ଲକ୍ଷ୍ନୌ,୨୩।୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସୋମବାର ଭୀଷଣ ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି। ଲକ୍ଷ୍ନୌର ଗୋସାଇଗଞ୍ଜ ଅଞ୍ଚଳରେ ପୂର୍ବାଞ୍ଚଳ ଏକ୍ସପ୍ରେସ୍ ଟୋଲ୍ ପ୍ଳାଜାରେ ବିହାର ଯାଉଥିବା ସ୍ଲିପର କୋଚ୍ ବସ୍ ଓଲଟି ପଡିଛି। ବସ୍ଟି ପାନିନତ୍ରୁ ବିହାରର ଅରହାରିଆ ଅଭିମୁଖେ ଯାତ୍ରୀଙ୍କୁ ନେଇ ଯାଉଥିଲା। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ସେଭଳି ୪୦ ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲ ପଠାଇ ଦିଆଯାଇଛି। ପୁଲିସ ଉଦ୍ଧାରକାର୍ଯ୍ୟ ଜାରି ରଖିଛି। ବରିଷ୍ଠ ଅଧିକାରୀ ମଧ୍ୟ ସେଠାରେ ପହଁଞ୍ଚିଛନ୍ତି।
ରାଜଧାନୀ ଲକ୍ଷ୍ନୌର ଗୋସେଇଗଞ୍ଜର ଜୋଖଣ୍ଡି ଗାଁରେ ସୋମବାର ସନ୍ଧ୍ୟା ପ୍ରାୟ ୪ଟା ୩୦ ମିନିଟ୍ରେ ଏହି ବଡ଼ ଦୁର୍ଘଟଣା ଘଟିଥିଲା। ପୂର୍ବାଞ୍ଚଳ ଏକ୍ସପ୍ରେସ୍ ଓ୍ବେରେ ଦ୍ରୁତ ଗତିରେ ସ୍ଲିପରବସ୍ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା। ଭୀଷଣ ସଡକ ଦୁର୍ଘଟଣା ପରେ ଯାତ୍ରୀଙ୍କର ଚିତ୍କାର ଶୁଣିବାକୁ ମିଳିଥିଲା। ସୂଚନା ପାଇବା ମାତ୍ରେ ପୁଲିସ ଫଶି ରହିଥିବା ଲୋକଙ୍କୁ ବାହାର କରିଥିଲା। ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ହୋଇଛି। ସେଭଳି ୪୦ ରୁ ଅଧିକ ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ସିଏଚ୍ସି ଗୋସେଇଗଞ୍ଜରୁ କେଜିଏମ୍ୟୁ ଟ୍ରାମା ସେଣ୍ଟର ପାଇଁ ରେଫର କରାଯାଇଛି। ବସ୍ ଦୁର୍ଘଟଣା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସୁଛି। ଡବଲ୍-ଡେକର ବସ୍ ଚଳାଉଥିବା ଡ୍ରାଇଭରଙ୍କୁ ନିଦ ଲାଗିବାରୁ ତାଙ୍କ ଆଖି ଲାଗିଯାଇଥିଲା। ଠିକ୍ ଏହି ସମୟରେ ବସ୍ଟି ନିୟନ୍ତ୍ରଣ ହରାଇ ବସିଥିଲା।