ମଞ୍ଚେଶ୍ୱର,୩୦/୦୪: ରାତି ଅନିଦ୍ରା ହୋଇ ଖଟୁଥିଲେ ।  ଖବର କାଗଜ ସଂସ୍ଥାରେ ଝାଳ ନିଗାଡ଼ି ମେସିନ୍‌ ଅପରେଟର  ଭାବେ କାମ କରୁଥିଲେ । ଯାହା ଦରମା ଗଣ୍ଡାଏ ପାଉଥିଲେ ସେଥିରେ ଘର ଚଳୁଥିଲା । ହେଲେ ଡ୍ରିମ୍‌ ୧୧ ତାଙ୍କୁ କରିଦେଲା  ମାଲେମାଲ । କ୍ରିକେଟ୍‌ ଖେଳରେ ଟଙ୍କା ଲଗାଇ ରାତାରାତି  ହୋଇଗଲେ କୋଟିପତି । କୋଟିଏ କି ଦୁଇ କୋଟି ନୁହେଁ  ଜିତିଲେ ୫ କୋଟି ଟଙ୍କା । ସେ ହେଉଛନ୍ତି ଅଭିମନ୍ୟୁ ପଣ୍ଡା(୩୬)  । ଘର ଯାଜପୁର ଜିଲ୍ଲା ଚିକଣା ଗ୍ରାମରେ ହୋଇଥିବା ବେଳେ  ସେ ଭିଏସଏସ ନଗର ମହାବୀର ବିଜୁ ଆଦର୍ଶ କଲୋନୀରେ ରହୁଛନ୍ତି ।  

ଚାଲିଛି ଆଇପିଏଲ୍‌ ମହାସମର । କୋଟିପତି ହେବା ନିଶାରେ ଏବେ ଯୁବପିଢି । କିଏ ଟଙ୍କା ଲଗାଇ ସର୍ବସ୍ୱ ହରାଉଛି ତ କାହା ମୁଣ୍ଡରେ ହାତୀ ସୁନା କଳସ ଢାଳୁଛି । ଅଭିମନ୍ୟୁ ଜଣେ କ୍ରିକେଟ ପ୍ରେମୀ  । ଚଳିତଥର ଆଇପିଏଲ୍‌ରେ ସେ ୪୯ ଟଙ୍କା ହିସାବରେ  ପ୍ରାୟ ୩ ହଜାରରୁ ଉଦ୍ଧ୍ୱର୍ ଟଙ୍କା ବିନିଯୋଗ କରି ଟିମ୍‌  ଜରିଆରେ ଖେଳୁଥିଲେ । ମେ ୨୭ ରାତିରେ ଡ୍ରିମ୍‌ ୧୧ରେ  ଅଭିମନ୍ୟୁ ସମୁଦାୟ ୭ଟି ଟିମ୍‌ କରି ଖେଳିଥିଲେ । ୬  ନମ୍ବର ଟିମ୍‌ରେ ସେ ୫ କୋଟି ୧୯୬ ଟଙ୍କା ଜିତିଥିବା ଜାଣିବାକୁ ପାଇଥିଲେ । ପ୍ରଥମେ ସେ ନିଜକୁ ବିଶ୍ୱାସ କରିପାରିନଥିଲେ । କିନ୍ତୁ ପ୍ରଥମ ପର୍ଯ୍ୟାୟରେ ତାଙ୍କ ୱାଲେଟ୍‌କୁ ୭୦ ଲକ୍ଷ ଟଙ୍କା ଆସିବା ପରେ ଖୁସିରେ ପାଦ ତଳେ ଲାଗିନଥିଲା । ପରିବାର ବର୍ଗଙ୍କ ସହ ସାଙ୍ଗ ଓ ପଡ଼ୋଶୀ ତାଙ୍କୁ  ଶୁଭେଚ୍ଛା ଜଣାଇଛନ୍ତି । ସମୁଦାୟ ଅର୍ଥର ୩୦% ଆୟକର ଦେବା ପରେ ବକେୟା ଅର୍ଥରେ ପ୍ରଥମେ ନିଜ ପାଇଁ ଏକ ଘର କିଣିବେ । ଆଉ ବଳକା ଟଙ୍କାରେ ଆବଶ୍ୟକ ଅନୁଯାୟୀ ଖର୍ଚ୍ଚ କରିବେ ବୋଲି ଅଭିମନ୍ୟୁ କହିଛନ୍ତି ।