ଲକ୍ଷ୍ନୌ ୨୯/୦୫: ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ମଧ୍ୟରେ ଅନୁଷ୍ଠିତ ଚଳିତ ଆଇପିଏଲ୍ର ଶେଷ ଲିଗ୍ ମ୍ୟାଚ୍ରେ ମନ୍ଥର ବୋଲିଂକୁ ନେଇ ସୁପରଜାଏଣ୍ଟ୍ସ ଦଣ୍ଡିତ ହୋଇଛି । ଅଧିନାୟକ ରିଷଭ ପନ୍ତଙ୍କ ବିପକ୍ଷରେ ୩୦ଲକ୍ଷ ଟଙ୍କା ଓ ବାକି ୧୧ ଖେଳାଳି(ଇମ୍ପାକ୍ଟ ଖେଳାଳିଙ୍କୁ ମିଶାଇ) ୧୨ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଭରିଛନ୍ତି । ଚଳିତ ସିଜନରେ ସୁପରଜାଏଣ୍ଟ୍ସର ଏହା ତୃତୀୟ ମନ୍ଥର ବୋଲିଂ ରହିଥିଲା ।
ସୂଚନାଯୋଗ୍ୟ, ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ୨୨୭ ରନ୍ ସଂଗ୍ରହ କରିବା ସତ୍ତେ୍ୱ ସୁପରଜାଏଣ୍ଟ ପରାଜିତ ହୋଇଥିଲା । ରୟାଲ୍ ଚ୍ୟାଲେଞ୍ଜର୍ସ ୮ଟି ବଲ ବାକି ଥାଇ ୬ ୱିକେଟ୍ରେ ବିଜୟ ହାସଲ କରିଥିଲା । ଅବଶ୍ୟ ପନ୍ତ ଏହି ମ୍ୟାଚ୍ରେ ଶତକ ଅର୍ଜନ କରି ଆଗାମୀ ଇଂଲଣ୍ଡ ଗସ୍ତ ପୂର୍ବରୁ ଫର୍ମକୁ ଫେରିଥିଲେ । ଇଂଲଣ୍ଡ ଗସ୍ତରେ ଭାରତୀୟ ଦଳ ୫ଟି ଟେଷ୍ଟ ଖେଳିବ । ପନ୍ତଙ୍କୁ ଟେଷ୍ଟ ଦଳର ସ୍ଥାୟୀ ଉପ ଅଧିନାୟକ ନିଯୁକ୍ତ କରାଯାଇଛି ।