ଭୁବନେଶ୍ୱର, ୧୬/୧୦ : ରାଜ୍ୟକୁ ପୁଣି ଏକ ଲଘୁଚାପ ଆସୁଛି। ବଙ୍ଗୋପସାଗରରେ ହେବାକୁ ଥିବା ଏହି ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ । ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରୁଛନ୍ତି । ତେବେ ଏହି ଲଘୁଚାପ ଘନୀଭୂତ ହୋଇ ଅବପାତ ଓ ପରେ ବାତ୍ୟାରେ ପରିଣତ ହୋଇପାରେ ବୋଲି ଜିଏଫଏସ୍ ମଡେଲ ଦର୍ଶାଇଛି । ବଡ଼ ନ ହେଲେ ବି ଛୋଟ ଧରଣର ବାତ୍ୟା ହେବ ବୋଲି ମଡେଲରେ ଆକଳନ କରାଯାଇଛି ।
ଜିଏଫଏସ୍ ମଡେଲର ଆକଳନ ଅନୁସାରେ, ସମୁଦ୍ରରେ ଥିଲା ବେଳେ ବାତ୍ୟା ରୂପ ନେବ । ଉପକୂଳକୁ ଆସିବା ପରେ ଏହା ଦୁର୍ବଳ ହୋଇଯିବ । କିନ୍ତୁ ଏହା ପ୍ରଭାବରେ ଓଡ଼ିଶାରେ ବିସ୍ତୃତ ବର୍ଷା ହୋଇପାରେ । ୨୪ ତାରିଖରେ ଏହା ଓଡ଼ିଶା ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୨୧ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୨୨ ତାରିଖରେ ଏହା ଲଘୁଚାପ ରୂପ ନେବ । ୨୩ ତାରିଖରେ ଅବପାତରେ ପରିଣତ ହୋଇପାରେ । ଏହା ଉତ୍ତର ବା ଉତ୍ତର ପଶ୍ଚିମକୁ ଗତି କରିବ । ଏହା ପ୍ରଭାବରେ ୨୩ରୁ ୨୫ ତାରିଖ ଯାଏ ରାଜ୍ୟରେ ପାଗ ମେଘୁଆ ରହିବ । ଯଦି ଏହା ଓଡ଼ିଶା ଉପକୂଳ ଦେଇ ଯିବ ବା ଓଡ଼ିଶା ଛୁଇଁବ ତେବେ ଭାରି ବର୍ଷା ହେବ । ଏବେ ଯେଉଁ ଲଘୁଚାପ ସକ୍ରିୟ ଅଛି, ତାହା ଅପସାରଣ ପରେ ଆଗାମୀ ଲଘୁଚାପର ପ୍ରଭାବ ଆକଳନ କରି ହେବ ବୋଲି ସେ କହିଛନ୍ତି । ସେପଟେ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ତାମିଲନାଡୁର ବହୁ ଦୂରରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଥିଲା ।
ଏହା କ୍ରମଶଃ ପଶ୍ଚିମ ଆଡ଼କୁ ଗତି କରୁଛି । ୧୭ ତାରିଖ ସକାଳ ସୁଦ୍ଧା ତାମିଲନାଡୁ ଉପକୂଳ ସ୍ପର୍ଶ କରିବ । ୧୮ରେ ଏହା ଆରବସାଗରରେ ପହଞ୍ଚିବାର ସମ୍ଭାବନା ଅଛି । ଏହା ପ୍ରଭାବରେ ରାଜ୍ୟକୁ ବଙ୍ଗୋପସାଗରୀୟ ପବନ ବହିବ । ରାତି ତାପମାତ୍ରା କମିବନି । ୧୮ ଓ ୧୯ ତାରିଖରେ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ପାଗ ଆଂଶିକ ମେଘୁଆ ରହିବ । କିଛି ସ୍ଥାନରେ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ ବୋଲି ଡ. ପଶୁପାଳକ କହିଛନ୍ତି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଦେଶରୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ କୁହାଯାଇଛି। ୧୭ ଓ ୧୮ ତାରିଖରେ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।