ସମ୍ବଲପୁର,୨୧/୦୯: ଆଜି ପବିତ୍ର ମହାଳୟା । ଏହି ଅବସରରେ ମା’ ସମଲେଶ୍ୱରୀ ଦୁର୍ଲ୍ଲଭ ଧବଳମୁଖୀ ବେଶ ବା ଗଙ୍ଗାବେଶ ଧାରଣ କରିଛନ୍ତି । ଦେବୀଙ୍କ ଦିବ୍ୟରୂପ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଏଥିପାଇଁ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭକ୍ତ ମାନେ ଧାଡ଼ିରେ ଆସି ଦର୍ଶନ କରୁଛନ୍ତି।
ବର୍ଷତମାମ ମା’ ସିନ୍ଦୁର ଚର୍ଚ୍ଚିତା ହୋଇ ଦର୍ଶନ ଦେଉଥିବାବେଳେ ମହାଳୟାରେ ଚନ୍ଦନ ଚର୍ଚ୍ଚିତା ହୋଇ ଶୁଭ୍ର ବେଶରେ ଦର୍ଶନ ଦେଉଛନ୍ତି । ମହାଳୟାରେ ପିତୃ ତର୍ପଣ ପରେ ଏହି ବେଶରେ ଦର୍ଶନ କଲେ ଗଙ୍ଗା ଦର୍ଶନର ପୂଣ୍ୟ ମିଳୁଥିବା ବିଶ୍ୱାସ ରହିଛି । ଏହି ପରିପ୍ରେକ୍ଷୀରେ ଶନିବାର ବିଳମ୍ବିତ ରାତିରୁ ପୂଜକମାନେ ମା’ଙ୍କ ବିଗ୍ରହରୁ ସିନ୍ଦୂର ଛଡ଼ାଇବା ପରେ ସ୍ନାନ କରାଇଥିଲେ । ପରେ ଚନ୍ଦନରେ ଆଚ୍ଛାଦିତ କରି ଧବଳମୁଖୀ ବେଶରେ ମା’ଙ୍କୁ ସଜ୍ଜିତ କରାଯାଇଛି । ଶ୍ୱେତବସ୍ତ୍ର, ଶ୍ୱେତପୁଷ୍ପରେ ବିମଣ୍ଡିତା ମା’ ଶାନ୍ତ, ସୌମ୍ୟ, କମନୀୟ ରୂପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଅପରପକ୍ଷେ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସମୟ ନିର୍ଘଣ୍ଟ ଜାରି ହୋଇଛି ।
ରବିବାର, ସୋମବାର ଏବଂ ମଙ୍ଗଳବାର ଭୋର ସାଢ଼େ ୪ଟାରୁ ମଙ୍ଗଳ ଆଳତି । ସକାଳ ୫ଟାରେ ପ୍ରାତଃ ଦର୍ଶନ । ଅନ୍ନଭୋଗ ନିମନ୍ତେ ପୂର୍ବାହ୍ନ ୧୧ଟା ୪୫ରୁ ୧୨ଟା ୩୦ ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ସେହିଭଳି ସନ୍ଧ୍ୟା ମହାଆଳତି ପାଇଁ ସନ୍ଧ୍ୟା ୭ଟା୪୫ରୁ ରାତି ସାଢ଼େ ୮ଟା ଯାଏଁ ଦର୍ଶନ ବନ୍ଦ ରହିବ । ରାତି ସାଢ଼େ ୧୦ଟାରେ ପହୁଡ଼ ପଡ଼ିବ । ପୂର୍ବଥର ଭଳି ଏଥର ମଧ୍ୟ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ରହିଛି । ଟ୍ରଷ୍ଟ ବୋର୍ଡ ପକ୍ଷରୁ ଧାର୍ଯ୍ୟ ପାଉଣା ଦେଇ ହାତୀ ଦ୍ୱାର ପାଖରେ ସ୍ୱତନ୍ତ୍ର ଦର୍ଶନ ଚାଲିଛି । ସେହିପରି ୪ ନମ୍ବର ଗେଟ୍ରୁ ସାଧାରଣ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇ
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମା’ ଅଢ଼େଇ ଦିନ ଧରି ଧବଳମୁଖୀ ବେଶରେ ଦର୍ଶନ ଦେବେ । ଶ୍ରଦ୍ଧାଳୁ ନଡ଼ିଆ ଭୋଗ ନେଇ ମନ୍ଦିରକୁ ଯାଇ ପାରିବେ । କିନ୍ତୁ ମା’ଙ୍କ ପ୍ରସାଦ ମିଳିବନି । ପ୍ରସାଦ ପାଇଁ ଅନ୍ୟତ୍ର ବ୍ୟବସ୍ଥା କରାଯିବ । ଏସ୍ପିଙ୍କ ନେତୃତ୍ୱରେ ୨ ଅତିରିକ୍ତ ଏସପି, ୨ ଡିଏସ୍ପି, ୬ ଆଇଆଇସି, ୩୦ ଏସଆଇ ଓ ଏଏସଆଇ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି । ଏହାସହ ୬ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ଏଏସ୍ପି ଶଶାଙ୍କ ବେଉରା ସୂଚନା ଦେଇଛନ୍ତି ।