ସମ୍ବଲପୁର,୦୭/୦୮: ପର୍ଯ୍ୟଟନ କଳେବର ହେବ । ପର୍ଯ୍ୟଟକଙ୍କ ସଂଖ୍ୟା ଦ୍ୱିଗୁଣିତ ହେବ । ଆକର୍ଷଣୀୟ ହେବ ସମ୍ବଲପୁର ମହାନଦୀ ପଠା। ଅତ୍ୟାଧୁନିକ ଜଳକ୍ରୀଡ଼ା ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯିବ । ଐତିହ୍ୟକୁ ସୁରକ୍ଷିତ ରଖିବା ସହ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାକୁ ଯୋଜନା ହୋଇଛି ମହାନଦୀ ରିଭର୍‌ ଫ୍ରଣ୍ଟ ଭ୍ୟୁ ଯୋଜନା । ପ୍ରାରମ୍ଭିକ ପର୍ଯ୍ୟାୟରେ ୫୦ କୋଟି ଟଙ୍କା ଅନୁମୋଦନ ବି ସରିଛି । ହେଲେ ଘୋଷଣାର ବର୍ଷେ  ପରେ ବି ଆଜି ପର୍ଯ୍ୟନ୍ତ ଡିପିଆର୍‌ କାମ ଶେଷ ହୋଇପାରିଲା ନାହିଁ ।  

ରିଭର୍‌ ଫ୍ରଣ୍ଟ୍‌ ଭ୍ୟୁ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ମୃତ୍ତିକା ପରୀକ୍ଷଣ କାମ ଶେଷ ହୋଇଛି । ଦୀର୍ଘ ଦିନ ହେଲା ଏହି କାମ ସରିଥିଲେ ମଧ୍ୟ ଡିପିଆର୍‌ ପ୍ରସ୍ତୁତି ପାଇଁ ଟେଣ୍ଡର ବିଳମ୍ବ ହୋଇଥିଲା । ହେଲେ ନିକଟରେ ଡିପିଆର୍‌ ପାଇଁ ଟେଣ୍ଡର ଡକାଯାଇଛି । ଟେଣ୍ଡର ଖୋଲାଯିବା ପରେ ଡିପିଆର୍‌ କାମ ଆରମ୍ଭ ହେବ । ଏହା  ପ୍ରସ୍ତୁତି ଶେଷ ହେବା ପରେ ଅନୁମୋଦନ ପାଇଁ ମୁଖ୍ୟଯନ୍ତ୍ରୀଙ୍କ ନିକଟକୁ ଯିବ ।  ଯାହାର ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ଦାବି ହୋଇଛି । ଏହି ପ୍ରକଳ୍ପ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆନିକଟ୍‌(ଇନ୍‌ ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକଚର୍‌)  । ଯାହାକି ୭ କିଲୋମିଟର ଧରି ଜଳଧାରଣ କ୍ଷମତା ସୃଷ୍ଟି କରିବ । ହେଲେ  ଏହା କେଉଁଠାରେ ତିଆରି ହେବ ଓ କେତେ ଉଚ୍ଚତା ରହିବ ତାହା ମଧ୍ୟ ଆଜି ପର୍ଯ୍ୟନ୍ତ ସ୍ଥିର ହୋଇପାରିଲା ନାହିଁ । ଏହାର ଡିଜାଇନ୍‌ ପ୍ରସ୍ତୁତି ପାଇଁ  ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇଛି । ସେଠାରେ ଡିଜାଇନ୍‌  ପ୍ରସ୍ତୁତ ହେବା ପରେ ମୂଲ୍ୟ ନିର୍ଦ୍ଧାରଣ କରି ଟେଣ୍ଡର ଡକାଯିବ । ଏନେଇ  ସମ୍ବଲପୁର ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଉମାକାନ୍ତ ନାୟକ କହିଛନ୍ତି,  ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କାମ ସରିବା ପରେ କାର୍ଯ୍ୟ ତ୍ୱାରାନ୍ୱିତ ହେବ ।  ମୃତ୍ତିକା ପରୀକ୍ଷଣ ସରିଥିବାରୁ ଡିପିଆର୍‌ ପ୍ରସ୍ତୁତିରେ ବିଳମ୍ବ ହେବ ନାହିଁ ।  

ଗତମାସ ନଭେମ୍ବର ମାସରେ ସମ୍ବଲପୁର ସହର ମହାନଦୀ ପଠାରେ ମୃତ୍ତିକା  ପରୀକ୍ଷଣ ହୋଇଥିଲା । ୨ ପାଶ୍ୱର୍ରେ ୨ଟି ଟିମ୍‌ କାମ କରୁଥିଲେ । ଅଯୋଧ୍ୟା  ସରୋବରରେ ଥିବା ଆନିକଟ୍‌ କେତେ ସୁଦୃଢ଼ ରହିଛି ତାହାର ପରୀକ୍ଷଣ  ହୋଇଥିଲା । ଏଠାରେ ନୂଆଁ ପ୍ରକଳ୍ପ ପାଇଁ କୌଣସି ସୁବିଧା ନହେବାରୁ ଆଗକୁ  ଆଉ ଏକ ଆନିକଟ୍‌ ନିର୍ମାଣ କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ୫୦ କୋଟି  ଟଙ୍କାର ଅନୁଦାନ ମିଳିଛି । ହେଲେ ଆଗକୁ ଏହି ଅର୍ଥ ପରିମାଣ ବଢ଼ିବ ।  ଆନିକଟ ସହ ପାର୍କ, ପାଦଚଲା ରାସ୍ତା, ଜିମ୍‌, ଆମ୍ଫିଥିଏଟର, ଆରତୀ ଘାଟ  ତିଆରି ହେବ । ଏହାସହ ଜଳକ୍ରୀଡା ପାଇଁ ସୁବ୍ୟବସ୍ଥା କରାଯିବ । ପାରାସେଲିଂ, ୱାଟରସ୍ପୋର୍ଟସ୍‌ ସହ ଅନ୍ୟ କୌତୁହଳପୂର୍ଣ୍ଣ କ୍ରୀଡ଼ାର ସୁଯୋଗ ପାଇଁ ଯୋଜନା  ରହିଛି । ସାବରମତୀ, କାଶୀ ଓ ବାରାଣାସୀ ଭଳି ସମ୍ବଲପୁରର ପୁରୁଣା  ଅଯୋଧ୍ୟା ସରୋବର ଅଞ୍ଚଳକୁ ‘ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟ'  ଅଧୀନରେ ବିକଶିତ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି ।