ବାଲେଶ୍ୱର, ୧୪/୦୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ସାଧାରଣ ଖାଉଟି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଲ୍ପିଜି ସିଲିଣ୍ଡର ସହଜରେ ନମିଳିବା କାରଣରୁ ଲୋକଙ୍କ ହାଣ୍ଡିଶାଳ ଉପରେ ଚଡ଼କ ପଡ଼ିଲାଣି । କାହାର ସପ୍ତାହେ ହେବ ଇନ୍ଧନ ଗ୍ୟାସ୍ ନାହିଁ, ତ ଆଉ କାହାର ବୁକିଂ କରିବା ପରେ ବି ମିଳୁନି ଏଲ୍ପିଜି ସିଲିଣ୍ଡର । ଫଳରେ ସହରର ଲୋକେ ଚୁଲି ମୁଣ୍ଡକୁ ଫେରିଛନ୍ତି । ଯେହେତୁ ସିଲିଣ୍ଡର ମିଳୁନାହିଁ, ତେଣୁ ବଜାରରେ ମଧ୍ୟ ଅନେକ ଛୋଟ ଛୋଟ ଦୋକାନ୍ ବନ୍ଦ ହେବାକୁ ବସିଲାଣି । ଏଭଳି ସ୍ଥିତିରେ ଜମୁଛି ମାଟି ଚୁଲି ବେପାର । ଲୋକେ ଘରକୁ ମାଟି, ସିମେଣ୍ଟ ଏବଂ କୋଇଲା ଚୁଲି ବହି ନେଉଥିବାର ଦେଖିବାକୁ ମିଳିଛି ।

ଘରୋଇ ଏଲ୍‌ପିଜି ଉପଭକ୍ତାଙ୍କୁ ସିଲିଣ୍ଡର ମିଳିବାରେ ଯଦିଓ ବିଶେଷ କିଛି ଅସୁବିଧା ହେଉନାହିଁ, ତଥାପି ବୁକିଂ ଅବଧି ବୃଦ୍ଧି ପାଇବା ପରେ ସିଲିଣ୍ଡର ସଙ୍କଟ ଜଟିଳ ହେଉଛି । ଯେଉଁ ଉପଭକ୍ତାମାନେ ସପ୍ତାହେ ପୂର୍ବରୁ ସିଲିଣ୍ଡର୍ ପାଇଁ ବୁକିଂ କରିଥିଲେ ସେମାନେ ଏପର୍ଯ୍ୟନ୍ତ ସିଲିଣ୍ଡର ପାଉନାହାନ୍ତି । ଯେଉଁମାନେ ଏକାଧିକ ସିଲିଣ୍ଡର ରଖିଛନ୍ତି, ସେମାନଙ୍କର ବିଶେଷ ଅସୁବିଧା ହେଉନଥିଲେ ବି ଯାହାର ଗୋଟିଏ ସିଲିଣ୍ଡର ସେହି ଉପଭକ୍ତାମାନେ ଅଧିକ ହନ୍ତସନ୍ତ ହେଉଛନ୍ତି । ଫଳରେ ବାଧ୍ୟ ହୋଇ ବଜାରରେ ମିଳୁଥିବା ଇଲେକ୍ଟ୍ରିକ୍ ଚୁଲା ଏବଂ ମାଟି, ସିମେଣ୍ଟ, କୋଇଲା ଚୁଲି କିଣୁଛନ୍ତି । ପରିବାରର ସଦସ୍ୟ ଅନୁସାରେ ଲୋକେ ଛୋଟ ବଡ଼ ଚୁଲି କିଣୁଛନ୍ତି । ଏଗୁଡ଼ିକର ମୂଲ୍ୟ ୧୫୦ଟଙ୍କାରୁ ଆରମ୍ଭ ହୋଇ ୩୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ପୂର୍ବରୁ ଯେଉଁ ମାଟି ଚୁଲି ଗୁଡ଼ିର ଦର ୧୦୦ଟଙ୍କା ଥିଲା, ଏବେ ସେଗୁଡ଼ିକ ୧୬୦ରୁ ୧୮୦ଟଙ୍କା ଦାମ୍ ରହିଛି ।

ସେହିଭଳି କୋଇଲା ଏବଂ ସିମେଣ୍ଟ ଚୁଲି ଗୁଡ଼ିକ ୩୦୦ରୁ ୪୦୦ଟଙ୍କା ମଧ୍ୟରେ ବିକ୍ରି ହେଉଛି । ଚୁଲି କିଣିବା ପାଇଁ ବାଲିଆ ଅଞ୍ଚଳରୁ ଆସିଥିବା ସୁଦାମ ମାଝୀ କହିଛନ୍ତି, ସିଲିଣ୍ଡର ପାଇଁ ସପ୍ତାହେ ପୂର୍ବରୁ ବୁକିଂ କରିଥିଲି । ରୋଷେଇ କରୁଥିବାବେଳେ ଆଜି ହଠାତ୍ ଗ୍ୟାସ୍ ଶେଷ ହୋଇଗଲା । ଏଲ୍‌ପିଜି ଡିପୋରେ କହୁଛନ୍ତି ୪ ଦିନ ପରେ ସିଲିଣ୍ଡର ମିଳିବ । ଯେହେତୁ ଚୁଲିରେ ରୋଷେଇ ଖାଦ୍ୟର ସ୍ୱାଦ ଅଧିକ ତେଣୁ ବାଧ୍ୟ ହୋଇ ମିଟି ଚୁଲି କିଣୁଥିବା ସେ କହିଛନ୍ତି । ବ୍ୟବସାୟୀ ସୁରେଶ କୁମାର ବେହେରା କହିଛନ୍ତି, ସହର ଭିତରେ ଆଗରୁ ମାଟି ଚୁଲିର ବିଶେଷ ଚାହିଦା ନଥାଏ । କିନ୍ତୁ ଏଲପିଜି ସିଲିଣ୍ଡର ସଙ୍କଟ ପାଇଁ ୩ଦିନ ହେବ ମାଟି ଚୁଲିର ଚାହିଦା ଅଧିକ ଥିବା ସେ କହିଛନ୍ତି।