ଭୁବନେଶ୍ୱର, ୧୬/୦୩ : କମିବ ଦିନ ତାପମାତ୍ରା, ତାତିରୁ ମିଳିବ ଆଶ୍ଵସ୍ତି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ପାଞ୍ଚ ଦିନ ଯାଏ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବ । ଦିନର ତାପମାତ୍ରା ୩ରୁ ୫ ଡିଗ୍ରୀ କମ ରହିବ । ୨୨ ତାରିଖ ଯାଏ ରାଜ୍ୟର କିଛି ସ୍ଥାନରେ ହାଲୁକାର ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଲଗାତାର କିଛି ଦିନ ଧରି ତାତିର ତାଉ ଏବେ କମିଛି। ରବିବାର ପାଗରେ ପରିବର୍ତ୍ତନ ହୋଇଛି। 

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଜି ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, ଝାରସୁଗୁଡ଼ାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ମୟୂରଭଞ୍ଜ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିବା ସହ ଘଡ଼ଘଡ଼ି ଓ କୁଆପଥର ବର୍ଷାର ସମ୍ଭାବନା ରହିଛି । ସେହିପରି ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ପୁରୀ, ରାୟଗଡ଼ା, କୋରାପୁଟ, ମାଲକାନାଗିରି, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାର କିଛି ‌ସ୍ଥାନରେ ଘଡ଼ଘଡ଼ ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । 

ମଙ୍ଗଳବାର ମାଲକାନାଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ନବରଙ୍ଗପୁର ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ଆସନ୍ତା ୨୨ ତାରିଖ ଯାଏ ରାଜ୍ୟର ପାଗ ଏପରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଏହି ଖବରଟିକୁ ପଢନ୍ତୁ- SCB ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ : ୧୦ ମୃତ, ସ୍ଥିତି ସମୀକ୍ଷା କଲେ ସିଏମ୍, ମୃତକଙ୍କ ପରିବାରକୁ ୨୫ ଲକ୍ଷ ସହାୟତା ଘୋଷଣା