ଭୁବନେଶ୍ୱର (ମୁକେଶ ପରିଡ଼ା): ୩ ଦଶନ୍ଧିରେ ୩୪% କମିଗଲାଣି ଜଳ ପ୍ରବାହ । ୧୯୯୦ରେ ପ୍ରତି ସେକେଣ୍ଡରେ ପ୍ରବାହିତ ହେଉଥିଲା ୧୪ ଲକ୍ଷ ୨୪ ହଜାର ଲିଟର ପାଣି । ୨୦୨୦ ବେଳକୁ ୯ ଲକ୍ଷ ୩୮ ହଜାର ଲିଟର । ମହାନଦୀ ତ୍ରିକୋଣଭୂମି ଅଞ୍ଚଳରେ ମହାନଦୀର ଜଳପ୍ରବାହ ସ୍ଥିତି ଏମିତି ଉଦ୍ବେଗଜନକ ହାରରେ ଖସୁଛି ।
ଖାଲି ସେତିକି ନୁହେଁ, ଓଡ଼ିଶାର ଜୀବନରେଖା କୁହାଯାଉଥିବା ମହାନଦୀର ଭୂ-ଆକୃତି ଓ ଗତିପଥରେ ଭୟଙ୍କର ପରିବର୍ତ୍ତନ ଦେଖିବାକୁ ମିଳିଛି । ମହାନଦୀ ତ୍ରିକୋଣଭୂମି (ଡେଲଟା) ଅଞ୍ଚଳରେ ସକ୍ରିୟ ନଦୀ ଶଯ୍ୟା (ରିଭର ଚ୍ୟାନେଲ) ଦ୍ରୁତ ଗତିରେ ସଙ୍କୁଚିତ ହେଉଛି । ୧୯୯୦ରେ ନଦୀ ଶଯ୍ୟା ଅଞ୍ଚଳ ୨୮୮.୧୬ ବର୍ଗ କିଲୋମିଟରରେ ପରିବ୍ୟାପ୍ତ ଥିଲା । ୨୦୨୦ ବେଳକୁ ୧୮୯.୦୪ ବର୍ଗ କିମି । ୩୦ ବର୍ଷରେ କମିଲା ୩୪.୪୦% ।
ରାଉରକେଲାସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି (ଏନ୍ଆଇଟି) ପକ୍ଷରୁ କରାଯାଇଥିବା ଗବେଷଣାରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଏଥିରେ ମହାନଦୀ ଓ ଶାଖା ନଦୀଗୁଡ଼ିକର ସାଂଘାତିକ ଚିତ୍ର ଦେଖିବାକୁ ମିଳିଛି । କଟକ ୪୨ ମୌଜା ନିକଟରେ କିଛି କିଲୋମିଟର ପର୍ଯ୍ୟନ୍ତ କାଠଯୋଡ଼ି ପୂରା ଶୁଖିଯାଇଛି । ନଈରେ ପାଣି ଧାର ହିଁ ନାହିଁ । ଯୁଆଡ଼େ ଦେଖିବ ଖାଲି ବାଲି । ସମାନ ସ୍ଥିତି ଦେବୀ ନଦୀରେ । ଜଗତସିଂହପୁର ବାଇଶି ମୌଜା ନିକଟସ୍ଥ ଚାଷୀଖଣ୍ଡ ଗାଁ ପାଖରେ ଦେବୀ ନଦୀ ଏକଦମ ଶୁଖିଲା ।
କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଦେଇ ପ୍ରବାହିତ ମହାନଦୀ ଓ ଶାଖା ନଦୀଗୁଡ଼ିକର ଗତିପଥ ଓ ଚିତ୍ର ଚରିତ୍ର ଗତ ୩ ଦଶନ୍ଧି ଭିତରେ ଅନେକ ବଦଳିଛି । ୯୦ ଦଶକରେ ନଦୀର ଚଉଡ଼ା ଯେମିତି ଥିଲା, ଆଉ ନାହିଁ । ନଈ ଯେମିତି ଛୋଟ ନାଳ, କେନାଲ ପାଲଟିଯାଇଛି । ଜଳଧାରଣ କ୍ଷମତା କମିଛି । ସରୁଆ ଧାରରେ ନଈ ବହୁଛି । ଖାଲି ସେତିକି ନୁହେଁ, ସ୍ଥାନେ ସ୍ଥାନେ ନଈ ଏତେ ସଙ୍କୁଚିତ ଯେ ସିଧା ସିଧା ଚାଲିଛି, ଅଙ୍କା ବଙ୍କା ହେବାକୁ ଯେମିତି ବଳ ନାହିଁ । ପ୍ରାୟ ସବୁଠି ନଦୀ ଶଯ୍ୟା ଉପରେ ବାଲିଚର ଛିଡ଼ା ହୋଇଛି । ସ୍ଥାନେ ସ୍ଥାନେ ନଦୀର ସଂଯୋଗ ବି କଟିଯାଇଛି । ସ୍ଥିତି ଏମିତି ହେଲାଣି ଯେ କାଠଯୋଡ଼ି ଓ ଦେବୀ ନଦୀ ଅନେକ ସ୍ଥାନରେ ପୂରା ଶୁଖିଲା । ଯୁଆଡ଼େ ଦେଖିବ-ବାଲି । ତ୍ରିକୋଣ ଭୂମି ଅଞ୍ଚଳରେ ବର୍ଷକୁ ପ୍ରାୟ ୬.