ପ୍ରୟାଗରାଜ,୧୬/୦୧: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ଅଲୌକିକ ମହାକୁମ୍ଭ ମେଳାର ଥିଲା ଚତୁର୍ଥ ଦିନ । ଆଜି ମଧ୍ୟ ଅନେକ ସାଧୁ-ସନ୍ଥ, ନାଗା ସନ୍ନ୍ୟାସୀ ଓ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି । ଆସନ୍ତା ୨୯ ତାରିଖ ମୌନୀ ଅମାବାସ୍ୟାରେ ୮-୧୦ କୋଟି ଭକ୍ତଙ୍କ ଆଗମନ ହେବା ନେଇ ଆଶା କରାଯାଉଛି । ଏଥିପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ବୁଧବାର ସମୀକ୍ଷା ବୈଠକ କରିଥିଲେ । ମୌନୀ ଅମାବାସ୍ୟାରେ ହେବାକୁ ଥିବା ଭିଡ଼ର ପରିଚାଳନା ନେଇ ଆଲୋଚନା ହୋଇଥିଲା । ମକର ସଂକ୍ରାନ୍ତି ଓ ପୌଷ ପୂର୍ଣ୍ଣିମାରେ ମୋଟ ୬ କୋଟି ଭକ୍ତଙ୍କ ଯୋଗଦାନ ପରେ ସଙ୍ଗମ ଘାଟରେ ସଫେଇ ଅଭିଯାନ ଆରମ୍ଭ ହୋଇଛି ।
ବୁଧବାର ୧୦ ଦେଶର ୨୧ ଜଣିଆ ପ୍ରତିନିଧି ମହାକୁମ୍ଭ ମେଳା ସ୍ଥଳ ତ୍ରିବେଣୀ ସଙ୍ଗମରେ ପହଞ୍ଚିଛନ୍ତି । ସେମାନଙ୍କ ମଥାରେ ଚନ୍ଦନ ଲଗାଯାଇ ସ୍ୱାଗତ କରାଯାଇଛି । ଗୁରୁବାର ସେମାନେ ସଙ୍ଗମରେ ବୁଡ଼ ପକାଇଛନ୍ତି । ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।
ବିଦେଶ ମନ୍ତ୍ରଣାଳୟ ତରଫରୁ ସେମାନଙ୍କୁ ଆମନ୍ତ୍ରଣ କରାଯାଇଛି । ଫିଜି, ଫିନଲାଣ୍ଡ, ଗୁୟାନା, ମାଲେସିଆ, ମରିସସ, ସିଙ୍ଗାପୁର, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ତ୍ରିନିଦାଦ ଓ ଟବାଗୋ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଭଳି ଦେଶରୁ ପ୍ରତିନିଧି ଆସିଛନ୍ତି । ୟୁପି ପର୍ଯ୍ୟଟନ ବିକାଶ ନିଗମ ଦ୍ୱାରା ଆରାଇଲରେ ପ୍ରସ୍ତୁତ ଟେଣ୍ଟ ସିଟିରେ ସେମାନଙ୍କ ପାଇଁ ରହଣି ବ୍ୟବସ୍ଥା ହୋଇଛି ।
ମିଳିଥିବା ଖବର ମୁତାବକ, ଏ ପର୍ଯ୍ୟନ୍ତ ଆଣ୍ଟିଡ୍ରୋନ୍ ବ୍ୟବସ୍ଥା ଦ୍ୱାରା ମେଳା କ୍ଷେତ୍ରରେ ୯ଟି ଡ୍ରୋନ୍କୁ ଖସାଇ ନିଷ୍କ୍ରିୟ କରାଯାଇଛି । କିଛି ଲୋକ ଡ୍ରୋନ୍ ସହାୟତାରେ ମେଳାର ଭିଡିଓ ଉତ୍ତୋଳନ କରୁଥିଲେ । ସେପଟେ ମହିଳା ମଡେଲ ତଥା ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ହର୍ଷା ରିଛାରିୟାଙ୍କୁ ରଥ ଉପରେ ବସାଇବାକୁ ନେଇ ବିବାଦ ଉପୁଜିଛି । ଶାମ୍ଭବୀ ପୀଠାଧିଶ୍ୱର ସ୍ୱାମୀ ଆନନ୍ଦ ସ୍ୱରୂପ ମହାରାଜ କହିଛନ୍ତି, ଧର୍ମକୁ ପ୍ରଦର୍ଶନ କରିବାର ଅଂଶ ବନାଇବା ବିପଜ୍ଜନକ । ହର୍ଷା ଏଠାରେ ସାଧ୍ୱୀଙ୍କ ଭଳି ରହୁଛନ୍ତି । ମଙ୍ଗଳବାର ସେ ମହାମଣ୍ଡଳେଶ୍ୱରଙ୍କ ରଥରେ ବସିଥିବା ଦେଖିବାକୁ ମିଳିଥିଲା ।