ସମାଜ ବିଜ୍ଞାନ ଦୃଷ୍ଟିକୋଣରୁ ବିଶ୍ଳେଷଣ  କଲେ ଜଗନ୍ନାଥଙ୍କର ରଥଯାତ୍ରା ଅବସରରେ  ଯେପରି ମହାପ୍ରଭୁଙ୍କର ଦର୍ଶନ ନିମନ୍ତେ  ସମସ୍ତେ ଏକତ୍ରିତ ହୋଇଥାନ୍ତି, କୁମ୍ଭମେଳାରେ  ମଧ୍ୟ ସାଧୁସନ୍ଥଙ୍କ ସହିତ ସାଧାରଣ ବ୍ୟକ୍ତିଙ୍କ  ପର୍ଯ୍ୟନ୍ତ ଅଗଣିତ ଜନତା ମୋକ୍ଷପ୍ରାପ୍ତ ହେବା  ଲକ୍ଷ୍ୟରେ ସମବେତ ହୋଇ ସଙ୍ଗମର ପବିତ୍ର  ଜଳରାଶିରେ ବୁଡ଼ ପକାନ୍ତି ।

ବିଶ୍ୱର ସର୍ବପୁରାତନ ସଭ୍ୟତା ମଧ୍ୟରେ ପରିଗଣିତ  ଭାରତୀୟ ସନାତନ ସଭ୍ୟତାର ମନମୋହକ  ବିବର୍ତ୍ତନକୁ ଅନୁଧ୍ୟାନ କଲେ ଏହାର ବିଶେଷତ୍ୱ ମଧ୍ୟରେ  ସମୃଦ୍ଧ ଜୀବନଚର୍ଯ୍ୟା, ଭିନ୍ନତା ମଧ୍ୟରେ ସମ୍ପ୍ରଦାୟଭିତ୍ତିକ  ସଦ୍ଭାବନା ଏବଂ ଧାର୍ମିକ ଶୁଦ୍ଧିକରଣ ପ୍ରକ୍ରିୟା ସବୁର ମହାସଙ୍ଗମ ଉଦ୍ଭାସିତ ହୁଏ । ବହୁ ପ୍ରାଚୀନ ଧାର୍ମିକ  ପ୍ରଥାର ପ୍ରଚ୍ଛଦରେ ରହିଥିବା ଅନ୍ତର୍ନିହିତ ଉଦ୍ଦେଶ୍ୟର  ମହନୀୟତାକୁ ସମ୍ପୂର୍ଣ୍ଣ ରୂପେ ହୃଦୟଙ୍ଗମ କରିବାରେ  ଆଧୁନିକ ସମାଜ ସଫଳ ନହେଲେ ମଧ୍ୟ ଏସବୁର  ପଦଚିହ୍ନକୁ ଅନୁସରଣ କରିବାର ପରମ୍ପରା ଆଜି  ମଧ୍ୟ ଉଜ୍ଜୀବିତ ରହିଛି । ଏହି କ୍ରମରେ ନିକଟରେ  ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ୪୫ଦିନ ଧରି  ଅନୁଷ୍ଠିତ ହୋଇଥିବା ମହାକୁମ୍ଭ ମହାମେଳା ଯଥେଷ୍ଟ  ମହତ୍ତ୍ୱର ଅଧିକାରୀ । ଏହା ବିଶ୍ୱର ସର୍ବବିଶାଳ ଏବଂ  ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସମାବେଶ ମଧ୍ୟରେ ଅନ୍ୟତମ, ଯାହା ଭାରତର କୋଣ ଅନୁକୋଣରୁ ତଥା ବହୁ ବିଦେଶ  ରାଷ୍ଟ୍ରରୁ ୬୬କୋଟିରୁ ଊଦ୍ଧ୍ୱର୍ ଶ୍ରଦ୍ଧାଳୁଙ୍କୁ ଗଙ୍ଗା, ଯମୁନା ଏବଂ  ସରସ୍ୱତୀ (ବର୍ତ୍ତମାନ ଅଦୃଶ୍ୟ) ନଦୀମାନଙ୍କର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ନିମନ୍ତେ ଆକର୍ଷିତ କରିଥିଲା ।  

ହିନ୍ଦୁମାନଙ୍କ ନିମନ୍ତେ ଗଭୀର ଧାର୍ମିକ, ଆଧ୍ୟାତ୍ମିକ ଏବଂ  ସାଂସ୍କୃତିକ ଗୁରୁତ୍ୱ ବହନକାରୀ ଏହି ମହାନ ପର୍ବ ପ୍ରତି  ୧୨ବର୍ଷରେ ଚାରିଟି ଭିନ୍ନ ସ୍ଥାନ ଯଥା- ପ୍ରୟାଗରାଜ,  ହରିଦ୍ୱାର, ଉଜ୍ଜୟିନୀ ଏବଂ ନାସିକରେ ଅନୁଷ୍ଠିତ ହୁଏ ।  ଯଦିଚ ଏହି ଉତ୍ସବ ପାଳନ ଏକ ଉତ୍ସର୍ଗୀକୃତ ଧାର୍ମିକ  ବିଶ୍ୱାସର ଅବସର, ତେବେ ଏହା ମଧ୍ୟ ବିଜ୍ଞାନ ସହିତ  ଜଡ଼ିତ ଏବଂ ମାନବ ଆଚରଣ, ପରିବେଶ ତଥା  ସାର୍ବଜନୀନ ସ୍ୱାସ୍ଥ୍ୟ ସମ୍ପର୍କରେ ଏହା ଅନ୍ତର୍ଦୃଷ୍ଟି ପ୍ରଦାନ  କରେ । ଆଧ୍ୟାତ୍ମିକ ବିଶ୍ୱାସ ଏବଂ ବିଜ୍ଞାନର ଏହି ଅନନ୍ୟ ସମ୍ମିଶ୍ରଣ ମହାକୁମ୍ଭ ମେଳାର ବିଭିନ୍ନ ଦିଗକୁ ଅନୁସନ୍ଧାନ  ନିମନ୍ତେ ଏକ ଆକର୍ଷଣୀୟ ପ୍ରସଙ୍ଗ ରୂପେ ଉତ୍‌ଥାପନ  କରେ । ସମାଜ ବିଜ୍ଞାନ ଦୃଷ୍ଟିକୋଣରୁ ବିଶ୍ଳେଷଣ  କଲେ ଜଗନ୍ନାଥଙ୍କର ରଥଯାତ୍ରା ଅବସରରେ ଯେପରି  ମହାପ୍ରଭୁଙ୍କର ଦର୍ଶନ ନିମନ୍ତେ ଜାତି, ଧର୍ମ, ବର୍ଣ୍ଣ, ଭାଷା, ସଂସ୍କୃତି ଏବଂ ସାମାଜିକ ସ୍ଥିତି ନିର୍ବିଶେଷରେ ସମସ୍ତେ  ଏକତ୍ରିତ ହୋଇଥାନ୍ତି, କୁମ୍ଭମେଳାରେ ମଧ୍ୟ ସାଧୁ ସନ୍ଥଙ୍କ  ସହିତ ସାଧାରଣ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ଅଗଣିତ ଜନତା  ଆଧ୍ୟାତ୍ମିକତାର ସ୍ପର୍ଶ ତଥା ପବିତ୍ରତାକୁ ହୃଦୟଙ୍ଗମ କରିବା  ଏବଂ ମୋକ୍ଷପ୍ରାପ୍ତ ହେବା ଲକ୍ଷ୍ୟରେ ସମବେତ ହୋଇ ସଙ୍ଗମର ପବିତ୍ର ଜଳରାଶିରେ ବୁଡ଼ ପକାନ୍ତି । 

କୁମ୍ଭମେଳା ଉତ୍ପତ୍ତିର ଇତିହାସ ହିନ୍ଦୁ ପୌରାଣିକ  କାହାଣୀରେ ନିହିତ ରହିଛି । କିମ୍ବଦନ୍ତୀ ଅନୁସାରେ,  ସମୁଦ୍ର ମନ୍ଥନ ଅବସରରେ ଅମରତ୍ୱ ପ୍ରାପ୍ତିର ଆଧାର  ବିବେଚିତ ‘ଅମୃତ'ର ହାସଲ ନିମନ୍ତେ ଦେବତା  ଏବଂ ରାକ୍ଷସମାନଙ୍କ ମଧ୍ୟରେ ଏକ ଭୟଙ୍କର ସଂଘର୍ଷର  ସୂତ୍ରପାତ ହେଲା । ଯୁଦ୍ଧ ସମୟରେ ମୋହିନୀ ରୂପରେ  ଭଗବାନ ବିଷ୍ଣୁ ଅମୃତ କୁମ୍ଭକୁ ଆକାଶ ମାର୍ଗରେ  ନେଉଥିବାବେଳେ ଚାରି ବୁନ୍ଦା ଅମୃତ ଭାରତର ଚାରିଟି  ସ୍ଥାନରେ ଆକସ୍ମିକ ଭାବେ ବିକ୍ଷିପ୍ତ ହୋଇ ପଡ଼ିଥିଲା ।  ଏହି ଦିବ୍ୟ ଘଟଣାର ସ୍ମୃତିକୁ ଉଜ୍ଜୀବିତ କରି ତଥା ଏହି  ସ୍ଥଳୀସବୁକୁ ପବିତ୍ର ତୀର୍ଥ ବୋଲି ବିବେଚିତ କରି ପ୍ରାଚୀନ  କାଳରୁ ସେଠାରେ କୁମ୍ଭମେଳା ଅନୁଷ୍ଠିତ ହୋଇଆସୁଛି ।  କୁମ୍ଭମେଳା ଉତ୍ସବର ସଠିକ୍‌ ସମୟ ଜ୍ୟୋତିର୍ବିଜ୍ଞାନ ଦ୍ୱାରା  ନିର୍ଣ୍ଣିତ ହୁଏ, ଯାହା ସୂର୍ଯ୍ୟ, ଚନ୍ଦ୍ର ଏବଂ ବୃହସ୍ପତିଙ୍କ ସ୍ଥିତି  ଉପରେ ଆଧାରିତ ଅଟେ । 

ହିନ୍ଦୁ ଶାସ୍ତ୍ର ଅନୁସାରେ, ଏକ  ନିର୍ଦ୍ଦିଷ୍ଟ ବ୍ୟବଧାନରେ (ପ୍ରତି ୧୨ବର୍ଷରେ) କେତେକ  ଗ୍ରହମାନଙ୍କର ନିର୍ଦ୍ଦିଷ୍ଟ ସ୍ଥାନରେ ଅବସ୍ଥିତି ଆଧ୍ୟାତ୍ମିକତାର ନବୀକରଣ ଏବଂ ଜ୍ଞାନାଲୋକ ପ୍ରାପ୍ତି ନିମନ୍ତେ ଶୁଭ ବୋଲି  ବିବେଚିତ ହୁଏ । ଜ୍ୟୋତିର୍ବିଜ୍ଞାନ ଓ କୁମ୍ଭମେଳା ମଧ୍ୟରେ  ଏପରି ସମ୍ପର୍କ ବିଜ୍ଞାନ, ଧର୍ମ ଏବଂ ସଂସ୍କୃତିକୁ ପରସ୍ପର  ସହିତ ଯୋଡ଼ିଥିବା ପ୍ରାଚୀନ ଜ୍ଞାନଭଣ୍ଡାରକୁ ଉଦ୍ଭାସିତ  କରେ । ଏହା ମଧ୍ୟ ସ୍ୱୀକାର୍ଯ୍ୟ ଯେ ଭାରତୀୟ ପରମ୍ପରା ମଧ୍ୟରେ କିଛି ବୈଜ୍ଞାନିକ ପରିଭାଷା ଲୁକ୍କାୟିତ ଭାବରେ  ରହିଛି, ଯାହା ଗମ୍ଭୀର ଗବେଷଣାର ବିଷୟବସ୍ତୁ । ଏହି ମହୋତ୍ସବର ପରିସର ଅତ୍ୟନ୍ତ ବିଶାଳ, ଯାହା  ବହୁବିଧ ରୀତିନୀତି, ଉତ୍ସବ ଏବଂ ଧାର୍ମିକ ଆଲୋଚନା  ସହିତ ଗଭୀର ଆଧ୍ୟାତ୍ମିକ ଉତ୍ସାହର ପରିବେଶ ସୃଷ୍ଟି  କରେ। ଧାର୍ମିକ ପରମ୍ପରା ଏଥିରେ ଗଭୀର ଭାବରେ  ସନ୍ନିହିତ ହୋଇଥିଲେ ସୁଦ୍ଧା ବୈଜ୍ଞାନିକ ଦୃଷ୍ଟିକୋଣ  ଏହାର ମହତ୍ତ୍ୱ ବିଷୟରେ ଏକ ବ୍ୟାପକ ଅନ୍ତର୍ଦୃଷ୍ଟିସମ୍ପନ୍ନ  ବ୍ୟାଖ୍ୟା ପ୍ରଦାନ କରେ । ଏତେ ବିଶାଳ ଜନସମାଗମର  ପରିଚାଳନା ଠାରୁ ପବିତ୍ର ନଦୀମାନଙ୍କରେ ବିଧି ସମ୍ବଳିତ  ସ୍ନାନରୁ ହିତସାଧନ ପର୍ଯ୍ୟନ୍ତ, ବିଜ୍ଞାନ ଦୃଷ୍ଟିରୁ ଏହି  ଘଟଣାର ଅନେକ ଦିଗକୁ ବିଶ୍ଳେଷଣ କରାଯାଇପାରେ ।  

ଏପରି ପବିତ୍ର ସ୍ନାନ ପ୍ରଭାବରେ ବ୍ୟକ୍ତିର ପାପ ଧୌତ  ହୋଇ ପୁଣ୍ୟ ଅର୍ଜନ ହୁଏ ବୋଲି ବିଶ୍ୱାସ ରହିଛି ।  ତେବେ ଏହି ଘଟଣାର ପରିବେଶଗତ ପ୍ରଭାବ, ନିର୍ଦ୍ଦିଷ୍ଟ  ରୂପେ ମାତ୍ରାଧିକ ଜଳ ପ୍ରଦୂଷଣର ସମ୍ଭାବନାକୁ ନେଇ  ବୈଜ୍ଞାନିକମାନେ ସମ୍ପ୍ରତି ଗମ୍ଭୀର ଚିନ୍ତା ପ୍ରକଟ କରୁଛନ୍ତି ।  ସମାବେଶରେ ଏତେସଂଖ୍ୟକ ଲୋକଙ୍କର ସମାଗମ  ଭିତ୍ତିଭୂମି, ସାର୍ବଜନୀନ ସ୍ୱାସ୍ଥ୍ୟ ଏବଂ ପରିମଳ ବ୍ୟବସ୍ଥା  ଉପରେ ଅତ୍ୟଧିକ ଚାପ ସୃଷ୍ଟି କରିବା ଯଥାର୍ଥ । କିନ୍ତୁ  ଗବେଷଣାଲବ୍ଧ ତଥ୍ୟ ପ୍ରକାଶ କରେ ଯେ, ବିଗତ  କୁମ୍ଭମେଳାଗୁଡ଼ିକରେ ଜଳବାହିତ ରୋଗର ସଂକ୍ରମଣ ପୂର୍ବାନୁମାନ ଠାରୁ ଯଥେଷ୍ଟ ନିମ୍ନସ୍ତରରେ ରହିଥିଲା, ଯାହା  ସମ୍ଭବତଃ ପ୍ରଶାସନର ବ୍ୟବସ୍ଥିତ ଉନ୍ନତ ପରିମଳ ପଦ୍ଧତି  ଏବଂ ଜଳ ପ୍ରକ୍ରିୟାକରଣ ପ୍ରୋଟୋକଲ୍‌ କାର୍ଯ୍ୟକାରୀ  ହୋଇଥିବା କାରଣରୁ ସମ୍ଭବପର ହୋଇଛି । ନଦୀ  ପ୍ରଦୂଷଣ ରୋକିବା ଦିଗରେ, ମୁଖ୍ୟତଃ ପବିତ୍ରତମ  ଗଙ୍ଗାନଦୀ କ୍ଷେତ୍ରରେ ‘ନମାମି ଗଙ୍ଗେ ଯୋଜନା'  କାର୍ଯ୍ୟକାରୀ ହେଉଛି । ସାମ୍ପ୍ରତିକ ବର୍ଷଗୁଡ଼ିକରେ  ପ୍ରଦୂଷଣ ହ୍ରାସ କରିବା ଏବଂ ଜଳର ବିଶୁଦ୍ଧତା ବଜାୟ  ରଖିବା ଉଦ୍ଦେଶ୍ୟରେ ଜଳ ପ୍ରକ୍ରିୟାକରଣ ଓ ବିଶୋଧନ  କେନ୍ଦ୍ରମାନ ମଧ୍ୟ ସ୍ଥାପିତ ହୋଇଛି ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି, ଏପରି  ବିଶାଳତମ ଧାର୍ମିକ ସମାବେଶର ସୁପରିଚାଳନା ଏବଂ  ସୁରକ୍ଷା ସୁନିଶ୍ଚିତ କରିବାରେ ସମ୍ପ୍ରତି ଏଆଇ (କୃତ୍ରିମ  ବୁଦ୍ଧିମତ୍ତା) ଏବଂ ଆଇଟି (ସୂଚନା ପ୍ରଯୁକ୍ତିବିଦ୍ୟା)ର  ସଫଳ ବ୍ୟବହାର । ଏଆଇ-ଚାଳିତ କ୍ୟାମେରା, ମୁଖଚିହ୍ନଟ ସଫ୍ଟୱେର ଏବଂ ମେସିନ୍‌ ଲର୍ଣ୍ଣିଂ ଆଲଗୋରିଦମ୍‌  ପରି ପ୍ରଯୁକ୍ତିର ବ୍ୟବହାର କରି କର୍ତ୍ତୃପକ୍ଷ ସମ୍ଭାବ୍ୟ ବିପଦ  ବା ଭିଡ଼ରେ ହଜିଯାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ  ସକ୍ଷମ ହୋଇଥିଲେ । ଆକାଶ ମାର୍ଗରୁ ନିରୀକ୍ଷଣ ପାଇଁ  ଡ୍ରୋନସବୁର ବର୍ଦ୍ଧିତ ବ୍ୟବହାର ହୋଇଥିଲାବେଳେ  ରୋବୋଟିକ୍‌ ସିଷ୍ଟମଗୁଡ଼ିକ ଭିଡ଼କୁ ନିରୀକ୍ଷଣ ଏବଂ  ମାର୍ଗଦର୍ଶନ କରିବାରେ ସାହାଯ୍ୟ କରିଥିଲେ । ତେବେ  ସ୍ୱାସ୍ଥ୍ୟରକ୍ଷା ପ୍ରସଙ୍ଗ ବିତର୍କର ବିଷୟ ପାଲଟିଥିଲା,  ଯେତେବେଳେ ପ୍ରୟାଗରାଜଠାରେ ଗଙ୍ଗାଜଳରେ ମଳ  କୋଲିଫର୍ମ ବୀଜାଣୁର ପରିମାଣ ଉଦ୍‌ବେଗଜନକ  ସ୍ତରରେ ଥିବାର କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ  ରିପାର୍ଟରେ ଦର୍ଶାଯାଇଥିଲା । 

ଏହାକୁ ଅଗ୍ରାହ୍ୟ କରି  ପ୍ରତିପକ୍ଷ ଯୁକ୍ତି ବାଢ଼ନ୍ତି ଯେ, ଗଙ୍ଗା ଏକ ‘ସ୍ୱୟଂ-ପରିଷ୍କୃତ  ପ୍ରଣାଳୀ', ଯାହାକୁ ବୈଜ୍ଞାନିକମାନେ ବ୍ୟାଖ୍ୟା କରନ୍ତି  ଯେ ଜଳରେ ଉପଲବ୍ଧ ବ୍ୟାକ୍ଟେରିଓଫେଜ୍‌ ଭୂତାଣୁସବୁ  ଉପକାରୀ ଅଣୁଜୀବ ସମ୍ପ୍ରଦାୟକୁ ସୁରକ୍ଷିତ ରଖି  ‘ପ୍ରାକୃତିକ ବିଶୋଧକ' ରୂପେ କେବଳ କ୍ଷତିକାରକ  ବୀଜାଣୁଙ୍କୁ ନାଶ କରିବାର ଭୂମିକା ନିର୍ବାହ କରନ୍ତି । ବ୍ରିଟିଶ  ବୀଜାଣୁବିଜ୍ଞାନୀ ଅର୍ନେଷ୍ଟ ହାଙ୍କିନ ନଦୀକୂଳରେ ହଇଜାର  ପ୍ରକୋପ ଅଧ୍ୟୟନ କରିବା ସମୟରେ ୧୮୯୧ ମସିହାରେ  ଗଙ୍ଗାଜଳର ବୀଜାଣୁ-ବିରୋଧୀ ଗୁଣର ରହସ୍ୟ  ଉନ୍ମୋଚିତ କରିଥିଲେ । ଅତିରିକ୍ତ ଭାବରେ, ଗଙ୍ଗାନଦୀ  ହିମାଳୟରୁ ପ୍ରବାହିତ ହେଉଥିବା ପରିପ୍ରେକ୍ଷୀରେ ଅନେକ  ଔଷଧୀୟ ଉଦ୍ଭିଦର ଆରୋଗ୍ୟକାରୀ ପଦାର୍ଥ ଏହା  ମଧ୍ୟରେ ଦ୍ରବୀଭୂତ ହୋଇ ଏହାର ଗୁଣାତ୍ମକ ମୂଲ୍ୟରେ  ଅଭିବୃଦ୍ଧି ଘଟାନ୍ତି ବୋଲି ବିଶ୍ୱାସ ରହିଛି । 

ମହାକୁମ୍ଭ ମାନବ ଆଚରଣ ଓ ସମ୍ମିଳନ ଉପରେ  ଏକ ଆକର୍ଷଣୀୟ ଅଧ୍ୟୟନ ନିମନ୍ତେ ସୁଯାଗ ପ୍ରଦାନ  କରେ । ବିଭିନ୍ନ ବର୍ଗର ଜନତାଙ୍କ ମଧ୍ୟରେ ବିପୁଳ  ବିବିଧତା ସତ୍ତେ୍ୱ ତୀର୍ଥଯାତ୍ରାର ସହଭାଗୀ ଉଦ୍ଦେଶ୍ୟ  ଏବଂ ଅଭିଜ୍ଞତା ସେମାନଙ୍କ ମଧ୍ୟରେ ଏକତା, ସମଭାବ,  ସାମାଜିକ ସମନ୍ୱୟ ଏବଂ ସମ୍ପ୍ରଦାୟର ଭାବନା ସୃଷ୍ଟିକରେ । ସମାଜବିଜ୍ଞାନୀ ଏବଂ ନୃତତ୍ତ୍ୱବିଜ୍ଞାନୀ ଉଲ୍ଲେଖ କରନ୍ତି ଯେ,  ଏପରି ଯାତ୍ରା ବ୍ୟକ୍ତିଗତ ପାର୍ଥକ୍ୟକୁ ଅତିକ୍ରମ କରି  ସାମାଜିକ ସଂହତି ଏବଂ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ  କରେ । ସମାବେଶର ବିଶାଳ ଆକାର ସାମୂହିକ ମାନବୀୟ  ଆବେଗ ଏବଂ ଭକ୍ତିର ଶକ୍ତିକୁ ମଧ୍ୟ ପରିପ୍ରକାଶ କରେ ।  ଆନୁଷ୍ଠାନିକ ଆୟୋଜନରେ କିଛିମାତ୍ରାର ଅଭାବ ଏବଂ  କେତେକ ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟିହେବା ସତ୍ତେ୍ୱ ଏପରି  ବିଶାଳ ଜନସମାଗମ ସଂଗଠିତ ଏବଂ ଶାନ୍ତିପୂର୍ଣ୍ଣ ରହିବାର  କ୍ଷମତା, ମାନବ ଆଚରଣ ଏବଂ ମନସ୍ତତ୍ତ୍ୱ ଅଧ୍ୟୟନ  ନିମନ୍ତେ ଏକ ଆକର୍ଷଣୀୟ ପ୍ରସଙ୍ଗ ଅଟେ । ଧାର୍ମିକ ବିଶ୍ୱାସ  ଏବଂ ବୈଜ୍ଞାନିକ ଜ୍ଞାନ କିପରି ପରସ୍ପରର ସନ୍ନିବେଶ, ତାହାର ଏକ ଉଲ୍ଲେଖନୀୟ ଦୃଷ୍ଟାନ୍ତ ଭାବରେ କୁମ୍ଭମେଳା  ଉପନୀତ । 

ଅନ୍ୟପକ୍ଷରେ, ପରିବେଶ ସୁରକ୍ଷାର ବିଭିନ୍ନ  ଦିଗକୁ ଧ୍ୟାନରେ ରଖି ହଜାର ସଂଖ୍ୟାର ଇଲେକ୍‌ଟ୍ରିକ୍‌  ଯାନର ବ୍ୟବହାର, ଆବର୍ଜନା ନିଷ୍କାସନ ଓ ପରିବେଶ  ପରିଛନ୍ନତା ନିମନ୍ତେ ୧୫ଲକ୍ଷ ଅସ୍ଥାୟୀ ଶୌଚାଳୟର  ନିର୍ମାଣ, ୧୫,୦୦୦ ପରିମଳ କର୍ମଚାରୀ ଏବଂ ଯଥେଷ୍ଟ  ସ୍ୱଚ୍ଛତା ମିତ୍ର ଏବଂ ଗଙ୍ଗା ସେବାଦୂତଙ୍କର ନିୟୋଜନ  ପରି ପ୍ରଶଂସନୀୟ ପଦକ୍ଷେପ ପ୍ରଶାସନିକ ଦକ୍ଷତାର  ପରିପ୍ରକାଶ କରେ । ଭାବା ଆଣବିକ ଗବେଷଣା କେନ୍ଦ୍ର  (ବିଏଆରସି) ମଧ୍ୟ ମହାକୁମ୍ଭ ସମୟରେ ନର୍ଦ୍ଦମା ବର୍ଜ୍ୟ  ଏବଂ ମାନବ ମଳର ପ୍ରକ୍ରିୟାକରଣ ନିମନ୍ତେ ଏହାର  ହାଇବ୍ରିଡ୍‌ ଗ୍ରାନୁଲାର ସିକୋଏନ୍‌ସିଂ ବ୍ୟାଚ୍‌ ରିଆକ୍ଟର  ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରିଥିଲା । ଏସବୁ ପଦକ୍ଷେପ  ଚାରିଟି ଗିନିଜ୍‌ ବିଶ୍ୱ ରେକର୍ଡ ସ୍ଥାପନ କରି ଇତିହାସ ମଧ୍ୟ  ସୃଷ୍ଟି କରିଛି । 

