ନୂଆଦିଲ୍ଲୀ ୦୪/୦୮: ମଧ୍ୟପ୍ରଦେଶ ମନ୍ଦସୌରରେ ନିକଟରେ ଏକ ନିଆରା ଶବଯାତ୍ରା ଦେଖିବାକୁ ମିଳିଥିଲା । ସେଠାରେ ବନ୍ଧୁଙ୍କର ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ଜଣେ ବ୍ୟକ୍ତି ତାଙ୍କର ଶବଯାତ୍ରା  ଆଗରେ ନାଚିଥିଲେ । ଏହି ସମୟରେ ତାଙ୍କ ଆଖିରୁ ଧାର ଧାର ଲୁହ ବୋହି ଚାଲିଥିଲା । ତଥାପି ବନ୍ଧୁଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା ଲାଗି ସେ ନାଚି ଚାଲିଥିଲେ । ମନ୍ଦସୌର  ଜିଲ୍ଲା ଜବାସିୟା ଗାଁର ସୋହନଲାଲ ଜୈନ୍‌(୭୧) ଓ ଅମ୍ବାଲାଲ  ପ୍ରଜାପତି(୫୧)ଙ୍କର ବନ୍ଧୁତାର ଏହି  କାହାଣୀ ଏବେ ଚର୍ଚ୍ଚାରେ ରହିଛି ।  

ପନ୍ଦର ବର୍ଷ ତଳେ ଏକ ଛୋଟ  ଚା’ ଦୋକାନରେ ବସିବା ସମୟରେ ଆରମ୍ଭ ହୋଇଥିଲା  ଉଭୟଙ୍କର ବନ୍ଧୁତା । ସମୟ ସହିତ ତାହା କୃଷ୍ଣ-ସୁଦାମାଙ୍କ  ବନ୍ଧୁତାରେ ପରିଣତ ହୋଇଥିଲା । ପ୍ରତିଦିନ ସେମାନେ  ପରସ୍ପରକୁ ଭେଟୁଥିଲେ । ଇତିମଧ୍ୟରେ ୨୦୨୧ରେ ସୋହନଲାଲ ଅମ୍ବାଲାଲଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଥିଲେ । ସେଥିରେ  ସେ ଦର୍ଶାଇଥିଲେ ଯେ, ତାଙ୍କ ମୃତ୍ୟୁ ପରେ କେହି କାନ୍ଦିବାର  ଆବଶ୍ୟକତା ନାହିଁ । ବରଂ ବ୍ୟାଣ୍ଡ, ବାଜାର ତାଳେ ତାଳେ  ତାଙ୍କୁ ଅନ୍ତିମ ବିଦାୟ ଦିଆଯିବାର ବ୍ୟବସ୍ଥା କରାଯିବ ।  

ଶବଯାତ୍ରାର ଆଗେ ଆଗେ  ଅମ୍ବାଲାଲ ଓ ଅନ୍ୟ ଜଣେ  ବନ୍ଧୁ ଶଙ୍କରଲାଲ ନୃତ୍ୟ  କରିବାକୁ ସେ ଇଚ୍ଛା  ପ୍ରକାଶ କରିଥିଲେ ।  ତାର ଦୁଇ ବର୍ଷ ପରେ  ସୋହନଲାଲଙ୍କୁ କର୍କଟ  ରୋଗ ହୋଇଥିବା  ଜଣାପଡ଼ିଲା । ମନ୍ଦସୌରରୁ ନେଇ ଅହମ୍ମଦାବାଦ  ଯାଏ ବହୁ ବଡ଼ ହସ୍ପିଟାଲରେ ଚିକିତ୍ସା ସତ୍ତେ୍ୱ ତାଙ୍କର  ସ୍ଥିତିରେ କୌଣସି ଉନ୍ନତି ହେଲାନାହିଁ । ଶେଷରେ  ଗତ ଜୁଲାଇ ୨୯ରେ ସେ ଆଖିବୁଜିଥିଲେ।