ଭୁବନେଶ୍ୱର,୨୨/୫ : ଆସୁଛି ଲଘୁଚାପ l ଆସନ୍ତା ୨୭ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତି ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି l ଯାହାକି ପରବର୍ତ୍ତି ଦୁଇ ଦିନ ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି l
ଏପଟେ ବଦଳିଛି ରାଜ୍ୟରେ ପାଗର ମିଜାଜ l ଭୁବନେଶ୍ୱର ସମେତ ରାଜ୍ୟର ବହୁ ସ୍ଥାନରେ ଖରା ଗାଏବ ରହିଛି ଆଜି ଦିନ ତମାମ l ସକାଳୁ ଆକାଶକୁ ଘୋଟି ରହିଛି ମେଘ ବାଦଲ l ପାଣିପାଗ ବିଶେଷଜ୍ଞ କହିଛନ୍ତି, ଏହା ପ୍ରାକ ମୌସୁମୀର ଆଭାସ l ରାଡାରରୁ ମିଳୁଥିବା ସୂଚନା ଅନୁଯାୟୀ ବାଦଲ ସମୂହର ଗତି ଦକ୍ଷିଣ କିମ୍ଵା ଦକ୍ଷିଣ ପୂର୍ବଦିଗରୁ ସ୍ଥଳ ଭାଗ ମୁହାଁ ରହୁଛି, ଯାହାକି କାଳବୈଶାଖୀ ସହ ଜଡିତ ମେଘ ସମୂହର ଗତି ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ । ଯାହାକି ସାଧାରଣତଃ ପଶ୍ଚିମରୁ ପୂର୍ବ ଦିଗରୁ ରହିଥାଏ l ଭୁବନେଶ୍ୱର ସମେତ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି l ଆସନ୍ତା ୨୪ଘଣ୍ଟା ପରେ ରାଜ୍ୟରେ ଦିନ ତାପମାତ୍ରା ୨ରୁ ୩ଡିଗ୍ରୀ ସେଲସିୟସ କମିପାରେ l
ଆସନ୍ତା ୨ଘଣ୍ଟା ଭିତରେ ଗଞ୍ଜାମ, ଗଜପତି, ଜଗତସିଂହପୁର, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ପୁରୀ, ମୟୁରଭଞ୍ଜ, ନୟାଗଡ଼, ରାୟଗଡା ଜିଲ୍ଲାରେ ସନ୍ଧ୍ୟା ୬ଟା ଭିତରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି l ପବନ ବେଗ ୪୦ରୁ ୫୦କିମି ଓ ମଝିରେ ମଝିରେ ପବନ ଝଟକା ୬୦କିମି ରହିପାରେ l