ମହାକୁମ୍ଭ ଉତ୍ସବ କୋଟି କୋଟି ଭକ୍ତଙ୍କ ଗଭୀର  ବିଶ୍ୱାସ ଦ୍ୱାରା ପରିଚାଳିତ, ଯେଉଁମାନେ ବିଶ୍ୱାସ କରନ୍ତି  ଯେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ ସେମାନଙ୍କୁ ଆଧ୍ୟାତ୍ମିକ  ମୋକ୍ଷପ୍ରାପ୍ତି ପଥ ପ୍ରଦର୍ଶିତ କରିବ । ଅନ୍ୟପକ୍ଷରେ,  ସାର୍ବଜନୀନ ସ୍ୱାସ୍ଥ୍ୟ, ପରିବେଶ ପରିଚାଳନା, ବୈଦିକ  ଜ୍ଞାନ ତଥା ଜ୍ୟାତିର୍ବିଜ୍ଞାନ କ୍ଷେତ୍ରରେ ବୈଜ୍ଞାନିକ ଅଗ୍ରଗତିର  ପ୍ରୟୋଗ ସୁନିଶ୍ଚିତ କରେ ଯେ ଏହି କାର୍ଯ୍ୟକ୍ରମ ସୁରକ୍ଷିତ  ଏବଂ ସୁସଙ୍ଗଠିତ ଭାବରେ ସମ୍ପାଦିତ ହୋଇପାରିବ ।  ପରିଶେଷରେ, ମହାକୁମ୍ଭ ମେଳାକୁ ପ୍ରାଚୀନ ଧାର୍ମିକ  ପରମ୍ପରା ଏବଂ ଆଧୁନିକ ବୈଜ୍ଞାନିକ ସହାୟତାର ଏକ  ସୁସଙ୍ଗତ ମିଶ୍ରଣ ରୂପେ ଆଖ୍ୟାୟିତ କରାଯାଇପାରେ । ଉତ୍ସବର ପଟ୍ଟଭୂମିରେ ରହିଥିବା ଧାର୍ମିକ ବିଶ୍ୱାସ  ଅଗଣିତ ଲୋକଙ୍କୁ ପ୍ରେରଣା ଦେଉଥିବା ବେଳେ,  ବୈଜ୍ଞାନିକ ଦୃଷ୍ଟିକୋଣର ବିନିଯୋଗ ଏପରି କାର୍ଯ୍ୟକ୍ରମକୁ  ଦୀର୍ଘସ୍ଥାୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବ ।  ଆଗାମୀ ସମୟରେ ଏପରି ମହାମେଳାର ସଞ୍ଚାଳନକୁ  ତ୍ରୁଟିଶୂନ୍ୟ, ଅନ୍ଧବିଶ୍ୱାସମୁକ୍ତ, ବିଜ୍ଞାନସମ୍ମତ ଏବଂ ଅଧିକ ସୁପରିଚାଳିତ କରି ଜନସମାଜକୁ ଆଧ୍ୟାତ୍ମିକତା ଓ  ଶୃଙ୍ଖଳିତ ଜୀବନଚର୍ଯ୍ୟାର ବାର୍ତ୍ତା ପ୍ରଦାନ କଲେ ସମାଜର  ସର୍ବାଙ୍ଗୀନ ଉନ୍ନତି ସାଧନ ସମ୍ଭବପର ହେବ ।