୩୬ ବର୍ଗକିମି ବାଲିଚର ବୃଦ୍ଧି ପାଉଛି । ବାଲିଚର କ୍ଷେତ୍ରଫଳ ୩୦ ବର୍ଷରେ ୮୭.୩୧ ବର୍ଗ କିମିରୁ ବଢ଼ି ୧୦୦.୫୪ ବର୍ଗ କିମିରେ ପହଞ୍ଚିଛି । ଏହା ନଦୀ ଜଳ ପ୍ରବାହ ବାଟ ରୋକୁଛି । ଅନ୍ୟପଟେ ପ୍ରତିିବର୍ଷ ହାରାହାରି ୩.୧୭ ବର୍ଗ କିମି କୂଳ ଖାଉଛି ନଦୀ । ବେଶି ବାମପଟକୁ ଗିଳୁଛି । ବାମ ପାଖ କୂଳ ବର୍ଷକୁ ୨.୪୦ ମିଟର ଖାଉଥିବାବେଳେ ଡାହାଣ ପାଶ୍ୱର୍ରୁ ପ୍ରତିବର୍ଷ ୧.୭୫ ମିଟର ଅଞ୍ଚଳ ନଦୀ ଗର୍ଭକୁ ଚାଲି ଯାଉଛି ।
ଏନଆଇଟି ପୃଥିବୀ ଓ ବାୟୁମଣ୍ଡଳୀୟ ବିଜ୍ଞାନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ବିକାଶ କୁମାର ଦାଶ, ଗବେଷକ ସନାତନ ସାହୁ, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟରିଂ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ଆଇଆଇଏସଟି) ପ୍ରଫେସର କୌସ୍ତଭ ଦେବନାଥ ଏ ନେଇ ମିଳିତ ଅଧ୍ୟୟନ କରିଥିଲେ । ନରାଜରୁ ୧୨୦ କିମି ପର୍ଯ୍ୟନ୍ତ ଏହି ସର୍ଭେ କରାଯାଇଥିଲା । ଏଥିରେ ମହାନଦୀ, କାଠଯୋଡ଼ି, ଚିତ୍ରୋତ୍ପଳା, ଦେବୀ ନଦୀରେ ବାଲିଚର ବୃଦ୍ଧି ଓ ନଦୀର ଜଳପ୍ରବାହ ଏବଂ ନଦୀ ଶଯ୍ୟା ନେଇ ଚିନ୍ତାଜନକ ଚିତ୍ର ଦେଖିବାକୁ ମିଳିଛି ।
ଏହି ରିପୋର୍ଟ ଅନୁସାରେ ନରାଜ, ତ୍ରିଶୁଳିଆ, ଜଗତପୁର, ମଙ୍ଗୁଳି, ସାଲେପୁର, କଟକ ବାଲିସାହି, ୪୨ ମୌଜା, ରଘୁନାଥପୁର, ଚାଷୀଖଣ୍ଡ, ବାଗଲପୁର, ଗେଲପୁର ଅଞ୍ଚଳରେ ୧୯୯୦ରୁ ୨୦୦୫ ଭିତରେ ନଦୀ ଶଯ୍ୟାରେ ଅତ୍ୟଧିକ ବାଲିଚର ମାଡ଼ିଯାଇଛି । ଅନ୍ୟପଟେ କଟକର ଦକ୍ଷିଣ ପୂର୍ବ, କେନ୍ଦ୍ରାପଡ଼ାର ଦକ୍ଷିଣ, ଜଗତସିଂହପୁର, ପୁରୀର ଉତ୍ତର ପୂର୍ବ ଅଞ୍ଚଳରେ ନଦୀ ବେଶି କୂଳ ଖାଉଛି । କାଠଯୋଡ଼ି ଓ ଦେବୀ ନଦୀ ଯୋଗୁ ବିରିବାଟୀ, ରଘୁନାଥପୁର, ଅଥଙ୍ଗା, ଚାନ୍ଦୁଲି, ନଚ୍ଛିପୁର, ଖଣ୍ଡଏତା, ଶଙ୍ଖତ୍ରାସ, ଖଲର୍ଦ୍ଦା, କୋରକୋରା ଆଦି ନଦୀ କୂଳିଆ ଅଞ୍ଚଳରେ ନଦୀ ଗତିପଥରେ ଅତ୍ୟନ୍ତ ଅସ୍ଥିରତା ଦେଖା ଦେଇଛି । ଏସବୁ ଅଞ୍ଚଳରେ ନଦୀ ଗତିପଥ ବେଶ ପରିବର୍ତ୍ତନଶୀଳ ରହିଛି ।
ଏନଆଇଟି ପୃଥିବୀ ଓ ବାୟୁମଣ୍ଡଳୀୟ ବିଜ୍ଞାନ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଦାଶ କହିଛନ୍ତି, ତ୍ରିକୋଣ ଭୂମି ଅଞ୍ଚଳରେ ସର୍ବାଧିକ ଜନବସତି ଥିବାବେଳେ ମାଟି ବେଶ ନରମ ରହିଛି । ତେଣୁ ନଦୀର ଗତିପଥ ଏ ଅଞ୍ଚଳରେ ବେଶି ପରିବର୍ତ୍ତନଶୀଳ । ନଦୀ ଶଯ୍ୟା ପୋତି ହେବା, ବାଲିଚର ବଢ଼ିବା ପଛରେ କେତେକ କାରଣକୁ ଆମେ ସର୍ବାଧିକ ଗୁରୁତ୍ୱ ଦେଇଛୁ । ହୀରାକୁଦ ଡ୍ୟାମ ପରେ ବିରୁପା, ମୁଣ୍ଡୁଳି, ନରାଜରେ ଡ୍ୟାମ ନିର୍ମାଣ ସହ ମହାନଦୀ ଉପରେ ରେଳ ବ୍ୟାରେଜ, କଟକ ଜଗତପୁର ବ୍ରିଜ୍ ସମେତ ଅନେକ ବ୍ରିଜ ନିର୍ମାଣ ଯୋଗୁ ଜଳପ୍ରବାହ ବାଧାପ୍ରାପ୍ତ ହେବା ସହ ପଟୁ ମାଟି ଓ ବାଲି ଜମାଟ ବାନ୍ଧୁଛି । ଏହା ହିଁ ଅନେକ ସ୍ଥାନରେ ବାଲିଚର ବୃଦ୍ଧି କରାଉଛି । ଏ ଦିଗରେ ଚିନ୍ତା କରିବାକୁ ପଡ଼ିବ। ପ୍ରତି ୫ ବର୍ଷରେ ଥରେ ସ୍ଥିତି ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ନିଆଯାଉ । ନଦୀ ଶଯ୍ୟା ଖନନ କରିବାକୁ ପଡ଼ିବ । ଏବେ ଦୀର୍ଘବର୍ଷ ହେବ ମହାନଦୀ ତଳ ମୁଣ୍ଡକୁ ବଡ଼ ବନ୍ୟା ଆସିନାହିଁ । ନଦୀ ଶଯ୍ୟା ଯେଉଁଭଳି ପୋତି ହେଉଛି, ଆଗକୁ ବନ୍ୟା ଆସିଲେ ବଡ଼ ବିପତ୍ତି ଆଣିବ । ପାଣି ନ ରହିଲେ ଆଗାମୀଦିନରେ ଅନେକ ମାଛ ନଦୀରେ ମିଳିବେନି । ଜୈବ ବିବିଧତା ବିପନ୍ନ ହେବ । ଭୂତଳ ଜଳସ୍ତର ମଧ୍ୟ ହ୍ରାସ ପାଇବ ।
ଅଧିକ ପଢ଼ନ୍ତୁ :- Mahanadi Water Disputes: ଖୁବ୍ଶୀଘ୍ର ତୁଟିବ ମହାନଦୀ ଜଳ କଳି, ୧୫ ପ୍ରସଙ୍ଗ ମଧ୍ୟରୁ ୧୨ରେ ସହମତି, ଜୁନ୍ ୬ରେ ପରବର୍ତ୍ତୀ ଶୁଣାଣି
ଗବେଷକ ଶ୍ରୀ ସାହୁ କହିଛନ୍ତି, ନଦୀ ଶୁଖିବା ଓ ସଙ୍କୁଚିତ ହେବା ଚିନ୍ତାଜନକ । ଏହାକୁ ଆଗକୁ ବିପଦ ଆଣିପାରେ । ଓଡ଼ିଶାର ବିଶିଷ୍ଟ ଜଳ ପରିଚାଳନା ବିଶେଷଜ୍ଞ ରଞ୍ଜନ ପଣ୍ଡା କହିଛନ୍ତି, ଯେଉଁ ହାରରେ ନଦୀ ଶୁଖୁଛି, ବାଲିଚର ବଢ଼ୁଛି, ତାହା ଉଦ୍ବେଗଜନକ । ନଦୀର ଜଳଧାରଣ କ୍ଷମତା କମିଲେ ବନ୍ୟା ବିପତ୍ତି ବଢ଼ିବ । ଖାଲି ସେତିକି ନୁହେଁ, ସମୁଦ୍ରକୁ ନଦୀ ଜଳ ପ୍ରବାହ କମିବ । ଏମିତି ହେଲେ ଚିଲିକା, ଭିତରକନିକା, ସାତକୋଶିଆ ପାଇଁ ବିପଦ ବଢ଼ିପାରେ । ଜୈବ ବିବିଧତା ବିପନ୍ନ ହେବା ଆଶଙ୍କା ରହିଛି । ସ୍ୱଚ୍ଛ ପାଣି ବିନା ହେନ୍ତାଳ ବଣ ପ୍ରଭାବିତ ହେବ ।