ଭୁବନେଶ୍ୱର, ୨୯/୦୮: ମହାନଦୀ ଜଳ ବିବାଦ।  ଏହି ସଙ୍କଟରୁ ମୁକ୍ତି ପାଇଁ ଲୋକଙ୍କୁ ନଦୀ ସହିତ ଯୋଡ଼ିବା  ଅବଶ୍ୟକ । ତେଣୁ ଆସନ୍ତା ବର୍ଷ ମହାନଦୀ ମହୋତ୍ସବ  ଆୟୋଜନ କରାଯିବ । ଏଥିରେ ଓଡ଼ିଶା ଓ ଛତିଶଗଡ଼ର  ସଂସ୍କୃତି, ସାହିତ୍ୟ, ଅର୍ଥନୀତି ଓ ସାମାଜିକ ଜୀବନ ସମ୍ପର୍କରେ  କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ । ଏଥିପାଇଁ ସେପ୍ଟେମ୍ୱର  ମାସରେ ମହାନଦୀ ଚେତନା ଯାତ୍ରା ମଧ୍ୟ ଆୟୋଜିତ ହେବ ।  ସେପ୍ଟେମ୍ୱର ଶେଷ ସପ୍ତାହରେ ମହାନଦୀ ଜଳ ବିବାଦର  ଆପୋଷ ସମାଧାନ ସମ୍ପର୍କରେ ଦିଲ୍ଲୀରେ ମହାନଦୀ ସଂସଦ  ଅନୁଷ୍ଠିତ ହେବ । ଏଥିରେ ଓଡ଼ିଶା, ଛତିଶଗଡ ସମେତ ଦେଶର  ବିଭିନ୍ନ ଅଞ୍ଚଳରୁ ନଦୀ ବିଶେଷଜ୍ଞମାନେ ଯୋଗଦେବେ । କେନ୍ଦ୍ର  ତଥା ୨ ରାଜ୍ୟ ସରକାରଙ୍କ ପ୍ରତିନିଧିମାନଙ୍କୁ ମଧ୍ୟ ଏହି ସଂସଦକୁ  ଆମନ୍ତ୍ରଣ କରାଯିବ । 

ଗୁରୁବାର ଛତିଶଗଡ଼ର ରାଜଧାନୀ  ରାୟପୁର ଲୋକାୟନ ସଭାଗୃହରେ ମହାନଦୀର ସଙ୍କଟ ଓ  ଜଳ ବିବାଦକୁ ନେଇ ଅନୁଷ୍ଠିତ ଗୋଲ ଟେବୁଲ୍‌ ବୈଠକରେ  ଏହି ନିଷ୍ପତ୍ତି ହୋଇଛି ।  ଗୁରୁବାର ମହାନଦୀ ବଞ୍ଚାଅ ଆନ୍ଦୋଳନ, ନଦୀ ଘାଟି ମୋର୍ଚ୍ଚା  ଓ ରାଷ୍ଟ୍ରୀୟ ଜଳ ବିରାଦରିର ମିଳିତ ପ୍ରୟାସରେ ଅନୁଷ୍ଠିତ ଏହି  ବୈଠକରେ ଛତିଶଗଡ଼ ଓ ଓଡ଼ିଶାର ଅନେକ ନଦୀ ଆନ୍ଦୋଳନର  ପ୍ରମୁଖ ନେତା ଯୋଗ ଦେଇଥିଲେ । ଜଳମାନବ ଡ. ରାଜେନ୍ଦ୍ର  ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅନେକ  ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମହାନଦୀ ଜଳ ବିବାଦର  ଆପୋଷ ସମାଧାନ ପାଇଁ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ  ସହମତିକୁ ବୈଠକରେ ସ୍ୱାଗତ କରାଯାଇଥିଲା । କିନ୍ତୁ ଆପୋଷ  ଆଲୋଚନାକୁ ଯିବା ପୂର୍ବରୁ ଅଣ ମୌସୁମୀ ସମୟରେ ଯେତିକି  ପାଣି ଓଡ଼ିଶାର ଆବଶ୍ୟକତା ରହିଛି, ତାକୁ ଛାଡ଼ିବାକୁ ସର୍ତ୍ତ  ରହିବା ଜରୁରି ବୋଲି ବୈଠକରେ ମତ ପ୍ରକାଶ ପାଇଛି । ଦୁଇ  ସରକାର ଭିତରେ ଆପୋଷ ସମାଧାନକୁ ସୀମିତ ନରଖି ନଦୀ  ସହିତ ସଂଶ୍ଳିଷ୍ଟ ଅଂଶୀଦାରମାନଙ୍କୁ ଏଥିରେ ସାମିଲ କରିବା ପାଇଁ  ଦୁଇ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଛି ।  

ଏହି ବୈଠକରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ  ସୁଦର୍ଶନ ଦାସ, ନଦୀ ଘାଟି ମୋର୍ଚ୍ଚାର ଆବାହକ ଗୌତମ  ବନ୍ଦୋପାଧ୍ୟାୟ, ରାଷ୍ଟ୍ରୀୟ ଜଳ ବିରାଦରିର ନିର୍ଦ୍ଦେଶକ ଡ ସଞ୍ଜୟ  ସିଂହ ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶାରୁ ଏଥିରେ ବିଜୟ  ପ୍ରଧାନ, ସଚ୍ଚିକାନ୍ତ ପ୍ରଧାନ, ଅର୍ଜୁନ ସାମନ୍ତରାୟ, ଅଶୋକ ପ୍ରଧାନ  ପ୍ରମୁଖ ଯୋଗ ଦେଇଥିବା ବେଳେ ଛତିଶଗଡ଼ର ବିଭିନ୍ନ ନଦୀ  ଅବବାହିକାରୁ ଅନେକ ସାମାଜିକ କର୍ମୀ, ଲୋକ ପ୍ରତିନିଧି,  ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ ।