କଟକ, ୩୧/୦୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ୍‌ କି ବାତ୍'ର ୧୨୫ତମ ଏସିସୋଡକୁ ସମ୍ବୋଧିତ କରିଛନ୍ତି । ଓଡ଼ିଶା ଝିଅ ରଶ୍ମିତା ସାହୁଙ୍କ ସହ କଥା ହେବା ସହିତ ସ୍ୱଦେଶୀ ଉତ୍ପାଦ ଉପଯୋଗ କରିବାକୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ ଭୂସ୍ୱର୍ଗରୁ ନେଇ ଦେବଭୂମିରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ମନ୍‌ କି ବାତ୍‌ ରେ ଶ୍ରୀନଗରରେ ଆୟୋଜିତ ୱାଟର ସ୍ପୋର୍ଟସରେ ଭାଗ ନେଇଥିବା ଓଡ଼ିଆ ଝିଅ ରଶ୍ମିତା ସାହୁଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ମନ୍‌ କି ବାତ୍‌ରେ ରଶ୍ମିତାଙ୍କ ସହ କଥା ମଧ୍ୟ ହୋଇଛନ୍ତି । ନୌଚାଳନାରେ ଭାଗ ନେଇଥିବା ରଶ୍ମିତାଙ୍କୁ ୨ଟି ସ୍ବର୍ଣ୍ଣ ପଦକ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ସେ କିପରି ନିଜର କ୍ରୀଡ଼ା ଜୀବନ ଆରମ୍ଭ କଲେ ଏବଂ କ'ଣ ଥିଲା ତାଙ୍କ ସଂଘର୍ଷ, ତାହା ମଧ୍ୟ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ । ସଂଘର୍ଷ ସତ୍ତ୍ବେ ଖେଳ ନ ଛାଡ଼ି ଜାରି ରଖିବାକୁ ପ୍ରଧାମନନ୍ତ୍ରୀ ନରେନ୍ଦ୍ର ମୋଦି ପରାମର୍ଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ପରେ ରଶ୍ମିତା ସାହୁ କହିଛନ୍ତି ଯେ, ମୁଁ ଜଣେ କାନୋଇଂ ପ୍ଲେୟାର, ୨୦୧୭ରେ ଖେଳରେ ସାମିଲ ହୋଇଥିଲି । ଜାତୀୟ ସ୍ତରରେ ଅନେକ ଖେଳରେ ଭାଗ ନେଇଛି । ୧୩ ସ୍ୱର୍ଣ୍ଣ, ୧୪ ରୌପ୍ୟ ଓ ୧୪ ବ୍ରୋଞ୍ଜ ସହ ମୋଟ୍ ୪୧ଟି ପଦକ ଜିତିଛି । ମୁଁ ଏମିତି ଏକ ଗାଁରୁ ଆସିଛି, ଯେଉଁଠାରେ କ୍ରୀଡ଼ାକୁ କୌଣସି ପ୍ରୋତ୍ସାହନ ମିଳେ ନାହିଁ । ପ୍ରଥମେ ଯେତେବେଳେ ମୁଁ ଏହି ଖେଳ ବିଷୟରେ ଜାଣିବାକୁ ପାଇଥିଲି, ମୋ ମନରେ କୌତୁହଳ ସୃଷ୍ଟି ହୋଇଥିଲା । ତୁରନ୍ତ ଏହି କ୍ରୀଡ଼ାରେ ଭାଗ ନେବାକୁ ମୋ ବାପାଙ୍କୁ ଜଣାଇଥିଲି ।