାଇଁ ପୁରୀ ଯାଇଥିଲେ । ପ୍ରୀତି ହୋଟେଲରେ ପହଞ୍ଚିବାର କିଛି ସମୟ ପରେ ଜାଣିବାକୁ ପାଇଥିଲେ ସମୀର ହିନ୍ଦୁ ନୁହନ୍ତି । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ପ୍ରୀତିଙ୍କୁ ସେ ସେଠାରେ ବଳାତ୍କାର କରିଥିଲା । ଏମିତି କି ଯୋର ଜବରଦସ୍ତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲା ବୋଲି ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ପ୍ରୀତି । ତେବେ ହୋଟେଲରେ ଘଟିଥିବା ସମସ୍ତ ଘଟଣାର ଭିଡିଓ ରେକଡିଂ କରିଥିଲା ସମୀର । ପ୍ରୀତି ଏହି ଘଟଣାକୁ ନେଇ ସେଠାରେ ପ୍ରତିବାଦ କରିବା ସହ ଥାନାରେ ଅଭିଯୋଗ କରିବେ ବୋଲି କହିଥିଲେ । ହେଲେ ସମୀର ତାକୁ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍ କରିଦେବେ ବୋଲି ଧମକ ଦେଇଥିଲା । ଲୋକ ଲଜ୍ଜା ଭୟରେ ପ୍ରୀତି ଚୁପ୍ ରହି ସମୀରର ସବୁ କଥା ମାନିଥିଲେ । ପରେ କିଛି ଉପାୟ ନ ପାଇ ସମୀରକୁ ଯୋଗାଯୋଗ କରି ବାହା ହେବାକୁ କହିଥିଲେ । ହେଲେ ପ୍ରୀତି ପାଇଁ ଗୋଟିଏ ସର୍ତ୍ତ ରଖିଥିଲା ସମୀର । ବାହା ହେବାକୁ ହେଲେ ଧର୍ମ ପରିବର୍ତ୍ତନ କରିବାକୁ ପଡ଼ିବ ବୋଲି ସମୀର କହିଥିଲା ।
ଶେଷରେ ଘଟଣା ବିଷୟରେ ପ୍ରୀତି ପରିବାର ଲୋକଙ୍କୁ ଜଣାଇଥିଲେ । ତେବେ ଧର୍ମ ପରିବର୍ତ୍ତନ ପାଇଁ ପ୍ରୀତି ନିଜେ ଓ ତାଙ୍କ ପରିବାର ଲୋକ ରାଜି ନହେବାରୁ ସମୀର ତାର ଅସଲ ଚେହେରା ଦେଖାଇଥିଲା । ଧର୍ମ ପରିବର୍ତ୍ତନ ନ କଲେ ପୁରୀ ହୋଟେଲ୍ ରୁମ୍ର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଦେବାକୁ ଧମକ ଦେଇଥିଲା । ସମୀର ପ୍ରଥମେ କିଛି ଭିଡିଓ କ୍ଲିପ୍ ପ୍ରୀତିଙ୍କ ବାପାଙ୍କୁ ପଠାଇଥିଲା । ଆଉ କିଛି ସୋସିଆଲ୍ ମିଡିଆ (ଇନ୍ଷ୍ଟାଗ୍ରାମ୍)ରେ ଅପ୍ଲୋଡ୍ କରିଥିଲା । ଭିଡିଓ ଦେଖିବା ପରେ ସମୀର ସହ ଯୋଗାଯୋଗ କରିଥିଲେ ପ୍ରୀତି । ଭିଡିଓ ଡିଲିଟ୍ କରିବା ପାଇଁ ଅନୁରୋଧ କରିଥିଲେ । ହେଲେ ଭିଡିଓ ଡିଲିଟ୍ ପାଇଁ ୫ ଲକ୍ଷ ଟଙ୍କା ମାଗିଥିଲା ସମୀର । ଲୋକ ଲଜ୍ଜାକୁ ଡରି ପ୍ରୀତିଙ୍କ ବାପା ସମୀରକୁ ୫ ଲକ୍ଷ ଟଙ୍କା ବି ଦେଇଥିଲେ । ଟଙ୍କା ପାଇବା ପରେ ପୁଣି ବ୍ଲାକ୍ମେଲିଂ ଆରମ୍ଭ କରିଥିଲା । କିଛି ଉପାୟ ନ ପାଇ ପ୍ରୀତି ପୁଲିସ୍ ସହ ଯୋଗାଯୋଗ କରିଥିଲା ।
ମହିଳା ଥାନା ପୁଲିସ୍ ମାମଲା ରୁଜୁ କରି ସମୀର ବିରୋଧରେ ଆଇପିସି ଦଫା୨୯୪/୩୭୬/୩୮୫/୩୮୬/୫୦୬ ସହ ୬୬(ଇ)/୬୭ (ଏ) ଆଇଟି ଆକ୍ଟରେ ମାମଲା ରୁଜୁ କରିଥିଲା । ମହିଳା ଥାନା ପୁଲିସ୍ ଓ ସ୍ପେଶାଲ ସ୍କ୍ୱାଡ୍ ତାକୁ ଧରିବା ପାଇଁ ତିଆରି କରିଥିଲେ ବ୍ଲୁ-ପ୍ରିଣ୍ଟ । ପ୍ରୀତି ଜରିଆରେ ବିଭିନ୍ନ ବାହାନା ଦେଖାଇ ତାକୁ ଭୁବନେଶ୍ୱର ଡାକିବାକୁ ପୁଲିସ କହିଥିଲା । ପୁଲିସ୍ କଥାରେ ପ୍ରୀତି ଅଭିଯୁକ୍ତ ସମୀରକୁ ଭୁବନେଶ୍ୱର ଡାକିଥିଲେ । ଆଉ ଭୁବନେଶ୍ୱର ଆସୁଥିଲାବେଳେ ରାସ୍ତାରେ ତାକୁ କାବୁ କରିନେଇଥିଲା ପୁଲିସ । ସମୀରକୁ ଗିରଫ କରି ତା ମୋବାଇଲ୍ ଜବତ କରିଛି । ଶୁକ୍ରବାର ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି । ଆଜି ଉଭୟଙ୍କ ଡାକ୍ତରୀମାଇନା କରାଯାଇଛି। ଏହି ଘଟଣାର ଅଧିକ ତଦନ୍ତ ପାଇଁ ପୁଲିସ୍ ଅଭିଯୁକ୍ତ ସମୀରକୁ ରିମାଣ୍ଡରେ ଆଣିବ ବୋଲି ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।